ମୁଖ୍ୟମନ୍ତ୍ରୀଙ୍କ ନାମରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ

ଭୁବନେଶ୍ବର:  ବୁଧବାର ବିଧାନସଭାରେ ଆସିଛି ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ । ଏହି ପ୍ରସ୍ତାବ ଆଣିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ।  ଗୃହରେ ବିଭ୍ରାନ୍ତିକର ତଥ୍ୟ ରଖିଥିବାରୁ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ନାମରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ଶ୍ରୀ ମିଶ୍ର  ପଚରିଥିବା ଏକ  ପ୍ରଶ୍ନର ଉତ୍ତରରେ ବିଭ୍ରାନ୍ତିକର ତଥ୍ୟ ରହିଛି ଓ  କୋର୍ଟ ମନିଟର୍ଡ ତଦନ୍ତ କରାଯିବା କଥା କହାଯାଇଛି। ମାତ୍ର ଏହି ତଥ୍ୟ ଠିକ ନୁହେଁ ବୋଲି ସେ ଦାବି କରିଛନ୍ତି। ସେ କହିଛନ୍ତି, ଅବସରପ୍ରାପ୍ତ ବିଚାରପତି ଜେ ପି ଦାସଙ୍କ ନିଯୁକ୍ତି ଏକ ଜୁଡ଼ିସିଆଲ ଅର୍ଡର ଦ୍ବାରା ହୋଇନାହିଁ , କିନ୍ତୁ ଉତ୍ତର ପ୍ରଦେଶର ଖେରୀ ଘଟଣାକୁ ପ୍ରିସିଡେନ୍ସ ଭାବେ ନିଆଯାଇଛି ।  ଖେରୀ ଘଟଣାରେ  ଜୁଡ଼ିସିଆଲ ଅର୍ଡର ଥିଲା କିନ୍ତୁ ଜଷ୍ଟିସ୍ ଜେ ପି ଦାସଙ୍କ ନିଯୁକ୍ତି ଲାଗି ଜୁଡ଼ିସିଆଲ ଅର୍ଡର ନଥିଲା। ତେଣୁ ଗୃହକୁ ବିଭ୍ରାନ୍ତ କରାଯାଇଛି। ନବ ଦାସ ହତ୍ୟା ଘଟଣାରେ କ’ଣ ଷଡ଼ଯନ୍ତ୍ର ହୋଇଛି ପ୍ରଶ୍ନର ଉତ୍ତରରେ ତ ଷଡ଼ଯନ୍ତ୍ର କଥା କୁହାଯାଇଛି କିନ୍ତୁ ହତ୍ୟା ଘଟଣାରେ କାହାକୁ ସନ୍ଦେହ କରାଯାଉଛି, ସେ ନେଇ ଉତ୍ତରରେ କିଛି ସ୍ପଷ୍ଟ କରାଯାଇନାହିଁ ବୋଲି ଅଭିଯୋଗ ଆଣିଛନ୍ତି ନରସିଂହ ମିଶ୍ର। ମୁଖ୍ୟମନ୍ତ୍ରୀ ଓ ଗୃହରାଷ୍ଟ୍ରମନ୍ତ୍ରୀ ଭୁଲ ତଥ୍ୟ ବିଧାନସଭାକୁ ଦେଇଥିବାରୁ ତାଙ୍କ ନୋଟିସ୍ ସ୍ୱତନ୍ତ୍ର ସ୍ବାଧିକାର କମିଟିକୁ ପଠାଯାଉ ଏବଂ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ନରସିଂହ ମିଶ୍ର। ତେବେ ବାଚସ୍ପତି ନୋଟିସ ପାଇଛନ୍ତି ଓ ଏହାର ଅନୁଧ୍ୟାନ କରାଯାଉଥିବା କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button