ମୁଣ୍ଡପିଛା ଋଣଭାର ୧୯୧୭୧ ଟଙ୍କାକୁ ହ୍ରାସ: ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବିତ୍ତୀୟ ପରିଚାଳନା ବେଶ୍‌‌ ଶୃଙ୍ଖଳିତ ରହିଥିବା ବେଳେ ଆର୍ଥିକ ସ୍ଥିତି ଏବଂ ଋଣ ପରିଚାଳନା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଉତ୍ତମ ସ୍ଥିତିରେ ରହିଛି। ରାଜ୍ୟ ମହାଲେଖାଗାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟରେ ରାଜ୍ୟର ଋଣ ପରିମାଣ ୮୮୪୮୭ କୋଟି ଟଙ୍କା ରହିଛି। ସେହିପରି ମୁଣ୍ଡପିଛା ଋଣଭାର ୧୯୧୭୧ ଟଙ୍କାକୁ ହ୍ରାସ ପାଇଛି ବୋଲି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି।

ବିତ୍ତୀୟ ଉତ୍ତରଦାୟିତ୍ୱ ଏବଂ ବଜେଟ୍‌‌ ପରିଚାଳନା (ଏଫଆର୍‌‌ବିଏମ୍‌‌) ଅଧିନିୟମ ଅନୁଯାୟୀ ରାଜ୍ୟର ଋଣଭାର ବେଶ୍‌‌ ପୋଷଣୀୟ ଥିବାବେଳେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାରେ ମୁଣ୍ଡ ପିଛା ଋଣଭାର ସବଠାରୁ କମ୍‌‌ ବୋଲି ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ସୂଚନା ଦେଇଛନ୍ତି। କେବଳ ଏତିକି ନୁହେଁ, ଟିକସ ସଂଗ୍ରହ କ୍ଷେତ୍ରରେ ମଧ୍ୟ ଗତବର୍ଷ ଅଗଷ୍ଟ ମାସ ତୁଳନାରେ ଚଳିତ ବର୍ଷ ଅଗଷ୍ଟ ଯାଏଁ ରାଜ୍ୟରେ ଆଖିଦୃଶିଆ ଅଭିବୃଦ୍ଧି ପରିଲିକ୍ଷିତ ହୋଇଛି ବୋଲି ଅତିରିକ୍ତ ବଜେଟ୍‌‌ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ଓ ଅର୍ଥ ବିଭାଗ ପ୍ରମୁଖ ସଚିବ ସୂଚନା ଦେଇଛନ୍ତି।
ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସୂଚନା ଅନୁଯାୟୀ ୨୦୨୩-୨୪ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଏଫଆର୍‌‌ବିଏମ ଅଧିନିୟମକୁ ଅନୁପାଳନ କରୁଛି। କାରଣ ଏହି ବଜେଟ ଅତିରିକ୍ତ ରାଜସ୍ୱ କିମ୍ୱା ସଞ୍ଚିତ / ସମର୍ପିତ ସମ୍ୱଳର ଉପଲବ୍ଧତା ମଧ୍ୟରେ ପ୍ରସ୍ତୁତ କରାଯାଇଛି। ଏହି ଅତିରିକ୍ତ ବଜେଟ ସହ ରାଜସ୍ୱ ବଳକା ସ୍ଥିତି ବଜାୟ ରହିବ ଏବଂ ବିତ୍ତୀୟ ନିଅଣ୍ଟ ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି)ର ୩ ପ୍ରତିଶତ ମଧ୍ୟରେ ସୀମିତ ରହିବ। ମନ୍ତ୍ରୀ କହିଛନ୍ତି ଯେ ଏଫଆର୍‌‌ବିଏମ ଅଧିନିୟମ ଅନୁଯାୟୀ ରାଜ୍ୟର ଋଣଭାର ଜିଏସଡିପିର ୨୫ ପ୍ରତିଶତ ଏବଂ ସୁଧ ଦେୟ ଏବଂ ରାଜସ୍ୱ ଆୟର ଅନୁପାତ(ଆଇପି/ଆରଆର)-୧୫ ପ୍ରତିଶତ ମଧ୍ୟରେ ରହିବା ଆବଶ୍ୟକ। ତେବେ ମହାଲେଖାକାରଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ଜୁଲାଇ ଶେଷ ସୁଦ୍ଧା ରାଜ୍ୟର ଋଣ ଭାର ରାଜ୍ୟ ସକଳ ଘରୋଇ ଉତ୍ପାଦର ଅନୁପାତ (ଜିଏସ୍‌‌ଡିପି)ର ୧୦.୨୭ ପ୍ରତିଶତ ରହିଅଛି ଏବଂ ସୁଧ ଦେୟ ଓ ରାଜସ୍ୱ ଆୟର ଅନୁପାତ ୧.୯ ପ୍ରତିଶତରେ ସୀମିତ ରହିଛି। ଯାହାକି ବେଶ୍‌‌ ପୋଷଣୀୟ ଅଟେ।

Related Articles

Leave a Reply

Your email address will not be published.

Back to top button