ବେଳାଭୂମିରେ ମାଳମାଳ ଅଲିଭ୍‌ ରିଡ୍‌ଲେ ଶବ

ପୁରୀ: ଦେବୀ ମୁହାଣ ମୁହାଣ ଓ କୋଣାର୍କ ବେଳାଭୂମି ପରେ ଏବେ ପୁରୀ ବେଳାଭୂମିରେ ଅଲିଭ୍‌ ରିଡ୍‌ଲେଙ୍କ ଶବ ଲାଗିଛି। ମାଛ ଧରିବା ପାଇଁ ନିଷିଦ୍ଧ ଘୋଷଣା ହୋଇଥିବା ସ୍ଥାନରେ ପ୍ରତିଦିନ ଟ୍ରଲର୍‌ ବୁଲୁଥିବା ଦେଖିବାକୁ ମିଳୁଥିଲେ ହେଁ ଏଥିରେ ରୋକ ଲଗାଯାଇପାରୁନାହିଁ। ମୋଟର ବୋଟ୍‌ ଚଳାଚଳ ନିଷିଦ୍ଧ ଘୋଷଣା ପାଇଁ ସୀମା ନିର୍ଦ୍ଧାରଣ ହୋଇଥିଲେ ହେଁ ନିଷିଦ୍ଧାଞ୍ଚଳ ଭିତରେ ସାମୁଦ୍ରିକ ପଥରେ ଜାଲ ବିଛା ହୋଇରହୁଛି। ଫଳରେ ପ୍ରତିଦିନ ଅଲିଭ୍‌ ରିଡ୍‌ଲେ ଜାଲରେ ଛନ୍ଦି ହୋଇ ମୃତ୍ୟୁବରଣ କରୁଛନ୍ତି। ଉପକୂଳରୁ ୨୦ କିଲୋମିଟର ମଧ୍ୟରେ କଇଁଛମାନେ ସମବେତ ହୋଇ ଭାସମାନ ଅବସ୍ଥାରେ ୪୫ ରୁ ୬୦ ଦିନ ଧରି ପ୍ରଜନନ କରୁଥିବା ବେଳେ ସେମାନଙ୍କୁ ଭାସିବା ଅବସ୍ଥାରେ ହତ୍ୟା କରାଯାଉଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନଭେମ୍ବର ୧ ତାରିଖରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି। ନିର୍ଦ୍ଦିଷ୍ଟ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇ ଟ୍ରଲର୍‌ଗୁଡ଼ିକୁ ସେଠାକୁ ଯିବା ଲାଗି ବାରଣ କରାଯାଇଛି। ହେଲେ କଟକଣା ତା’ବାଟରେ, ପ୍ରଶାସନ ଅନ୍ୟ ବାଟରେ। ଏହାର ସୁଯୋଗ ନେଇ ଟ୍ରଲର୍‌ଗୁଡ଼ିକ ନିଷିଦ୍ଧାଞ୍ଚଳରେ ବାରମ୍ବାର ପ୍ରବେଶ କରିବା ସହ ଅଲିଭ୍‌ ରିଡ୍‌ଲେଙ୍କ ମୃତ୍ୟୁର କାରଣ ସାଜୁଛନ୍ତି। ଅଲିଭ୍‌ ରିଡ୍‌ଲେ ଗଣ ଅଣ୍ଡାଦାନ ପାଇଁ ଋଷିକୂଲ୍ୟା, ଗହୀରମଥା ଓ ଦେବୀ ନଦୀ ମୁହାଣକୁ ମାଇଲ୍‌ ମାଇଲ୍‌ ଦୂରରୁ ଆସି ପହଞ୍ଚୁଛନ୍ତି। ଯେଉଁମାନେ ବେଳାଭୂମି ନିକଟବର୍ତ୍ତୀ ଅଞ୍ଚଳକୁ ଆସୁଛନ୍ତି ସେମାନଙ୍କ ମୃତ୍ୟୁର ସାମ୍ନା କରିବାକୁ ପଡ଼ୁଛି। ସୂଚନା ଅନୁଯାୟୀ, ପ୍ରତ୍ୟକ ଦିନ ୫୦ରୁ ଅଧିକ ଅଲିଭ୍‌ ରିଡ୍‌ଲେଙ୍କ ଶବ ଉପକୂଳରେ ଲାଗୁଛି। ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ପାଇଁ ୨୪ ଘଣ୍ଟିଆ ପ୍ରହରା ବ୍ୟବସ୍ଥା ବନବିଭାଗ ପକ୍ଷରୁ କରାଯାଇଛି। କିନ୍ତୁ ଏବେ ଏହି ଉପକୂଳ ଅଲିଭ୍‌ ରିଡ୍‌ଲେଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି। ୨୨ କିଲୋମିଟର ଅଞ୍ଚଳରେ ପ୍ରତ୍ୟକ ଦିନ ୫୦ରୁ ଅଧିକ ଅଲିଭ୍‌ ରିଡ୍‌ଲେଙ୍କ ଶବ ଲାଗୁଛି। ଗତ ଦୁଇ ବର୍ଷ ହେଲା ବନ ବିଭାଗ ଯେତିକି ଅଣ୍ତା ସଂଗ୍ରହ କରିଛି ତାଠାରୁ ଅଧିକ ଶବ ଗୋଟାଇଛି। ଏହା ପୂର୍ବରୁ ଅର୍ଥାତ ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ବନ ବିଭାଗ କେବଳ ଅଲିଭ୍‌ ରିଡ୍‌ଲେଙ୍କ ଶବ ଗୋଟାଇବାରେ ରେକର୍ଡ କରିଥିଲା।

Related Articles

Leave a Reply

Your email address will not be published.

Back to top button