ନୂଆପଡ଼ା ଉପନିର୍ବାଚନ :ବ୍ୟବହାର ହେବ ହେଲିକପ୍ଟର, ମୁତୟନ ହେବେ ୧୪ କମ୍ପାନୀ ସେଣ୍ଟ୍ରାଲ ଆର୍ମ ଫୋର୍ସ

ଭୁବନେଶ୍ୱର,: ନୂଆପଡ଼ା ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର। ମାଓପ୍ରବଣ ଅଞ୍ଚଳରେ ଥିବା ୪୭ଟି ସମ୍ବେଦନଶୀଳ ବୁଥ୍ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତେବେ ଉପନିର୍ବାଚନ ବେଳେ ଦୁର୍ଗମ ଅଞ୍ଚଳର ୫ଟି ସ୍ଥାନରେ ୮ଟି ବୁଥ୍‌ରେ ହେଲିକପ୍ଟର ବ୍ୟବହାର ହେବ। ଯେଉଁଥିରେ ପୋଲିଂ ଅଧିକାରୀମାନେ ଭୋଟିଂ ସାରି ଫେରିବେ। ଏହାଛଡ଼ା ଲୋକଙ୍କୁ ନେବା ଆଣିବାରେ ବି ହେଲିକପ୍ଟର ବ୍ୟବହାର ହେବ। ସୋମବାର ନୂଆପଡ଼ା ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥ ଗୋପାଳନ। ନୂଆପଡ଼ା ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହ ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ନୂଆପଡ଼ା ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ। ତେବେ ଅଦ୍ୟାବଧି କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରକ୍ରିୟା ଚାଲିବ। ୨୨ରେ ପ୍ରାର୍ôଥପତ୍ର ଯାଞ୍ଚ ଓ ୨୪ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିଛି। ଏହାସହ ନଭେମ୍ବର ୧୧ ତାରିଖରେ ଭୋଟ ଗ୍ରହଣ ଓ ୧୪ ତାରିଖରେ ଗଣତି ସହ ଫଳାଫଳା ଘୋଷଣ କରାଯିବ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥ ଗୋପାଳନ କହିଛନ୍ତି ଯେ ମତଦାନ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି।ନୂଆପଡା ନିର୍ବାଚନ ମଣ୍ଡଳୀରେ ଗତ ସାଧାରଣ ନିର୍ବାଚନରେ ୩୦୨ ମତଦାନ କେନ୍ଦ୍ର ରହିଥିଲା। ଏହାକୁ ସଂଶୋଧନ କରି ଭୋଟରଙ୍କ ସୁବିଧା ଦୃଷ୍ଟିରୁ ଆଉ ୫୬ଟି ମତଦାନ କେନ୍ଦ୍ର ବୃଦ୍ଧି କରାଯାଇଛି। ଚଳିତ ଉପନିର୍ବାଚନରେ ଜିଲ୍ଲା ପ୍ରଶାସନ ସମୁଦାୟ ୩୫୮ଟି ମତଦାନ କେନ୍ଦ୍ର ସ୍ଥିର। ମାଓପ୍ରବଣ ଅଞ୍ଚଳରେ ଥିବା ୪୭ଟି ସମ୍ବେଦନଶୀଳ ବୁଥ୍ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୮ଟି ବୁଥ ପାଇଁ ହେଲିକପ୍ଟର ବ୍ୟବସ୍ଥା ହୋଇଛି। ନୂଆପଡ଼ାରେ ନିର୍ବାଚନ ସମୟରେ ୧୪ କମ୍ପାନୀ ସେଣ୍ଟ୍ରାଲ ଆର୍ମ ଫୋର୍ସ ମୁତୟନ ହେବେ। ଅନ୍ୟପକ୍ଷରେ ବାମପନ୍ଥୀ ଉଗ୍ରବାଦୀ ପ୍ରବଣ ଅଞ୍ଚଳର ୪୭ଟି ବୁଥ୍‌ରେ ସକାଳ ୭ଟାରୁ ଅପରାହ୍ଣ ୪ ଟା ପର୍ଯ୍ୟନ୍ତ ଭୋଟଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ବାକି ବୁଥ୍‌ଗୁଡ଼ିକରେ ସକାଳ ୭ ରୁ ଅପରାହ୍ଣ ୫ ଟା ପର୍ଯ୍ୟନ୍ତ ଭୋଟିଂ ହେବ। ସେହିଭଳି କୌଣସି ଅସୁବିଧା ହେଲେ ଅଭିଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ଟୋଲଫ୍ରି ନମ୍ବର ଜାରି କରିବ। ପ୍ରତ୍ୟେକ ମତଦାନ କେନ୍ଦ୍ରର ସୁରକ୍ଷା ପାଇଁ ସିସିଟିଭି ଲଗାଯିବ। ନଭେମ୍ବର ୧୬ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button