ପ୍ରଦୀପ କୁମାର ଜେନା ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଦୀର୍ଘ ଦିନର ଚର୍ଚ୍ଚା ପରେ ଶେଷରେ ବାଜି ମାରିନେଲେ ୧୯୮୯ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍ ଅଫିସର ତଥା ଉନ୍ନୟନ କମିଶନର, ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, କୃଷି ଉତ୍ପାଦନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର ଓ ଓସ୍‌ଡମାର ଏମ୍‌ଡି ପ୍ରଦୀପ କୁମାର ଜେନା । ସେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆସନ୍ତା ୨୮ ତାରିଖରେ ଅବସର ଗ୍ରହଣ କରିବେ । ତେଣୁ ମାର୍ଚ୍ଚ ପହିଲାରେ ରାଜ୍ୟର ନୂତନ ମୁଖ୍ୟ ଶାସନ ସଚିବ ଭାବେ ଶ୍ରୀ ଜେନା ଦାୟିତ୍ୱ ନେବେ । ସେହିପରି ୧୯୯୧ ବ୍ୟାଚ୍‌ର ବରିଷ୍ଠ ଆଇଏସ୍ ଅଫିସର ଅନୁ ଗର୍ଗ ରାଜ୍ୟର ପରବର୍ତ୍ତୀ ଉନ୍ନୟନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ସେ ରାଜ୍ୟ ଜଳସମ୍ପଦ ବିଭାଗରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦ ସହିତ ଉନ୍ନୟନ କମିଶନର ଓ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସଚିବ ଦାୟିତ୍ୱ ସମ୍ଭାଳିବେ ।
ଶ୍ରୀ ଜେନା ୧୯୬୪ ମସିହା ଜାନୁୟାରୀ ୧ ତାରିଖରେ ଢେଙ୍କାନାଳରେ ଜନ୍ମଗ୍ରହଣ କରିଥିଲେ । ସେ ଆଇଏଏସ୍ ପାଇବା ପରେ ପ୍ରଥମେ ଧର୍ମଗଡ଼ର ଉପ ଜିଲ୍ଲାପାଳ ଭାବେ ପ୍ରଶାସନିକ ଜୀବନ ଆରମ୍ଭ କରିଥିଲେ । ଏହାପରେ ସେ କଳାହାଣ୍ଡିର ଜିଲ୍ଲାପାଳ ହୋଇଥିଲେ । ତାପରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଭାବେ ସଫଳତାର ସହ କାମ କରିବା ପରେ ବିଭିନ୍ନ ବିଭାଗର କମିଶନର ଓ ସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ । ଜଣେ ଦକ୍ଷ ଅଫିସର ଓ ମେଳାପୀ ବ୍ୟକ୍ତି ଭାବରେ ତାଙ୍କର ସୁନାମ ରହିଛି । ସେ ମଧ୍ୟ କିଛି ବର୍ଷ ପାଇଁ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଥିଲେ । ସ୍ୱତନ୍ତ୍ର ରିଲିଫ କମିଶନର ଓ ଓସ୍‌ଡମାର ଏମ୍‌ଡି ଭାବେ ତାଙ୍କ କାମ ଅତ୍ୟନ୍ତ ଉଚ୍ଚକୋଟିର ଥିଲା । କୋଭିଡ ମହାମାରୀ ବେଳେ ସେ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା କରି କାମ କରୁଥିଲେ । ସରକାରଙ୍କ ସଫଳ କୋଭିଡ ମୁକାବିଲାରେ ତାଙ୍କର ଯଥେଷ୍ଟ ଭୂମିକା ଥିଲା । ଅତ୍ୟନ୍ତ ନିଷ୍ଠାପର ଓ କର୍ତ୍ତବ୍ୟପରାୟଣ ଅଧିକାରୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ମୁଖ୍ୟ ଶାସନ ସଚିବ ପଦ ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button