ପ୍ରତିଷ୍ଠା ହେବ ପଣ୍ଡିତ ରଘୁନାଥ ମୁର୍ମୁ ଓପନ ଥିଏଟର-ସଂଗ୍ରହାଳୟ, ଐତିହ୍ୟ ଭବନ, ୫୦ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅଲଚିକି ଲିପିର ୧୦୦ ବର୍ଷ ପୂରଣ ସମାରୋହ ୧ ବର୍ଷ ବ୍ୟାପି ସାରା ରାଜ୍ୟରେ ହେବ। ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର ପାଇଁ ଏକ ଅନ୍ତର୍ଜାତୀୟ ସେମିନାର ଆୟୋଜନ ହେବ। ଏଥିସହିତ ପଣ୍ଡିତ ମୁର୍ମୁଙ୍କ ରଚିତ ସମସ୍ତ ପୁସ୍ତକଗୁଡ଼ିକୁ ଜନାଦୃତ କରାଇବା ପାଇଁ ବାରିପଦାରେ ଅଲଚିକି ଲାଇବ୍ରେରୀ ପ୍ରତିଷ୍ଠା, ପଣ୍ଡିତ ରଘୁନାଥ ମୁର୍ମୁ ଓପନ ଥିଏଟର-ସଂଗ୍ରହାଳୟ ଏବଂ ତାଙ୍କ କର୍ମଭୂମି ଠାରେ ଐତିହ୍ୟ ଭବନ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଘୋଷଣା କରିଛନ୍ତି। ଏଥିସହ ଏହି ସବୁ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ସମୁଦାୟ ୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ସୋମବାର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅନ୍ତର୍ଗତ ମହୁଲଡିହା ଅଞ୍ଚଳରେ ସାନ୍ତାଳୀ ଭାଷାର ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଏବଂ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ ତମ ରାଜ୍ୟସ୍ତରୀୟ ଜନ୍ମବାର୍ଷିକୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା ଘୋଷଣା କରିଛନ୍ତି। ଏଥିସହ ଦାଣ୍ଡବୋଷ ଅଞ୍ଚଳରେ ଥିବା ପଣ୍ଡିତ ମୁର୍ମୁଙ୍କ ବାସଭବନକୁ ସ୍ମାରକୀ ତୀର୍ଥସ୍ଥଳୀ ଓ ତାଙ୍କ ସମାଧି ପୀଠକୁ ଐତିହ୍ୟ ସ୍ମୃତି ପୀଠ ଭାବେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ ଯେ ପଣ୍ଡିତ ମୂର୍ମୁଙ୍କ ଜୀବନ କେବଳ ଜଣେ ବ୍ୟକ୍ତି ଭାବେ ନୁହେଁ, ସେ ଏକ ଆନ୍ଦୋଳନ, ଏକ ଚେତନା, ଏକ ଶିଳ୍ପ ଓ ସଂସ୍କୃତିର ଅଭିଜ୍ଞାନ। ଅଲଚିକି ଲିପିର ୧୦୦ ବର୍ଷ ପୂର୍ତ୍ତି ପାଳନ କେବଳ ଜଣେ ଉଦ୍ଭାବକଙ୍କ ମାନସିକ ସୃଷ୍ଟିର ସମ୍ମାନ ନୁହେଁ, ବରଂ ଏହା ଏକ ଜନଜାତିର ଭାଷା, ସଂସ୍କୃତି ଓ ଅସ୍ମିତାର ଏକ ମୁକ୍ତ ଅଭିଯାନର ପରିଚୟ। ତାଙ୍କ ଲିପି ଉଦ୍ଭାବନ କେବଳ ଶାବ୍ଦିକ ପରିବର୍ତ୍ତନ ନୁହେଁ, ତାହା ଥିଲା ଏକ ସଂସ୍କୃତି ଉନ୍ନତିର ନୂଆ ଅଧ୍ୟାୟ। ସାନ୍ତାଳ ସମାଜ ପାଇଁ ପଣ୍ଡିତ ମୁର୍ମୁ ଦେଖିଥିବା ପଥ ଆଜି ମଧ୍ୟ ଆଲୋକମୟ। ମୁଁ ଚାହେଁ ଯେ ଆମ ପିଢ଼ି ପିଢ଼ି ତାଙ୍କ ଦେଖିଥିବା ମୂଲ୍ୟବୋଧ, ଜ୍ଞାନ, ଓ ସଂସ୍କୃତି ପ୍ରତି ପ୍ରେମକୁ ଅନୁସରଣ କରୁ। ଅନ୍ୟ ଭାଷା, ଅନ୍ୟ ଧର୍ମ, ଅନ୍ୟ ସଂସ୍କୃତି ପାଇଁ ସମ୍ମାନ ଓ ଆତ୍ମସମ୍ମାନ ହେଉ ସାମ୍ପ୍ରଦାୟିକ ସମନ୍ୱୟର ମୂଳ ଶକ୍ତି। ତାଙ୍କ ଦର୍ଶନ ଓ ଆଦର୍ଶକୁ ଆଗେଇନେବା ଆମ ସମସ୍ତଙ୍କର ଦାୟିତ୍ୱ। ତାଙ୍କ ନାମରେ ଏକ ମେଡିକାଲ କଲେଜ୍ ଖୋଲାଯାଇଛି। ତାଙ୍କ ନାମରେ ଆହୁରି ଅଧିକ ଗବେଷଣା କେନ୍ଦ୍ର, ଶିକ୍ଷାନୁଷ୍ଠାନ ସ୍ଥାପିତ କରିବା ପାଇଁ ଆମେ ସଂକଳ୍ପବଦ୍ଧ ହେବା। ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସାନ୍ତାଳୀ ଭାଷା, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର କାର୍ଯ୍ୟକୁ ଆହୁରି ଜୋରଦାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାଛଡ଼ା ମୁଖ୍ୟମନ୍ତ୍ରୀ କହିଥିଲେ ରାଜ୍ୟ ସରକାର ରଘୁନାଥ ମୁର୍ମୁଙ୍କ ନାମକୁ ରାଜ୍ୟର ଶିକ୍ଷା ଓ ସଂସ୍କୃତି ନୀତିର ଏକ ଅଭିନ୍ନ ଅଂଶ କରିଛନ୍ତି। ତାଙ୍କ ଜୀବନ ଓ କାର୍ଯ୍ୟକୁ ସ୍ମରଣ କରି ଆମେ ଏକ ନୂଆ ପିଢ଼ିକୁ ଅନୁପ୍ରେରଣା ଦେଉଛୁ। ପଣ୍ଡିତ ମୁର୍ମୁଙ୍କ ସୃଷ୍ଟି ଓ ଚିନ୍ତାଧାରା ସମସ୍ତ ପିଢ଼ି ପାଇଁ ଏକ ଜୀବନ ଶିକ୍ଷା। ତାଙ୍କ ଜୀବନ ଆମକୁ ଶିଖାଏ ଯେ, ଯଦି ଆମେ ନିଜ ଭାଷା, ନିଜ ଚିନ୍ତାଧାରା ଓ ନିଜ ସଂସ୍କୃତି ପାଇଁ ସଚେତନ ଓ ସଂଘଠିତ ହେବୁ, ତେବେ କୌଣସି ଶକ୍ତି ଆମକୁ ପଛକୁ ଟାଣିପାରିବ ନାହିଁ। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ କହିଥିଲେ ଯେ ଗୋରୁ ଗୋମକେ ଗୋଟିଏ ଏମିତି ଫୁଲ ଥିଲେ, ଯିଏ ମଉଳିବା ପରେ ମଧ୍ୟ ନିଜ ସୁଗନ୍ଧ ପ୍ରସାରି ଚାଲିଛନ୍ତି। ସେହିପରି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ପଣ୍ଡିତ ମୁର୍ମୁଙ୍କୁ ଜଣେ ଅଲୌକିକ ଶକ୍ତିର ଅଧିକାରୀ ବୋଲି କହିଥିବା ବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ଏହି ଉତ୍ସବ ଯୋଗୁଁ ଆଜି ଇତିହାସ ପୁନର୍ଜିବିତ ହୋଇ ଉଠିଛି ବୋଲି କହିଥିଲେ। କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ପ୍ରସିଦ୍ଧ ସାନ୍ତାଳୀ ଭାଷା ଗବେଷକ ଚୂନଦା ସୋରେନଙ୍କୁ ଗୁରୁ ଗୋମକେ ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ କରିବା ସହିତ ଏକ ଲକ୍ଷ ଟଙ୍କା ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୀବନ ଉପରେ ଆଧାରିତ ଏକ ସ୍ମରଣିକା ଉନ୍ମୋଚନ କରାଯିବା ସହିତ ପଣ୍ଡିତ ମୁର୍ମୁଙ୍କ ବଂଶଜ ଚୁନିୟାନ ମୁର୍ମୁଙ୍କୁ ଓ ପ୍ରସିଦ୍ଧ ସାନ୍ତାଳୀ ଲେଖିକା ତଥା ପଦ୍ମଶ୍ରୀ ଡଃ ଦମୟନ୍ତୀ ବେଶରାଙ୍କୁ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ସାଂସଦ ମମତା ମହାନ୍ତ, ସାଂସଦ ନବଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ସାରସକଣା ବିଧାୟକ ଭାଦବ ହାଁସଦା, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ବାରିପଦା ବିଧାୟକ ପ୍ରକାଶ ସୋରେନ, ବଡ଼ସାହି ବିଧାୟକ ସନାତନ ବିଜୁଳି, ବାଙ୍ଗିରିପୋଷି ବିଧାୟିକା ସଞ୍ଜୀଳି ମୁର୍ମୁ, ପଣ୍ଡିତ ରଘୁନାଥ ମୁର୍ମୁ ଟ୍ରଷ୍ଟ ସମ୍ପାଦକ ଇଂ ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ମଞ୍ଚାସୀନ ଥିଲେ।ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ସ୍ୱାଗତଭାଷଣ ଦେଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ଧନ୍ୟବାଦ ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button