ଓଲଟିଲା ଯାତ୍ରୀବାହୀ ବସ୍, ୨ ମୃତ

ଭୁବନେଶ୍ୱର;ଗଜପତି-ଗଞ୍ଜାମ ସୀମାନ୍ତ ତଥା ଜରଡ଼ା ଥାନା ଖାରିଆଗୁଡ଼ା ଫାଣ୍ଡି ଅନ୍ତର୍ଗତ ବଣିଆବସା ମାଙ୍କଡ଼ ଡ଼ିଆଁ କାନକଟା ଘାଟି ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୧୪ ଜଣ ଆହତ ହୋଇଥିବା ଜଣାପଡିଛି । ଶୁକ୍ରବାର ସକାଳେ ଏକ ଘରୋଇ ଯାତ୍ରୀବାହୀ ବସ୍ (ନଂ-ଓଆର-୦୨-ବିବି-୯୭୭୭) ଗଞ୍ଜାମ ଜିଲ୍ଲା ବୁରାତାଲ ଅଞ୍ଚଳରୁ ଗଜପତି ଜିଲ୍ଲା ରାୟଗଡ଼କୁ ଯାତ୍ରା କରିଥିଲା । ଅପରାହ୍ନରେ ରାୟଗଡ଼ ଠାରୁ ବୁରାତାଲ ଫେରୁଥିବା ସମୟରେ ଘାଟି ନିକଟରେ ଚାଳକ ଭାରସାମ୍ୟ ହରାଇବାରୁ ବସ୍ଟି ରାସ୍ତାକଡ଼ରେ ଓଲଟି ପଡିଥିଲା । ଖାରିଆଗୁଡ଼ା ଫାଣ୍ଡି ଅଧିକାରୀ ଖବର ପାଇ ଦୁର୍ଘଟଣାସ୍ଥଳରେ ପହଞ୍ôଚଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଲୋକଙ୍କୁ ଉଦ୍ଧାର କରି ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମେଡିକାଲରେ ୨ ଜଣ ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତକ ଦ୍ୱୟ ହେଲେ ଗଜପତି ଜିଲ୍ଲା ଶିକୁଳିପଦର ଗ୍ରାମର ସରସ୍ୱତୀ ବାଗସିଂ ଓ ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ଅନ୍ତର୍ଗତ ଅରଖପଦା ଗ୍ରାମର ସୁମତି ଶବର । ଏହି ଦୁର୍ଘଟଣାରେ ୧୪ ଜଣ ଆହତ ହୋଇଥିବା ବେଳେ ୮ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲକୁ ସ୍ତାନାନ୍ତର କରାଯାଇଛି । ଗୁରୁତରଙ୍କ ମଧ୍ୟରେ ଅନିତା ଶବର, ଇପ୍ସିତା ବଳିଆରସିଂ, ଟୁନା ବିଷୋୟୀ, ଜାନକୀ ଦଳେଇ, ପାର୍ବତୀ ନାୟକ, ହେମା ଦଳେଇ, ବାବୁଲା ଶବର, ନମିତା ପାଣୀଗ୍ରାହୀ ଅଛନ୍ତି । ଖବର ପାଇ ପାତ୍ରପୁର ବିଡିଓ ଘଟଣାସ୍ଥଳରେ ପହଞ୍ଚିବା ସହ ମେଡିକାଲକୁ ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ । ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ଡ୍ରାଇଭର ଓ ହେଲପର୍ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ।