ବର୍ଷା-ଅନୁଭବଙ୍କ ଘରୋଇ ହିଂସା ମାମଲା: ଏସ୍‌ଡିଜେଏମ୍ କୋର୍ଟରେ ଦୁହିଁଙ୍କୁ କାଉନ୍‌ସେଲିଂ

ଭୁବନେଶ୍ବର: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଜି କଟକ ଏସ୍‌ଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି । ଘରୋଇ ହିଂସା ନେଇ ବର୍ଷା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ମାମଲା ଦାୟର କରିଥିଲେ । ଏବେ ଉକ୍ତ ମାମଲା କୋର୍ଟରେ ବିଚାରାଧୀନ ଅଛି । ତେବେ ଉଭୟେ କୋର୍ଟରେ ହାଜର ହେବା ପରେ ଦୀର୍ଘ ସମୟ ଧରି ବର୍ଷା ଓ ଅନୁଭବଙ୍କୁ କାଉନସେଲିଂ କରାଯାଇଛି । ସୂଚନାଯୋଗ୍ୟ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ତାଙ୍କ ଶାଶୂଘରେ ନିର୍ଯାତନା ଦିଆଯାଉଥିବା ସମ୍ପର୍କିତ କେତେକ ଘରୋଇ ହିଂସାକୁ ନେଇ କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ବର୍ଷାଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଅଦାଲତ ମାମଲାର ଶୁଣାଣି କରୁଥିବା ବେଳେ ବର୍ଷାଙ୍କୁ ପୁଲିସ ସୁରକ୍ଷା ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ବର୍ଷାଙ୍କୁ ସୁରକ୍ଷା ଯୋଗାଇ ଦେଇଥିଲେ ବି ସେ ଅନୁଭବଙ୍କ ବିରୋଧରେ କେତେକ ମାମଲା ଦାୟର କରିଥିଲେ । ସେଗୁଡ଼ିକ ଅଦାଲତରେ ବିଚାରାଧୀନ ଅଛି । ତେବେ ତନ୍ମଧ୍ୟରୁ ପରିବାର ଅଦାଲତରେ ବର୍ଷା ଅନୁଭବଙ୍କ ସହ ଏକତ୍ର ରହିବାକୁ କରିଥିବା ଆବେଦନ ଓ ଅନୁଭବ ବର୍ଷାଙ୍କୁ ଛାଡ଼ପତ୍ର ଦେବାକୁ କରିଥିବା ଅବେଦନ ଖାରଜ ହୋଇସାରିଛି । ଶାଶୂ ଘରେ ବର୍ଷା ନିଜକୁ ସୁରକ୍ଷିତ ମଣୁ ନ ଥିଲା ବେଳେ ଏନେଇ ଏକାଧିକ ମାମଲା ଚାଲିଥିବା ବେଳେ ଅନୁଭବଙ୍କ ସହ ଦାମ୍ପତ୍ୟ ଜୀବନ ବିତାଇବା ପ୍ରାର୍ଥନା ଗ୍ରହଣୀୟ ନୁହେଁ ବୋଲି ଅଦାଲତ କହିଥିଲେ ।ଅନୁଭବଙ୍କ ପକ୍ଷରୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର, ବର୍ଷାଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଦାସ ମାମଲା ପରିଚାଳନା କରୁଛନ୍ତି ।

Related Articles

Leave a Reply

Your email address will not be published.

Back to top button