ପପୁ ପମ୍‌ପମ୍‌ଙ୍କୁ ଢେଲା ମାଡ଼ ଘଟଣା: ପଥର ଫିଙ୍ଗାଳିକୁ ଦେଖିଥିବା ବ୍ୟକ୍ତିଙ୍କୁ ହତ୍ୟା ଉଦ୍ୟମ

ଭୁବନେଶ୍ବର: ଗୋଳନ୍ଥରା ଥାନା ଚିକିଟି ବ୍ଲକ୍ ସୁରଳ ଗ୍ରାମରେ ମହାଶିବରାତ୍ରି ଅବସରରେ ଚାଲିଥିବା ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ପପୁ ପମ୍‌ପମ୍‌ଙ୍କୁ ଢେଲା ମାଡ଼ ହୋଇଥିଲା । କାର୍ଯ୍ୟକ୍ରମକୁ ନ କରାଇ ଦେବା ଉଦ୍ଦେଶ୍ୟରେ ତାଙ୍କୁ ଢେଲାମାଡ଼ ହୋଇଥିବା କୁହାଯାଉଛି । ସୁରଳ ଗ୍ରାମର ସୀମା ବେହେରାଙ୍କ ପୁଅ ଟୁନା ବେହେରା ପପୁଙ୍କ କାର୍ଯ୍ୟକ୍ରମ ଆରମ୍ଭରେ ଢେଲା ମାଡ କରିଥିବା କୁହାଯାଉଥିବାବେଳେ ଏହି ଢେଲାମାଡ଼ ଫଳରେ ଗୋଟିଏ ଡିସ୍‌ପ୍ଲେ ବୋର୍ଡ ଭାଙ୍ଗିଯାଇଥିଲା । ଏହି ଟେକାମାଡ଼ ଘଟଣାକୁ ଗ୍ରାମର ଗୋପାଳ ବେହେରା ନାମକ ବ୍ୟକ୍ତି ଦେଖିଥିଲେ । ଗାଁ ବୈଠକରେ କାଳେ ଗୋପାଳ ଏହି ଘଟଣା କହିଦେବେ ସେହି ଆଶଙ୍କା କରି ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ନେଇ ଗୋପାଳଙ୍କ ପୁତୁରା ନାଏବ ସରପଞ୍ଚ କେଶବ ବେହେରା ଥାନାରେ ଅଭିଯୋଗ କରିଛନ୍ତି । ଘଟଣା ପରଠାରୁ ଟୁନା ଗୋପାଳଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଏହି ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରିଦେବି ବୋଲି କହୁଥିଲା । ଗାଁ ବୈଠକରେ କାଳେ ଢେଲା ମାଡ଼ ଘଟଣା ପ୍ରଘଟ ହୋଇଯିବ ଭାବି ଟୁନା ଗତକାଲି ରାତିରେ ଗୋପାଳ ଶୋଇଥିବା ସମୟରେ ପଥରରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲା । ଗୋପାଳ ଚିତ୍କାର କରିବାରୁ ତାଙ୍କୁ ଏକ କୂଅ ଭିତରକୁ ଠେଲିଦେଇ ଟୁନା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଲୋକମାନେ ଗୋପାଳକୁ କୂଅ ଭିତରୁ ଉଦ୍ଧାର କରି ପ୍ରଥମେ ବ୍ରହ୍ମପୁର ମେଡିକାଲ ଓ ପରେ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୋପାଳ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଅଭିଯୁକ୍ତ ଫେରାର ଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ପ୍ରକାଶ କରିଛନ୍ତି । ଏନେଇ ଥାନାରେ ୧୦୬/୨୩ରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି । ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଜଣେ ପ୍ରତିଷ୍ଠିତ କଳାକାରଙ୍କୁ ଏଭଳି ଅଶୋଭନୀୟ ଆଚରଣକୁ ଗଞ୍ଜାମ ଜିଲ୍ଲାରେ ତୀବ୍ର ନିନ୍ଦା କରାଯାଇଛି ।

Related Articles

Leave a Reply

Your email address will not be published.

Back to top button