ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଆଶ୍ୱସ୍ତି, ଟାରିଫ୍ ଅପରିବର୍ତ୍ତିତ, ମିଟର ରେଣ୍ଟ ଛାଡ଼

ଭୁବନେଶ୍ୱର : ଯାହା ଥିଲା, ସେହା ରହିବ। ବିଜୁଳି ଦର ଅପରିବର୍ତ୍ତିତ ରହିଲା। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍ ଦରକୁ ଅପରିବର୍ତ୍ତିତ ରଖିଛି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆରସି)। ହେଲେ ଘରୋଇ ଉପଭୋକ୍ତାଙ୍କୁ ଆଶ୍ୱସ୍ତ କରି ଦୁଇ କିଲୋୱାଟ ଯାଏଁ ମାସିକ ମିଟର ରେଟକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ତେବେ କେବଳ ସ୍ମାର୍ଟ ମିଟର ବ୍ୟବହାରକାରୀଙ୍କୁ ହିଁ ଏହି ସୁବିଧା ମିଳିବ। ଏହା ଦ୍ୱାରା ରାଜ୍ୟର ପ୍ରାୟ ୮୦ ଲକ୍ଷ ଉପଭୋକ୍ତା ଉପକୃତ ହେବେ ବୋଲି କହିଛି ଓଇଆରସି। ଅପରିବର୍ତ୍ତିତ ରହିଲା ବିଦ୍ୟୁତ୍ ଦର। ସ୍ମାର୍ଟ ମିଟର ଥିବା ଗ୍ରାହକଙ୍କ ପାଇଁ ବଡ଼ ରିହାତି। ମାସିକ ରେଣ୍ଟ ସମ୍ପୂର୍ଣ୍ଣ ଛାଡ଼। ଗ୍ରୀଷ୍ଣ ଆରମ୍ଭରୁ ଘରୋଇ ଉପଭୋକ୍ତାଙ୍କ ପାଇଁ ସୋମବାର ଏଭଳି ବଡ଼ ଘୋଷଣା କରିଛି ଓଆଇଆରସି। ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଆଇଆରସିର ସଚିବ ପ୍ରିୟବ୍ରତ ପଟ୍ଟନାୟକ କହିଛନ୍ତି ଯେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍ ଦରକୁ ଅପରିବର୍ତ୍ତିତ ରଖାଯାଇଛି। ଅର୍ଥାତ ପୂର୍ବରୁ ଯେମିତି ପ୍ରଥମ ୫୦ୟୁନିଟ୍କୁ ୨ଟଙ୍କା ୯୦ ପଇସା, ୫୧ରୁ ୨୦୦ୟୁନିଟ୍ ବ୍ୟବହାର ଯାଏଁ ୟୁନିଟ ପିଛା ୪ଟଙ୍କା ପଇସା, ୨୦୧ରୁ ୪୦୦ ୟୁନିଟ୍ ଯାଏଁ ୫ଟଙ୍କା ୭୦ ପଇସା ଏବଂ ତା’ପରଠାରୁ ଅର୍ଥାତ ୪୦୦ ୟୁନିଟ୍ରୁ ଅଧିକ ବିଜୁଳି ବ୍ୟବହାର ପାଇଁ ୟୁନିଟ୍ ପିଛା ୬ଟଙ୍କା ୧୦ ପଇସା ଦେବାକୁ ପଡ଼ିଥିଲା, ଏବର୍ଷ ପାଇଁ ବି ସେଇଆ ବି ରହିବ। ଏଥିସହ ଯେଉଁ ମାନେ ଇ-ବିଲ ଦେଉଛନ୍ତି ସେମାନଙ୍କୁ ବିଲ ପିଛା ୧୦ ଟଙ୍କା ଛାଡ କରାଯାଇଛି । ଅଗ୍ରୀମ ବିଲ୍ ପ୍ରଦାନ କରିଥିବା ଉପଭୋକ୍ତା ଓ ଅନଲାଇନରେ ବିଲ ପ୍ରଦାନ କରୁଥିବା ଉପଭୋକ୍ତାଙ୍କୁ ୪ ପ୍ରତିଶତ ଲେଖାଁଏ ବିଲ୍ରୁ ଛାଡ଼ କରାଯାଇଛି । ତେବେ ସ୍ମାର୍ଟମିଟର ଲଗାଇ ୨ କିଲୋୱାଟ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ଏଣିକି ସ୍ମାର୍ଟମିଟର ରେଣ୍ଟ ଦେବାକୁ ପଡ଼ିବନି। ରାଜ୍ୟ ସରକାରଙ୍କ ସ୍ମିମ ଅନୁଯାୟୀ ମିଟର ରେଣ୍ଟକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଥିବା ଓଇଆରସି ପକ୍ଷରୁ ସୂଚନା ଦିଆଯାଇଛି। ଅର୍ଥାତ ଏଥିପାଇଁ ଉପଭୋକ୍ତାଙ୍କୁ ଯେଉଁ ୬୦ ଟଙ୍କା ଦେବାକୁ ପଡ଼ୁଥିଲା, ତାହା ଆଉ ଦେବାକୁ ପଡ଼ିବନି। ଫଳରେ ରାଜ୍ୟର ମୋଟ ୯୫ ଲକ୍ଷ ବିଜୁଳି ଉପଭୋକ୍ତାଙ୍କ ମଧ୍ୟରୁ ୮୦ ଲକ୍ଷ ଉପଭୋକ୍ତାଙ୍କ ବାର୍ଷିକ ବିଲ ୭୨୦ ଟଙ୍କା ଲେଖାଏଁ କମିଯିବ। ପୂର୍ବରୁ ସ୍ମାର୍ଟମିଟର ଲଗାଇଥିବା ବା ଆଗକୁ ନୂଆ ସ୍ମାର୍ଟ ମିଟର ଲଗାଇବାକୁ ଯାଉଥିବା ଗ୍ରାହକ ମଧ୍ୟ ଏହା ଦ୍ୱାରା ଉପକୃତ ହେବେ। କିନ୍ତୁ ବିଜୁଳି ବ୍ୟବହାର ମାସିକ ୨ କିଲୋୱାଟ ଟପିଲେ ସ୍ମାର୍ଟମିଟର ଚାର୍ଜ ଦେବାକୁ ପଡ଼ିବ। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ପ୍ରତ୍ୟେକ ମାସ ବିଦ୍ୟୁତ ବିଲ୍ରେ ଉପଭୋକ୍ତାମାନେ ସ୍ମାର୍ଟ ମିଟର ଭଡ଼ା ବାବଦକୁ ୬୦ ଟଙ୍କା ଲେଖାଁଏ ଦେଉଥିଲେ। ଏବେ ସେହି ଖର୍ଚ୍ଚ ସରକାର ଭରଣା କରିବେ। ଏନେଇ ସରକାର ୭୦୦ରୁ ୮୦୦ କୋଟି ଟଙ୍କାର ଆର୍ôଥକ ଭୋଝ ସହିବେ। ଶିଳ୍ପ ସଂସ୍ଥା ମାନଙ୍କୁ ୮୦ ପ୍ରତିଶତ ଅତିରିକ୍ତ ବ୍ୟୟ କଲେ ୨୦ ପ୍ରତିଶତ ରିହାତି ଦିଆଯିବ। ଏଥିରେ ଶିଳ୍ପ ସଂସ୍ଥାମାନେ ପ୍ରୋତ୍ସାହିତ ହେବେ। ଡିସ୍କମ ମାନଙ୍କର ସରବରାହ ଜନିତ କ୍ଷତି କମିଥିବାରୁ ଓ ଡିସ୍କମ୍ ପାଖରେ ଅତିରିକ୍ତ ସରପ୍ଲସ୍ ପାୱାର ଥିବାରୁ ଏଥର ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି। ୧୦ କିଲୋ ୱାଟ୍ରୁ ଅଧିକ ବିଦ୍ୟୁତ ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ‘ସୋଲାର ଆୱାର’ ବା ସକାଳ ୮ ରୁ ଅପରାହ୍ଣ ୪ ଭିତରେ ବ୍ୟବହାର କରିଥିବା ବିଦ୍ୟୁତ ବିଲ୍ ଉପରେ ୟୁନିଟ୍ ପିଛା ୨୦ ପଇସା ରିହାତି ମିଳିବ। ସେହିଭଳି ସାନ୍ଧ୍ୟ ୬ରୁ ରାତି ୧୨ ମଧ୍ୟରେ ‘ପିକ ଆୱାରରେ ବ୍ୟବହାର କରିଥିବା ଉପଭୋକ୍ତାଙ୍କୁ ୟୁନିଟ୍ ପିଛା ୩୦ ପଇସା ଅଧିକ ପଡ଼ିବ ବୋଲି ସେ ସ୍ପଷ୍ଟ କରିଛନ୍ତି।