ଉପକୂଳ ଓଡ଼ିଶାରେ ବିରଳ ଇରାୱାଡ଼ି ଡଲଫିନ୍‌: କମିଥିଲେ, ଏବେ ସାମାନ୍ୟ ବୃଦ୍ଧି

ଭୁବନେଶ୍ୱର : ଚିଲିକା ସମେତ ଉପକୂଳ ଓଡ଼ିଶାରେ ଥିବା ବିରଳ ଇରାୱାଡ଼ି ଡଲଫିନ୍ ସଂଖ୍ୟା ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ସାମାନ୍ୟ ବଢ଼ିଛି । ଫଳରେ ଚିନ୍ତାରେ ଥିବା ଓଡ଼ିଶା ଜଙ୍ଗଲ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଏହି ତଥ୍ୟ ସାମାନ୍ୟ ଖୁସି ଦେଇଛି । ଏସିଆର ସର୍ବବୃହତ୍ତମ ହ୍‌୍ରଦ ଚିଲିକା ସମେତ ଗହୀର ମଥା ଓ ଅନ୍ୟ ଉପକୂଳାଞ୍ଚଳରେ ୬ ପ୍ରକାରର ଡଲ୍‌ଫିନ୍ ଦେଖାଯାଇଥାନ୍ତି । ସେହି ଡଲଫିନ୍‌ଗୁଡ଼ିକ ହେଉଛି ଇରାୱାଡ଼ି, ବଟଲନୋଜ୍‌,ହମ୍ପବ୍ୟାକ୍‌,ଷ୍ଟ୍ରାଇପେଣ୍ଡ୍‌, ଫିନ୍‌ଲେସ୍ ଓ ସ୍ପିନର୍ । ଏମାନଙ୍କ ମଧ୍ୟରୁ ରାଜ୍ୟରେ କେବଳ ଇରାୱାଡ଼ି ଓ ବଟଲ୍‌ନୋଜ୍ ଡଲଫିନ୍ ସଂଖ୍ୟା ସମାନ୍ୟ ବଢ଼ିଛି । ଉପକୂଳ ଓଡ଼ିଶାରେ ୨୦୨୧ରେ ମୋଟ୍ ଡଲଫିନ ସଂଖ୍ୟା ୫୪୪ ଥିବାବେଳେ ୨୦୨୨ରେ ସେମାନଙ୍କ ସଂଖ୍ୟା ଥିଲେ ୭୨୬ । ୨୦୨୩ରେ ୭୩୨କୁ ବୃଦ୍ଧି ହୋଇଥିବା ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଛି । କେବଳ ଇରାୱାଡ଼ି ଡଲଫିନ୍ ସଂଖ୍ୟା ୬ଟି ବଢ଼ିଥିବା କୁହାଯାଉଛି । ତାହା ପୁଣି ଚିଲିକା ହ୍ରଦରେ ବଂଶ ବୃଦ୍ଧି ହୋଇଛି । ତେବେ ବଟଲ୍‌ନୋଜ୍ ଡଲଫିନ ସଂଖ୍ୟା ଉତ୍ସାହଜନକ ନୁହେଁ । ୨୦୨୧ରେ ବଟଲ୍‌ନୋଜ୍ ଡଲ୍‌ଫିନ ସଂଖ୍ୟା ୨୬ ଥିବାବେେଳେ ୨୦୨୨ରେ ସଂଖ୍ୟା ୧୬ ଥିଲା । ୨୦୨୩ରେ ବଟଲ୍‌ନୋଜ୍ ଡଲଫିନ୍ ସଂଖ୍ୟା ୧୭ ରହିଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ବା ସିଡିଏର ପକ୍ଷରୁ ଚାଲଇଥିବା ଗଣତିରେ ତାହା ସ୍ପଷ୍ଟ ହୋଇଛି । ଖୁବ୍‌ଶୀଘ୍ର ଚୂଡ଼ାନ୍ତ ଗଣତି ରିପୋର୍ଟ ପ୍ରକାଶ ପାଇବ ।
ସୂଚନାନୁସାରେ ୨୦୧୩ରୁ ୨୦୨୩ ମଧ୍ୟରେ ଚିଲିକାରେ କେତେ ସଂଖ୍ୟାରେ ବିରଳ ଇରାୱାଡ଼ି ଡଲ୍‌ଫିନ ଅଛନ୍ତି ତା’ର ଏକ ତାଲିକା ପ୍ରକାଶ ଆମର ହସ୍ତଗତ ହୋଇଛି । ୨୦୧୩ରେ ୧୫୨, ୨୦୧୪ରେ ୧୫୮,୨୦୧୫ରେ ୧୬୦, ୨୦୧୬ରେ ୧୪୫, ୨୦୧୭ରେ ୧୨୧, ୨୦୧୮ରେ ୧୫୫, ୨୦୧୯ରେ ୧୫୦, ୨୦୨୦ରେ ୧୫୬, ୨୦୨୧ରେ ୧୬୨, ୨୦୨୨ରେ ୧୫୧ ଓ ୨୦୨୩ରେ ୧୫୭ ରହିଛି । ତେବେ ଯେଉଁ ପରିମାଣରେ ଡଲଫିନ୍‌ଙ୍କ ବଂଶବୃଦ୍ଧି ହେବା କଥା ସେହି ସଂଖ୍ୟାରେ ହୋଇନାହାନ୍ତି ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button