‘ବର୍ଷ ଏକ, ସଫଳତା ଅନେକ’: ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ୋକ୍ତି, ୨୪ ବର୍ଷ ନୁହେଁ, ୨୪ ମିନିଟ୍ରେ ସବୁ ସମ୍ଭବ

ଭୁବନେଶ୍ୱର:‘ସାଧାରଣ ଜନତା ଓ ସରକାରଙ୍କ ମଧ୍ୟରେ ଥିବା କୃତ୍ରିମ ପ୍ରାଚୀର ହୋଇଛି ଧୂଳିସାତ୍। ଆଜି ଯେ’କୌଣସି ଲୋକ ସେମାନଙ୍କ ମୁଖ୍ୟମନ୍ତ୍ରୀ ତଥା ମନ୍ତ୍ରୀମାନଙ୍କୁ ଅବାଧରେ ଭେଟି ପାରୁଛନ୍ତି। ଗତ ଏକବର୍ଷ ମଧ୍ୟରେ ସରକାର ରାଜ୍ୟର ପ୍ରତି ଜିଲ୍ଲାକୁ ଗସ୍ତକରି ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରତ୍ୟେକ୍ଷ ଭାବେ ଭେଟି ସେମାନଙ୍କ ସମସ୍ୟା ଶୁଣିଛି, ସୁଖଦୁଃଖରେ ସାମିଲ ହୋଇଛି। ‘ତୃତୀୟ ମହଲା’ ଲୋକଙ୍କ ଦୁଆର ମୁହଁକୁ ଯାଉଛି। ଏହା ହେଉଛି ଆମ ସୁଶାସନର ଏକ ନୂତନ ଦିଗ। ଆମେ ପ୍ରଥମ କ୍ୟାବିନେଟ୍ରେ ପ୍ରମାଣିତ କରିଛୁ ଯେ’ ଜନସେବା ପାଇଁ ୨୪ ବର୍ଷ ଶାସନର ଆବଶ୍ୟକ ନାହିଁ, ୨୪ ମିନିଟ୍ରେ ଅନେକ କିଛି କରିହେବ। କେବଳ ଇଚ୍ଛା ଶକ୍ତି ଥିବା ଦରକାର। ତେଣୁ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ର, ‘ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ’କୁ ପାଥେୟ କରି ଚାରିଗୋଟି ଜାତି ଯେପରିକି, ‘ଗରିବ, ଅନ୍ନଦାତା, ଯୁବକ ଓ ମହିଳା’ ପାଇଁ ଆମେ ନିରନ୍ତର କାର୍ଯ୍ୟ କରିବୁ।’ ମଙ୍ଗଳବାର ରାଜ୍ୟ ବିଜେପି ସରକାର ଗଠନ ହେବାର ଏକବର୍ଷ ପୂରଣର ୨ଦିନ ପୂର୍ବରୁ ଗଣମାଧ୍ୟମକୁ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ଥାନୀୟ ଜୟଦେବ ଭବନରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ ଏକବର୍ଷ ମଧ୍ୟରେ ଗଣମାଧ୍ୟମ ସରକାରଙ୍କ କାର୍ଯ୍ୟକ୍ରମର ରୂପରେଖ, ସଫଳତା ଓ ବିଭିନ୍ନ ସମସ୍ୟା ଆଦି ଲୋକଙ୍କୁ ଜଣାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। ଗଠନମୂଳକ ସମାଲୋଚନା ମାଧ୍ୟମରେ ବି ହେଉ, ସକାରାତ୍ମକ ମତାମତ ଦ୍ୱାରା ଆମ ସରକାରଙ୍କୁ ଚଳଚଞ୍ଚଳ କରି ରଖିବାରେ ଆପଣମାନଙ୍କର ଭୂମିକା ଉଲ୍ଲେଖଯୋଗ୍ୟ। ଏହି ସ୍ୱଳ୍ପ ସମୟ ଭିତରେ ଆମେ ରାଜ୍ୟର ସାଢ଼େ ଚାରିକୋଟି ଜନତାଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ଓ ସଫଳ ହୋଇଛୁ। ଏହାର ସବୁଠାରୁ ବଡ଼ ପ୍ରମାଣ ହେଉଛି ମାତ୍ର କିଛିଦିନ ଭିତରେ ସାଧାରଣ ଜନତା ନୂତନ ସରକାରକୁ ‘ଲୋକଙ୍କ ସରକାର’ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଭାବେ ଅଭିହିତ କରିଛନ୍ତି। ଏକ ବର୍ଷର ଏହି ସଫଳ ଯାତ୍ରାରେ ସବୁସ୍ତରରୁ ଆମକୁ ସହଯୋଗ ମିଳିଛି, ଶୁଭକାମନା ମିଳିଛି। ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଆମର ସବୁ ପ୍ରମୁଖ ପ୍ରତିଶ୍ରୁତିକୁ ଆମେ ପୂରଣ କରିପାରିଛୁ। ଆମର ପ୍ରତ୍ୟେକ କାର୍ଯ୍ୟକ୍ରମ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନ ରହିଛି। ଆମର ସବୁ ଉଦ୍ୟମରେ ସେ ଆମ ପାଖକୁ ଆସିଛନ୍ତି ଏବଂ ତାଙ୍କ ପ୍ରେରଣାରେ ଆମର ସବୁ କାର୍ଯ୍ୟକ୍ରମ ସଫଳତାର ଶୀର୍ଷରେ ପହଞ୍ଚିଛି। ଆଗାମୀ ୨୦ତାରିଖରେ ମଧ୍ୟ ସେ ଷଷ୍ଠଥର ପାଇଁ ଓଡ଼ିଶା ଆସିବେ ଏବଂ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ଆମକୁ ପ୍ରେରଣାଦେବେ। ତାଙ୍କର ଏହି ଅକୁଣ୍ଠ ସମର୍ଥନ ଏବଂ ନିରନ୍ତର ସହଯୋଗ ଓ ମାର୍ଗଦର୍ଶନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ହୃଦୟରୁ ଧନ୍ୟବାଦ ପ୍ରଦାନ କରୁଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତବର୍ଷ ଜୁନ୍ ୧୨, ୨୦୨୪ ସନ୍ଧ୍ୟାରେ ପ୍ରଥମ କ୍ୟାବିନେଟ୍ରେ ନିଆଯାଇଥିବା ୪ ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି ଯେପରିକି ସୁଭଦ୍ରା ଯୋଜନା, ଧାନକିଣା ବାବଦକୁ ଅଧିକ ୮୦୦ ଟଙ୍କା ପ୍ରଦାନ, ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ଏବଂ ୫୦୦ କୋଟି ଟଙ୍କାର କର୍ପସ୍ ଫଣ୍ଡ୍ ଗଠନ କରିବାରୁ ଆରମ୍ଭ ହୋଇଥିଲା। ଏହି ଉଦ୍ୟମ ଗତ ୧୨ମାସରେ ନିରନ୍ତର ଭାବେ ଜାରିରହିଛି ଏବଂ ଆମେ ପ୍ରାୟ ସବୁ ମୁଖ୍ୟ ପ୍ରତିଶ୍ରୁତି ପୂରଣ କରିବାରେ ସମର୍ଥ ହୋଇଛୁ। ମହିଳା ସଶକ୍ତିକରଣ ଦିଗରେ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟିକରି ଭାରତବର୍ଷରେ ପ୍ରଥମହେବା, କୃଷି କ୍ଷେତ୍ରରେ ସମୃଦ୍ଧ କୃଷି ଯୋଜନା ସହିତ ରେକର୍ଡ ୩୭ ହଜାର ୮୩୮ କୋଟି ଟଙ୍କାର ପ୍ରାବଧାନ, ଶିକ୍ଷା କ୍ଷେତ୍ରରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ତଥା ନୂତନ ଶିକ୍ଷା ନୀତିକୁ ଲାଗୁକରିବା ଏବଂ ଏଥିରେ ଶିଶୁ ବାଟିକାକୁ ଲାଗୁକରିବା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁକରିବା, ଭିତ୍ତିଭୂମି ପାଇଁ ରେକର୍ଡ ୬୫,୧୦୨ କୋଟି ଟଙ୍କାର ପ୍ରାବଧାନ, ଜନଜାତି ଏବଂ ଅନୁସୂଚିତ ଜାତି କଲ୍ୟାଣ ପାଇଁ ୬୮ ହଜାର ୮୮୧ କୋଟି ଟଙ୍କା ପ୍ରାବଧାନ ଆମ ସରକାରଙ୍କ ନୀତି ଓ ନିୟତକୁ ଦର୍ଶାଉଛି। ସବୁଠାରୁ ଉଲ୍ଲେଖନୀୟ ହେଉଛି, ଲୋକଙ୍କୁ ସୁଶାସନ ଦେବା ଏବଂ ଦୁର୍ନୀତି ବିରୁଦ୍ଧରେ ଲଢ଼େଇ କରିବା। ଆଜି ପିଅନଠାରୁ ଆରମ୍ଭକରି ଆଇଏସ୍ ପର୍ଯ୍ୟନ୍ତ କୌଣସି ଦୁର୍ନୀତିଗ୍ରସ୍ତ ଅଫିସର୍ ସୁରକ୍ଷିତ ନୁହନ୍ତି। ଯଦି ଦୁର୍ନୀତି କରିବ, ଜେଲ୍ ଯିବାକୁ ପଡ଼ିବ, ଦ୍ୱିତୀୟ ବିକଳ୍ପ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୬ ସୁଦ୍ଧା ଆମେ ରାଜ୍ୟର ୯୦ ପ୍ରତିଶତ ଲୋକଙ୍କୁ ପାଇପ ଯୋଗେ ପାନୀୟଜଳ ଯୋଗାଇଦେବା ପାଇଁ ଉଦ୍ୟମ ଆରମ୍ଭ କରିଛୁ। ଏଥିସହିତ ୫ ଲକ୍ଷ ଲୋକଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଗାଇଦେବୁ। ଏକ ବର୍ଷ ମଧ୍ୟରେ ସରକାରୀ ସ୍ତରରେ ପ୍ରାୟ ୨୮ହଜାର ନିଯୁକ୍ତି ଦେଇଛୁ। ଚଳିତବର୍ଷ ଆହୁରି ୪୦ହଜାର ନିଯୁକ୍ତି ଦେବୁ। ଭିତ୍ତିଭୂମି କ୍ଷେତ୍ରରେ ରେଳ, ଜାତୀୟ ରାଜପଥ ଏବଂ ବିମାନସେବା ସବୁଥିରେ ଉନ୍ନତି ଆସିଛି। ୨୦୩୬ ସୁଦ୍ଧା ନିଶ୍ଚିତ ଭାବେ ଓଡ଼ିଶା ଦେଶର ସର୍ବଶ୍ରେଷ୍ଠ ପାଞ୍ଚଗୋଟି ରାଜ୍ୟରେ ସ୍ଥାନ ପାଇବ। ଆମେ ଓଡ଼ିଶାକୁ ଏକ ୫୦୦ ନିୟୁତ ଆମେରିକୀୟ ଡଲାର୍ ଅର୍ଥନୀତିରେ ପରିଣତ କରିବୁ। ୨୦୩୬ ସୁଦ୍ଧା ଓଡ଼ିଶା ହେବ ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ମୋଦୀଜୀଙ୍କ ପରିକଳ୍ପିତ ବିକଶିତ ଭାରତ ଗଢ଼ିବାରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଓଡ଼ିଶା ଯେପରି ସବୁ ରାଜ୍ୟମାନଙ୍କ ପାଇଁ ଆଦର୍ଶ ହେବ, ସେଥିପାଇଁ ଆମେ ପରିଶ୍ରମ କରିଚାଲିଛୁ। ସେ ପରିଶ୍ରମର ସୁଫଳ ମିଳିବା ଆରମ୍ଭ କରିଛି। ଓଡ଼ିଶା ଧିରେ ଧିରେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଆଦର୍ଶ ସୃଷ୍ଟିକରି ଚାଲିଛି। ତେଣୁ ଗୁଡ୍ ଗଭର୍ଣ୍ଣାସ୍ରେ ଓଡ଼ିଶା ଏବେ ସାରାଦେଶରେ ଏକ ମଡେଲ୍। ଗୋଟିଏ ବର୍ଷରେ ଆମେ ଅନେକ ସଫଳତା ପାଇଛୁ। ‘ବର୍ଷ ଏକ, ସଫଳତା ଅନେକ’ବୋଲି ମୁଖ୍ୟମନ୍ତ୍ରୀ ବାରମ୍ବାର ଦୋହରାଇଥିଲେ।