କାଳବୈଶାଖୀ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲାରେ କାଳବୈଶାଖୀ ଜନିତ କୁଆପଥର ବର୍ଷାରେ ବ୍ୟାପକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିବାବେଳେ ରବିବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ। ବାଙ୍ଗିରିପୋଷି ବ୍ଲକ୍‌ର ସୋରାସପୋଷି, ହାଣଦା, ସିଲପୁଞ୍ଜି, ମଣଦା, ମହୁଲବରେଇ ଓ ବିଶୋଇ ବ୍ଲକ୍‌ର ମୂଷାମାରି, ପୁଣ୍ଡିଦା, ଖଡ଼ମବେଢ଼ା, ସାରସପଡ଼ା, କେଶରଗଡ଼ିଆ ଆଦି ସ୍ଥାନର ସ୍ଥିତି ବୁଲି ଦେଖିଥିଲେ। ଏହି ପ୍ରାକୃତିକ ବିପର୍ଯ୍ୟୟର ଶିକାର ଗରିବ ଲୋକଙ୍କୁ ଭେଟି ମନ୍ତ୍ରୀ ଏହି ଦୁର୍ଦ୍ଦଶା ପାଇଁ ସେମାନଙ୍କୁ ସମବେଦନା ଜଣାଇବା ସହିତ ପ୍ରଶାସନ ତରଫରୁ ଆବଶ୍ୟକ ସରକାରୀ ସହାୟତା ଯଥା ପଲିଥିନ, ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ଶିଶୁ ଖାଦ୍ୟ, ପିଇବା ପାଣି, ଔଷଧ ଇତ୍ୟାଦି ମିଳିଛି କି ନାହିଁ ପଚାରି ବୁଝିଥିଲେ ଏବଂ ସୁହାନୁଭୂତି ପ୍ରଦର୍ଶନ ପୂର୍ବକ ବର୍ତ୍ତମାନ ପରିସ୍ଥିତିରେ ଧର୍ଯ୍ୟହରା ନହେବା ପାଇଁ ଆଶ୍ୱାସନା ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ କାଳବୈଶାଖୀ ପ୍ରଭାବରେ କ୍ଷତିଗ୍ରସ୍ତ ଘର ମରାମତି ପାଇଁ ଆବଶ୍ୟକ କ୍ଷତିପୂରଣ ଯୋଗାଇ ଦିଆଯିବ ଓ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା କ୍ଷତିଗ୍ରସ୍ତ ହିତାଧିକାରୀମାନଙ୍କୁ ମଧ୍ୟ ଅନ୍ତ୍ୟୋଦୟ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯିବ । ମୟୂରଭଞ୍ଜ ଜିଲ୍ଲାର ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତିର ଆକଳନ ଅନୁଯାୟୀ ସରକାରଙ୍କ ପକ୍ଷରୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ୧୯ କୋଟି ୬୫ ଲକ୍ଷ ୧୦ହଜାର ୬୫୮ ଟଙ୍କା ପ୍ରଦାନ କରାଯାଇଛି। କ୍ଷତିଗ୍ରସ୍ତ ଅଞ୍ଚଳରେ ପଲିଥିନ୍ ଯୋଗାଇ ଦିଆଯାଇଥିବାବେଳେ ଆଶ୍ରୟ ସ୍ଥଳରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ମନ୍ତ୍ରୀ ଶ୍ରୀ ପୂଜାରୀ ରିଲିଫ କ୍ୟାମ୍ପ୍‌ରେ ଆଶ୍ରୟ ନେଇଥିବା ଲୋକମାନଙ୍କ ସହ ମିଶି ଭୋଜନ କରିବା ସହ ଅସ୍ଥାୟୀ ହେଲିପ୍ୟାଡ୍‌ଠାରେ ସ୍ଥିତିର ସମୀକ୍ଷା କରିଥିଲେ। ଆସନ୍ତାକାଲି ସୁଦ୍ଧା ଗୃହ ମରାମତି, ଆବଶ୍ୟକ ଲୁଗାପଟା, ବାସନକୁସନ ପାଇଁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରିସ୍ଥିତିର ଗମ୍ଭୀରତା ଦୃଷ୍ଟିରୁ ଘର ମରାମତି ସର୍ବପ୍ରଥମ ଆବଶ୍ୟକତା ଥିବାରୁ ପ୍ରାଥମିକତା ଭିତ୍ତିରେ ଏ ବାବଦରେ କ୍ଷତିପୂରଣ ରାଶି ତୁରନ୍ତ ଡିବିଟି ଜରିଆରେ ବ୍ୟାଙ୍କ ଖାତାରେ ପ୍ରଦାନ କରାଯିବ। ଅନ୍ୟାନ୍ୟ ବାବଦରେ କ୍ଷତି ପୂରଣ ପର୍ଯ୍ୟାୟକ୍ରମେ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିବା ସହିତ କୌଣସି କ୍ଷତିଗ୍ରସ୍ତ ଲୋକ ଯେମିତି କ୍ଷତିପୂରଣ ପାଇବାରୁ ବାଦ ନ ପଡ଼ନ୍ତି ସେଥିପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଆଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ, ସାରସକଣା ବିଧାୟକ ଭାଦବ ହାଁସଦା, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ରାଇରଙ୍ଗପୁର ବିଧାୟକ ଜଲେନ୍ ନାୟକ, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ ଓ ଜିଲ୍ଲାପାଳ ହେମକାନ୍ତ ସୟ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button