ନୂଆଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି ।  ଶୁକ୍ରବାର ରାଷ୍ଟ୍ରପତି ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ଶନିବାର ପ୍ରଥମେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ । ରାଷ୍ଟ୍ରପତି ସକାଳ ୯ଟା ୮ ମିନିଟରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପହଞ୍ଚିଥିଲେ। ଏହାପରେ ଖାଲିପାଦରେ ବିନ୍ଦୁସାଗର ନିକଟରୁ ଚାଲି ଚାଲି ଯାଇଥିଲେ। ବିନ୍ଦୁ ସାଗର ଦେଇ ସେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲେ। ମନ୍ଦିର ପରିସରରେ ଥିବା ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ। ପ୍ରଭୁ ଶ୍ରୀଲିଙ୍ଗରାଜ ମା’ ପାର୍ବତୀଙ୍କୁ ଦର୍ଶନ ପରେ ମନ୍ଦିରବେଢା ପରିକ୍ରମା କରିଥିଲେ। ମନ୍ଦିର ପରିସରରେ ଦର୍ଶନ ସହ ଭିଭିଆଇପି ବୁକରେ ନିଜର ଅନୁଭୂତି ବି ଲେଖିଥିଲେ । ପରେ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ କଟକ ଯାଇଥିଲେ । ସେଠାରେ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ଇଣ୍ଡିଆନ ରାଇସ କଂଗ୍ରେସକୁ ଉଦଘାଟନ କରିବା ସହ ନିଜ ଅଭିଭାଷଣ ରଖିଥିଲେ । ପରେ ବାୟୁସେନାର ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଭୁବନେଶ୍ୱର ବିମାନବନ୍ଦରକୁ ଫେରିଥିଲେ । ସେଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ବହୁ ମାନ୍ୟଗଣ୍ୟ ନେତା ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ । ପରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିଲେ ।

Related Articles

Leave a Reply

Your email address will not be published.

Back to top button