ବହୁଭାଷୀ ଶିକ୍ଷକମାନଙ୍କ ଦରମା ବୃଦ୍ଧି

ଭୁବନେଶ୍ୱର: ବହୁଭାଷୀ ଶିକ୍ଷକମାନଙ୍କ ଦରମା ବୃଦ୍ଧି ହୋଇଛି । ସେମାନଙ୍କୁ ଉତ୍ସାହିତ କରିବା ପାଇଁ ମାସିକ ଦରମା ୩୨୦୦ ଟଙ୍କାରୁ ୫୩୭୯ ଟଙ୍କାକୁ ବୃଦ୍ଧି କରିଛନ୍ତି । ୨୨୧ ବହୁଭାଷୀ ଶିକ୍ଷକ ସିଧାସଳଖ ଉପକୃତ ହୋଇଛନ୍ତି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ୨୦୦୭-୦୮ରେ ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଭିମୁଖୀ କରିବା ଏବଂ ବିଦ୍ୟାଳୟରେ ଯୋଗଦାନ କରିବା ନିମନ୍ତେ ଛାତ୍ରଛାତ୍ରୀମଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ପାଇଁ ୨୨୧ ବହୁଭାଷୀ ଶିକ୍ଷକ (ଏମ୍‌ଏଲ୍‌ଇ-ଇଭିଏସ୍‌) ନିଯୁକ୍ତି ଦିଆଯାଇଥିଲା । ଅନୁସୂଚିତ ଅଞ୍ଚଳର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁକୂଳ ଶିକ୍ଷାଦାନ ଏବଂ ଅନୁସୂଚିତ ଜନଜାତି ପିଲାଙ୍କୁ ନିଜ ମାତୃଭାଷାରେ ଶିକ୍ଷା ଗ୍ରହଣ କରିବାର ସୁଯୋଗ ସୃଷ୍ଟି ପାଇଁ ଏମାନେ ନିୟୋଜିତ ହୋଇଥିଲେ । ଆଦିବାସୀ ବହୁଳ କନ୍ଧମାଳ, ମାଲକାନଗିରି, ମୟୁରଭଞ୍ଜ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର ବିଦ୍ୟାଳୟଗୁଡ଼ିକରେ ଏଭଳି ବହୁଭାଷୀ ଶିକ୍ଷକମାନେ ସୁଚାରୁରୂପେ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି । ୨୦୨୦ରୁ ସରକାରୀ ନିର୍ଦ୍ଦେଶନାମା ଅନୁସାରେ ସେଇ ଶିକ୍ଷକମାନେ ପାରିଶ୍ରମିକ ବାବଦକୁ ମାସିକ ୩୨୦୦ ଟଙ୍କା ଦରମା ପାଉଥିଲେ । ଏତେ ସ୍ୱଳ୍ପ ଦରମାରେ ବହୁଭାଷୀ ଶିକ୍ଷକମାନେ ଚଳିବା ସମ୍ଭବ ହେଉନଥିଲା । ସେହି ଅସୁବିଧାକୁ ନଜର ଦେଇ ରାଜ୍ୟ ସରକାର ଦରମା ବୃଦ୍ଧି କରିଛନ୍ତି । ଏଣିକି ବହୁଭାଷୀ ଶିକ୍ଷକମାନେ ମାସିକ ୫୩୭୯ ଟଙ୍କା ପାଇବେ । ତେଣୁ ସେମାନେ ନିଜର ଦାୟିତ୍ୱକୁ ସୁଚାରୁରୂପେ ନିର୍ବାହ କରିବାକୂ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ସେମାନଙ୍କୁ ପରମର୍ଶ ଦେଇଛି ।

Related Articles

Leave a Reply

Your email address will not be published.

Back to top button