ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମାଘମେଳା ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମାଘମେଳା ଆୟୋଜନ ନିମନ୍ତେ ଆଜି ପୂର୍ବାହ୍ନରେ ଢେଙ୍କାନାଳ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵପ୍ରସିଦ୍ଧ ମାଘମେଳା କିଭଳି ଶାନ୍ତିଶୃଙ୍ଖଳା ଓ ଧାର୍ମିକ ଭାବନା ମଧ୍ୟରେ ଆୟୋଜିତ ହେବ ସେଥିପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଚଳିତ ବର୍ଷ ଫେବୃଆରୀ ମାସ ୧୧ ଏବଂ ୧୨ତାରିଖ ଦୁଇ ଦିନ ଧରି ଏହି ମେଳା ଆନୁଷ୍ଠାନିକ ଭାବେ ଆୟୋଜିତ ହେବ । ବୈଠକରେ ଉଠା ଦୋକାନୀ ମାନଙ୍କୁ ବ୍ୟବସ୍ଥିତ ଭାବେ ବସାଇବା, ଯାତ୍ରା ପଡ଼ିଆର ଆଲୋକି କରଣ, ଉତ୍ସବ ଅବସରରେ ମଦ ଦୋକାନ ବନ୍ଦ ରଖିବା, ନିୟମିତ ବିଦ୍ୟୁତ୍ ଯୋଗାଣ,ନିୟନ୍ତ୍ରଣ କକ୍ଷ ଓ ସି.ସି. ଟିଭି କ୍ୟାମେରା ବ୍ୟବସ୍ଥା, ଯାତାୟତ ନିମନ୍ତେ ଟ୍ରାଫିକ୍ ବ୍ୟବସ୍ଥା, ବ୍ୟବସ୍ଥିତ ଗାଡ଼ି ପାର୍କିଂ, ଆଶୁଚ଼ିକିତ୍ସା ଓ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଆୟୋଜନ, ଯାତ୍ରା ପଡ଼ିଆ ସଂପ୍ରସାରଣ, ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ମହିଳା,ଦିବ୍ୟାଙ୍ଗ ତଥା ଛୋଟ ପିଲାମାନଙ୍କ ସୁବିଧା ରେ ଦର୍ଶନ, ଭଜନ ସମାରୋହ, ମନ୍ଦିର ପାର୍ଶ୍ଵରେ ବ୍ୟାରିକେଟ୍ ନିର୍ମାଣ, ଯାତ୍ରା ପଡ଼ିଆରେ ଜଳ ସିଞ୍ଚନ, ମହିମା ମହୋତ୍ସବ ସୂଚାରୁରୂପେ ଆୟୋଜନ ଆଦି ସଂପର୍କରେ ଆଲୋଚ଼ନା ହୋଇଥିଲା । ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପ୍ରଶାସନ ର ଅନ୍ୟ ଅଧିକାରୀ ଓ ସାଧୁସନ୍ଥ ମାନେ ଯୋଗ ଦେଇଥିଲେ ।ସୂଚନାଯୋଗ୍ୟ ଯେ ଏହି ବିଶ୍ଵ ପ୍ରସିଦ୍ଧ ମାଘମେଳା ରେ ରାଜ୍ୟ ତଥା ଦେଶ ବିଦେଶରୁ ଲକ୍ଷାଧିକ ମହିମା ଧର୍ମାବଲମ୍ବୀ ସାଧୁସନ୍ଥ, ଭକ୍ତଙ୍କ ସମାଗମ ହେବା ସହିତ ନିଜ ନିଜର ମାନସିକ ପୂରଣ କରିବା ପାଇଁ ଆସିଥାନ୍ତି। ମେଳାକୁ ଆଖି ଆଗରେ ରଖି ଜିଲ୍ଲା ସଦର ମହକୁମା ଠାରୁ ଯୋରନ୍ଦା ଗାଦି ପଯ୍ୟନ୍ତ ଯାଇଥିବା ରାସ୍ତାର ପ୍ରଶସ୍ତିକରଣ ଓ ମରାମତି କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button