ଓଏସ୍‌ଏସ୍‌ସି ପ୍ରଶ୍ନପତ୍ର ଲିକ୍‌ ମାମଲା: ଆଉ ୮ ଗିରଫ

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ(ଓଏସ୍‌ଏସ୍‌ସି) ଦ୍ୱାରା ପରିଚାଳିତ ଜେଇଇ ସିଭିଲ୍‌ ମେନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ମାମଲାରେ ସମ୍ପୃକ୍ତ ଆଉ ୮ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲାର ୨ଜଣ ଶିକ୍ଷକ ଅଛନ୍ତି। ଏହି ମାମଲାରେ ମୋଟ ୨୫ଜଣ ଗିରଫ ହୋଇସାରିଲେଣି ବୋଲି ବାଲେଶ୍ୱର ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ଶନିବାର ଏସ୍‌ପି ଅଫିସ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବିଜୟ ମଲ୍ଲିକ, ଶାନ୍ତନୁ ମିଶ୍ର, ସନ୍ଦୀପ କୁମାର ମହାନ୍ତି, ପ୍ରଦୀପ ଶତପଥୀ, ନିରଞ୍ଜନ ବେହେରା, ଅଜୟ କୁମାର ବିଶ୍ୱାଳ, ରାଜୀବ ଲୋଚନ ସାହୁ, ସପନ କୁମାର ରାଉତ। ଏମାନଙ୍କଠାରୁ ୩୪ହଜାର ୭ଶହ ଟଙ୍କା ଜବତ ହୋଇଛି। ଗିରଫ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ ତଦନ୍ତ ଜାରି ରହିଛି ଓ ପରେ କାର୍ୟ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଏସ୍‌ପିଙ୍କ ସୂଚନା ଅନୁଯାୟୀ, ସହଦେବଖୁଣ୍ଟା ମଡ଼େଲ ଥାନାରେ ଓଏସ୍‌ଏସ୍‌ସି ପ୍ରଶ୍ନପତ୍ର ଲିକ୍‌ ମାମଲା (ନଂ. ୩୦୩/୨୩) ରୁଜୁ କରାଯାଇ ତନାଘନା କରାଯାଇଥିଲା। ପୂର୍ବରୁ ଗିରଫ ହୋଇଥିବା ମାଷ୍ଟରମାଇଣ୍ଡଙ୍କ ସହ ୧୭ଜଣଙ୍କ ମଧ୍ୟରେ ୩ଜଣ ସରକାରୀ ଅଧିକାରୀ ଥିଲେ। ସେମାନଙ୍କ ପାଇଁ ବିହାର ରାଜ୍ୟ ପାଟନାର ଆକାଉଣ୍ଟ ଜେନେରାଲ (ଏଜି), କନ୍ଧମାଳ ଓ ଯାଜପୁରର ଜିଲା ଶିକ୍ଷାଧିକାରୀଙ୍କୁ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ଲିଖିତ ଭାବେ ଜଣାଯାଇଥିଲା। ଶନିବାର ଗିରଫଙ୍କ ମଧ୍ୟରେ ବାଲେଶ୍ୱରର ଶିକ୍ଷକ ଅଜୟ କୁମାର ବିଶ୍ୱାଳ ଓ ବିଜୟ ମଲ୍ଲିକଙ୍କ ବିରୋଧରେ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ପାଇଁ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି। ତେବେ ଏହି ମାମଲାରେ ଅଧିକ ତଥ୍ୟ ହାସଲ ପାଇଁ ପୂର୍ବରୁ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିଶାଳ କୁମାର, ବୀରେନ୍ଦ୍ର ସିଂହ, ବିଜେନ୍ଦ୍ର କୁମାର, ପଟ୍ଟା ସୁନୀଲ, ସୁଶାନ୍ତ କୁମାର ସାହୁ, ଗୋବିନ୍ଦ ତ୍ରିପାଠୀ ପ୍ରମୁଖଙ୍କ ରିମାଣ୍ଡ ପାଇଁ ଅଦାଲତରେ ଆବେଦନ କରାଯାଇଛି ା ଏହାସହିତ ଓଡ଼ିଶା ବାହାରେ ଏକାଧିକ ସ୍ଥାନରୁ ତଥ୍ୟ ହାସଲ ପାଇଁ ସର୍ଚ୍ଚ ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କରାଯାଇଛି।

Related Articles

Leave a Reply

Your email address will not be published.

Back to top button