ଲୋକେ ପୋଡ଼ିଦେଲେ ଗୋମାଂସ ବୋଝେଇ ପିକ୍‌ଅପ୍ ଭ୍ୟାନ୍‌

ଭୁବନେଶ୍ବର: ଗୋପ ଥାନା ଅଧୀନ ନୂଆଖୋଲମରା ପଂଚାୟତ ବୋଇତିଭଙ୍ଗା ପୋଲ ନିକଟରେ ଗୋମାଂସ ବୋଝେଇ ଏକ ପିକ୍‌ଅପ୍ ଭ୍ୟାନ ଭାରସାମ୍ୟ ହରାଇ ବନ୍ଧ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହେବା ପରେ ସେଥିରେ ଗୋମାଂସ ଥିବା ଜାଣି ସ୍ଥାନୀୟ ଲୋକମାନେ ପୋଲିସ୍‌କୁ ଖବର ଦେଇଥିଲେ। ହେଲେ ପୋଲିସ୍ ପହଁଚିବାରେ ବିଳମ୍ବ ହେବାରୁ ଘଟଣା ସ୍ଥଳରେ ଉତ୍ୟେଜନା ବଢ଼ିଥିଲା। ଉତ୍ୟକ୍‌ତ ଲୋକମାନେ ଗାଡ଼ିଟିରେ ନିଆଁ ଲଗାଇ ଦେଇଥିଲେ। ମାତ୍ର ଗାଡ଼ି ଟି ଦୁର୍ଘଟଣା ପରେ ଗାଡ଼ି ଚାଳକ ଏବଂ ମାଂସ ଚାଲାଣକାରୀ ଘଟଣା ସ୍ଥଳରୁ ଖସି ପଳାଇ ଥିବାରୁ ସେମାନଙ୍କ ସଂପର୍କରେ କିଛି ଜଣା ପଡ଼ି ନାହିଁ। ଘଟଣାସ୍ଥଳରେ ବରିଷ୍ଠ ପୋଲିସ୍ ଅଧିକାରୀ ପହଁଚି ଉତ୍ୟକ୍‌ତ ଲୋକଙ୍କୁ ବୁଝା ସୁଝା କରିଥିଲେ। ପ୍ରାଣୀ ଚିକିତ୍ସା ଅଧରକାରୀ ସେଠାରେ ପହଁଚି ମାଂସର ନମୁନା ସଂଗ୍ରହ କରିଥିଲେ। ପୋଲିସ୍ ଘଟଣାସ୍ଥଳରୁ ପ୍ରାୟ ୨୦ କୁଇଂଟାଲ ଗୋମାଂସ ଜବତ କରି ପୋତି ଦେଇଥିଲେ। ଏ ସଂପର୍କରେ ଗାଡ଼ି ନମ୍ବର ଏବଂ ବିଭିନ୍ନ ତଥ୍ୟ ଆଧାରରେ ତଦନ୍ତ ଜାରି ରହିଛି ଏବଂ ଖୁବ୍ ଶୀଘ୍ର ଘଟଣାରେ ସଂପୃକ୍‌ତ ଥିବା ବ୍ୟକ୍‌ତିଙ୍କୁ ଗିରଫ କରାଯିବ ବୋଲି ଗୋପ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପଢ଼ିହାରୀ ପ୍ରକାଶ କରିଛନ୍ତି। ଗୋପ-ନିମାପଡା ଅଂଚଳରେ ବାରମ୍ବାର ଗୋରୁ ବୋଝେଇ ଗାଡ଼ି ଏବଂ ଗୋମାଂସ ବୋଝେଇ ଗାଡି ଜବତ କଲା ପରେ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ଅଭାବରୁ ଗୋରୁ ଏବଂ ଗୋମାଂସ ଚାଲାଣ ଦିନକୁ ଦିନ ବଢ଼ି ଚାଲିଛି। ଗୋରୁ ଚୋରା ଚାଲାଣ ରାକେଟ୍ ଙ୍କ ଚରାଭୂଇଁ ପାଲଟିଛି ଏହି ଅଂଚଳ। କାଁ ଭାଁ କେତୋଟି ଘଟଣା କୁ ଛାଡି ଦେଲେ ପ୍ରାୟ ସମସ୍ତ ଗୋରୁ ଚାଲାଣ ଗାଡି ଜବତ ଘଟଣାରେ ସ୍ଥାନୀୟ ବାସିନ୍ଦା ଯୁବକ ମାନେ ହିଁ ପ୍ରଥମେ ଗୋରୁ ଚାଲାଣ ଗାଡ଼ି କୁ ଅଟକ ରଖି ପୋଲିସ୍ କୁ ଖବର ଦେଇଥାନ୍ତି। ପୋଲିସ୍ ଆସି ଗାଡ଼ି ଜବତ କରେ, ଗୋରୁ ଜବତ କରେ କିନ୍ତୁ ତା ପରର ପରିସ୍ଥିତି ଯଥା ପୂର୍ବଂ ତଥା ପରଂ। ତେଣୁ ଗୋ-ଚାଲାଣ ରୋକିବାକୁ ପ୍ରଶାସନ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Related Articles

Leave a Reply

Your email address will not be published.

Back to top button