ପ୍ରଧାନମନ୍ତ୍ରୀଙ୍କ ୧୨୨ତମ ମନ୍ କି ବାତ୍ : ଭାରୋତ୍ତୋଳକ ହର୍ଷବର୍ଦ୍ଧନଙ୍କୁ ପ୍ରଶଂସା

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଶାନ୍ତିନଗର ଅଞ୍ଚଳର ଯୁବ ପ୍ରତିଭା ତଥା ଭାରୋତ୍ତୋଳକ ହର୍ଷବର୍ଦ୍ଧନ ସାହୁଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୧୨୨ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ହର୍ଷବର୍ଦ୍ଧନଙ୍କ ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ଖୁସି ପ୍ରକଟ କରିଛନ୍ତି। ବ୍ରହ୍ମପୁରର ପୁଅ ଜାତୀୟସ୍ତରୀୟ କ୍ରୀଡ଼ାରେ ସଫଳତା ଅର୍ଜନ କରିବା ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ପ୍ରଶଂସିତ ହେବା ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲା ଓ ରାଜ୍ୟ ପାଇଁ ଗର୍ବ, ଗୌରବର ବିଷୟ ହୋଇଛି। ଏହାକୁ ନେଇ ହର୍ଷବର୍ଦ୍ଧନଙ୍କ ପରିବାର ସମେତ ରାଜ୍ୟ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ହର୍ଷବର୍ଦ୍ଧନ ପଞ୍ଚମଶ୍ରେଣୀରୁ ହିଁ ଭାରୋତ୍ତୋଳନ କ୍ରୀଡ଼ା ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ସେ ଗତ ୨୦୨୨ ମସିହାରେ ଶଙ୍କର ଫିଜିକାଲ୍ କ୍ଲବ୍ର କୋଚ୍ ଜିତେନ୍ଦ୍ର କୁମାର ସାହୁଙ୍କଠାରୁ ଏନେଇ ତାଲିମ୍ ନେଇଥିଲେ। ସେ ପୂର୍ବରୁ ଜିଲ୍ଲାସ୍ତରୀୟ, ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ଅର୍ଜନ କରିଥିବା ବେଳେ ନିକଟରେ ବିହାରରେ ଅନୁଷ୍ଠିତ ଖେଲୋ୍ ଇଣ୍ଡିଆ ୟୁଥ୍ ଜାତୀୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ହର୍ଷବର୍ଦ୍ଧନ ୪୯କେଜି ବର୍ଗ ଭାରୋତ୍ତୋଳନ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିବା ସହ ଅତୀତର ରେକର୍ଡ ଭାଙ୍ଗିଥିଲେ। ଏହା ସମଗ୍ର ଓଡ଼ିଶା ତଥା ବ୍ରହ୍ମପୁର ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ତାଙ୍କ କୋଚ୍ ତଥା ଭାରୋତ୍ତୋଳନ ସଂଘର ରାଜ୍ୟ ସମ୍ପାଦକ କେ. ରବି କୁମାର କହିଛନ୍ତି। ସୂଚନାଯୋଗ୍ୟ, ହର୍ଷବର୍ଦ୍ଧନଙ୍କ ପିତା ଧନେଶ୍ୱର ସାହୁ ଫେରି ବ୍ୟବସାୟୀ କରି ପରିବାର ପ୍ରତିପୋଷଣ କରନ୍ତି। ପୁଅର ସଫଳତାକୁ ନେଇ ସେ ବହୁତ ଖୁସିଥିବା କହିଛନ୍ତି। ଏଥିପାଇଁ ତାଙ୍କୁ ପ୍ରଶିକ୍ଷଣ ଦେଇଥିବା କୋଚ୍ଙ୍କୁ ଧନ୍ୟବାଦ ଜଣାଇବା ସହ ଆଗକୁ ହର୍ଷବର୍ଦ୍ଧନ ଅନ୍ତର୍ଜାତୀୟସ୍ତରୀୟ କ୍ରୀଡ଼ାରେ ଭାଗନେଇ ନୂଆ ରେକର୍ଡ କରିବା ତାଙ୍କର ସ୍ୱପ୍ନ ରହିଥିବା କହିଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ସେ ଅନୁରୋଧ କରିଛନ୍ତି।