ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ୨୦୩୬ରେ ଓଡ଼ିଶା ତା’ର ଶହେ ବର୍ଷ ପୂରଣ କରୁଛି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମର ଲକ୍ଷ୍ୟ ରହିଛି। ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଶିକ୍ଷାର ମହତ୍ୱପୂର୍ଣ୍ଣ ଭୂମିକା ରହିବ। ତେଣୁ ଉଭୟ ପ୍ରାଥମିକ ଓ ଉଚ୍ଚଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଆମ ସରକାର ବଦ୍ଧପରିକର ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଗଞ୍ଜାମ ଜିଲ୍ଲା ଭୀମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ବିଦ୍ୟାଳୟର ପ୍ରତିଷ୍ଠାତା ଆଦର୍ଶ ଶିକ୍ଷକ ସ୍ୱର୍ଗତ ଭଗବାନ ପଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ୧୯୨୪ ମସିହା ମାର୍ଚ୍ଚ ୧୫ ତାରିଖରେ ଏହି ବିଦ୍ୟାଳୟ ତା’ର ଶିକ୍ଷାଦାନର ଯାତ୍ରା ଆରମ୍ଭ କରି ଦୀର୍ଘ ୧୦ ଦଶନ୍ଧି ଧରି ସୀମାନ୍ତ ଅଞ୍ଚଳରେ ଜ୍ଞାନର ଆଲୋକ ବିକିରଣ କରିଆସୁଛି। ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଶିକ୍ଷାଦାନ ବ୍ୟବସ୍ଥା ଗୁରୁ ଶିଷ୍ୟ ପଦ୍ଧତିରେ କେଉଁ ଆବାହମାନ ଯୁଗରୁ ରହିଆସିଛି। ବ୍ରିଟିଶ ସରକାର ଆସିବା ପରେ ଶିକ୍ଷାନୀତି ପ୍ରଚଳିତ ହୋଇଥିଲା। ସେତେବେଳେ ଶିକ୍ଷାର ସବୁଠାରୁ ବଡ଼ ଉଦ୍ଦେଶ୍ୟ ଥିଲା, ବ୍ରିଟିଶ ସରକାରଙ୍କ ପାଇଁ କିରାଣୀ ଓ ଅଧିକାରୀ ପ୍ରସ୍ତୁତ କରିବା। ଜ୍ଞାନ ଆହରଣ, ଚରିତ୍ର ଗଠନ ସେହି ଶିକ୍ଷା ପଦ୍ଧତିର ଉଦ୍ଦେଶ୍ୟ ନ ଥିଲା। ଏହି ଶିକ୍ଷା ପଦ୍ଧତି ସ୍ୱାଧୀନତା ପରବର୍ତ୍ତୀ ସମୟରେ ବହୁ ବର୍ଷ ଧରି ଚାଲିଆସିଥିଲା ।
ମୁଖ୍ୟମନ୍ତ୍ରୀ କହିଥିଲେ, ବିଦ୍ୟାଳୟର ଉଦ୍ଦେଶ୍ୟ ହେଉଛି ପାଠ ପଢ଼ାଇ ପିଲାଙ୍କୁ ଉତ୍ତମ ନାଗରିକ ଭାବେ ଗଢ଼ି ସମାଜ ଗଠନର ଗୁରୁ ଦାୟିତ୍ୱ ନ୍ୟସ୍ତ କରିବା। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦେଶର ଶାସନଭାର ନେଲା ପରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି। ୨୦୨୦ ମସିହାରେ ମୋଦୀଜୀଙ୍କ ଦିଗ୍ଦର୍ଶନରେ ନୂତନ ଶିକ୍ଷାନୀତି ଦେଶରେ ପ୍ରଣୟନ ହୋଇଥିଲା। ଦୁର୍ଭାଗ୍ୟର କଥା, ଆମ ରାଜ୍ୟରେ ଏହି ନୂତନ ଶିକ୍ଷା ନୀତିକୁ ୫ ବର୍ଷ ଧରି ଲାଗୁ କରାଯାଇ ନଥିଲା। ଆଜି ଆମ ସରକାର ଆସିବା ପରେ, ଏହା ଲାଗୁ କରାଯାଇଛି। ଏହାଦ୍ୱାରା ନିଶ୍ଚିତ ଭାବେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ।
ସେ ପୁଣି କହିଥିଲେ, ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ଆମେ ପ୍ରାକ୍-ପ୍ରାଥମିକ ଶ୍ରେଣୀ ଶିକ୍ଷା ବା ଶିଶୁବାଟିକା ଆରମ୍ଭ କରିଛୁ। ନୂତନ ଜାତୀୟ ଶିକ୍ଷାନୀତି ଆଧାରରେ ଓଡ଼ିଶାରେ ମଧ୍ୟ ନିପୁଣ ଓଡ଼ିଶା ମିଶନ ଆରମ୍ଭ କରାଯାଇଛି। ଏଥିରେ ଛାତ୍ରଛାତ୍ରୀମାନଙ୍କ ମୌଳିକ ସ୍ୱାକ୍ଷରତା ଓ ସଂଖ୍ୟାଜ୍ଞାନ ବୃଦ୍ଧି ପାଇଁ ବ୍ୟବସ୍ଥା କରାଯାଇଛି। ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ଆମର ଛାତ୍ରଛାତ୍ରୀମାନେ ନିଶ୍ଚିତ ଭାବେ ମୌଳିକ ଜ୍ଞାନ ହାସଲ କରି ଉଚ୍ଚଶିକ୍ଷାରେ ସଫଳ ହେବେ। ପୂର୍ବ ସରକାରଙ୍କ ୫ଟି ସ୍କୁଲ୍ ଏକ ପ୍ରହସନ ଥିଲା। ମାତ୍ର ୧୬ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ୍ ସଂଯୋଗ କରି ଡିଜିଟାଲ୍ ସ୍କୁଲ ନାଁରେ ପ୍ରହସନ ଚାଲିଥିଲା। ବାସ୍ତବ କ୍ଷେତ୍ରରେ ପିଲାମାନଙ୍କ ଉତ୍ତମ ଶିକ୍ଷାଦାନ ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଆମ ସରକାର ଆସିବା ପରେ ଏବେ ପ୍ରାଥମିକ ବିଦ୍ୟାଳୟର ଉନ୍ନତି ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଆରମ୍ଭ କରିଛୁ। ଉତ୍ତମ ଭିତ୍ତିଭୂମି ସହିତ ଗୁଣି ଓ ତାଲିମପ୍ରାପ୍ତ ଶିକ୍ଷକ ପଞ୍ଚାୟତ ସ୍ତରରେ ଏହି ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ କରିବେ । ଆଦିବାସୀ ପିଲାଙ୍କ ଭିତରେ ଡ୍ରପ୍ଆଉଟ୍ ହାର କମାଇବା ପାଇଁ ମାଧୋସିଂ ହାତଖର୍ଚ୍ଚ ଯୋଜନା ଆରମ୍ଭ କରାଯାଇଛି। ଚଳିତବର୍ଷ ବଜେଟ୍ରେ ପ୍ରାଥମିକ ଶିକ୍ଷା ପାଇଁ ରେକର୍ଡ ୩୧ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପିଲାଙ୍କୁ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ପୁଷ୍ଟିକର ଖାଦ୍ୟ ମଧ୍ୟାହ୍ନଭୋଜନରେ ଯୋଗାଇ ଦିଆଯାଉଛି। ଆଗାମୀ ଦିନରେ ଏହିସବୁ ପଦକ୍ଷେପଗୁଡ଼ିକ ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବ ସେ କହିଥିଲେ। ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ଦାବି ସମ୍ପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭୀମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟରେ ସାମିଲ କରାଯିବ। ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ଏକ ଡି.ପି.ଆର୍ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ସ୍କୁଲ ପକ୍ଷରୁ କରାଯାଇଥିବା ସମସ୍ତ ଦାବିଗୁଡ଼ିକ ନିଶ୍ଚିତ ଭାବେ ପୂରଣ କରାଯିବ। ଏଥିପାଇଁ ଯାହା ଅର୍ଥ ଆବଶ୍ୟକ, ଆମ ସରକାର ନିଶ୍ଚିତ ଭାବେ ଯୋଗାଇଦେବେ। ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସରକାର ନିର୍ବାଚନ ପୂର୍ବରୁ ଯେଉଁ କଥା ଦେଇଥିଲେ, କଥା ରଖି ସବୁ କାମ କରିଛନ୍ତି। ଚାଷୀ, ମହିଳା, ଯୁବବର୍ଗ, ଗରୀବ – ସମସ୍ତଙ୍କ ପାଇଁ ଆମେ କାମ କରୁଛୁ। ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାରେ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶରେ ବ୍ୟାପକ ଶିଳ୍ପ ପ୍ରତିଷ୍ଠା ହେବ। ଗଞ୍ଜାମ ଜିଲ୍ଲାର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଅଞ୍ଚଳବାସୀଙ୍କ ଦାବିକୁ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଲେ ଯେ ଆଗାମୀ ଦିନରେ ଏ ଅଞ୍ଚଳର କିପରି ବିକାଶ ହୋଇପାରିବ, ସେଥିପ୍ରତି ଆମେ ସ୍ୱତନ୍ତ୍ର ଦୃଷ୍ଟିଦେବୁ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବ୍ରହ୍ମପୁରକୁ ଆସିବ, ଆପଣ ମାନଙ୍କ ଦାବି ଓ ସମସ୍ୟା ଶୁଣିବା ପାଇଁ ବ୍ରହ୍ମପୁରକୁ ଆସିବି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍କୁଲର ୪ ଜଣ ବର୍ଷୀୟାନ ପୂରାତନ ଛାତ୍ର ଏବଂ ବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ପରିବାର ସଦସ୍ୟଙ୍କୁ ମଞ୍ଚକୁ ଡାକି ସମ୍ବର୍ଦ୍ଧିତ କରିଥିଲେ। ସେହିପରି ଜିଲ୍ଲା ଓ ରାଜ୍ୟସ୍ତରରେ କୃତୀତ୍ୱ ଅର୍ଜନ କରିଥିବା ୫ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା ଏବଂ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଅଭିଭାଷଣ ରଖିଥିଲେ। ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଗଞ୍ଜାମ ଜିଲ୍ଲାପାଳ, ସାମନ୍ତିଆପଲ୍ଲୀ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ସ୍କୁଲର ପୁରାତନ ଛାତ୍ର ରାଧାକୃଷ୍ଣ ନାୟକ ସ୍ୱାଗତ ଭାଷଣ ଦେଇଥିଲେ। ପ୍ରଧାନଶିକ୍ଷକ ସନ୍ତୋଷ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ଶିକ୍ଷକ ଚିତ୍ତରଞ୍ଜନ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।