ଏଣିକି ରାଜଧାନୀର କୌଣସି ଛାତ ଉପରେ ରହିବନି ହୋର୍ଡିଂ

ଭୁବନେଶ୍ବର : ଏଣିକି ରାଜଧାନୀର କୌଣସି ଛାତ ଉପରେ ରହିବନି ହୋର୍ଡିଂ । ହୋର୍ଡିଂ ହଟାଇବା ବିଏମସି ପୂର୍ବରୁ ଅନେକ ଥର ନୋଟିସ ଜାରି କରିଥିଲେ ବି ତାହା କାର୍ୟ୍ୟକାରୀ ହୋଇପାରିନି । ଫଳରେ ଅସୁରକ୍ଷିତ ହୋର୍ଡ଼ିଂକୁ ନେଇ ଲୋକଙ୍କ ମଧ୍ୟରେ ଲାଗି ରହିଥିଲା ଅସନ୍ତୋଷ । ବେନିୟମ ହୋର୍ଡିଂ ଯୋଗୁଁ ବିଏମସିକୁ ମଧ୍ୟ ରାଜସ୍ୱ କ୍ଷତି ସହିବାକୁ ପଡୁଥିଲା । ବିଳମ୍ବରେ ହେଲେ ବି ପଦକ୍ଷେପ ନେଇଛି ବିଏମସି । ହୋର୍ଡିଂ ହଟାଇବା ନେଇ ଏକ ଘରୋଇ ସଂସ୍ଥାକୁ ଦିଆଯାଇଛି ଦାୟିତ୍ୱ । ବିଏମସିର ବିଜ୍ଞାପନ ନୀତି ଅନୁଯାୟୀ, ଛାତ ଉପରେ ଲାଗିଥିବା ସମସ୍ତ ହୋର୍ଡିଂ ବେଆଇନ। ତେଣୁ ରାଜଧାନୀବାସୀଙ୍କ ସୁରକ୍ଷା ଓ ସହରର ସୌନ୍ଦର୍ୟ୍ୟକରଣକୁ ଦୃଷ୍ଟିରେ ରଖି ଏହି ସବୁ ବେଆଇନ ହୋର୍ଡିଂକୁ ଉଚ୍ଛେଦ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।ବହୁ ପୁରୁଣା ଘରର ଛାତ ଉପରେ, ଜନଗହଳି ପୂର୍ଣ ସ୍ଥାନରେ ଲୁହାର ଫ୍ରେମରେ ନିର୍ମାଣ ଏସବୁ ହୋର୍ଡିଂ ବିପଦପୂର୍ଣ୍ଣ । ଯେକୌଣସି ମୁହୂର୍ତ୍ତରେ କିଛି ବି ଅଘଟଣ ଘଟିପାରେ । ବେନିୟମ ତଥା ଅସୁରକ୍ଷିତ ଅବସ୍ଥାରେ ଥିବା ହୋର୍ଡିଂ ଯୋଗୁଁ ବିଏମସି ରାଜସ୍ୱ ମଧ୍ୟ ହରାଉଛି । ପୂର୍ବରୁ ହୋର୍ଡିଂ ହଟାଇବା ନେଇ ବିଜ୍ଞାପନ ସଂସ୍ଥା ଓ ସମ୍ପୃକ୍ତ ଗୃହ ମାଲିକଙ୍କୁ ନୋଟିସ ଦେଇଥିଲା ବିଏମସି । ନୋଟିସ ଅବଧି ଶେଷ ପରେ ଏବେ ଆକ୍ସନ ମୋଡ଼କୁ ଆସିଛନ୍ତି ବିଏମସି କର୍ତ୍ତୃପକ୍ଷ । ଏକ ଘରୋଇ ସଂସ୍ଥାକୁ ହୋର୍ଡିଂ ହଟାଇବା ପାଇଁ ନିୟୋଜିତ କରାଯାଇ ତୁରନ୍ତ କାର୍ୟ୍ୟକାରୀ କରିବାକୁ କୁହାଯାଇଛି । ବିଏମସିର ରାଜସ୍ବ ଆୟର ଅନ୍ୟତମ ପ୍ରମୁଖ ଉତ୍ସ ହେଉଛି ହୋର୍ଡିଂ। ତେବେ ବିନିୟମ ହୋର୍ଡିଂରୁ ବିଏମସିକୁ ଟଙ୍କାଟିଏ ଆୟ ହେବା ତ ଦୂରର କଥା ବରଂ ବେଶୀ ବଦନାମ ହେବାକୁ ପଡୁଛି । ଲୋକଙ୍କ ଦାବି ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ମେୟର ଓ କମିଶନର ନେଇଥିବା ପଦକ୍ଷେପକୁ ସ୍ୱାଗତ କରିଛନ୍ତି କର୍ପୋରେଟର ଓ ବୁଦ୍ଧିଜୀବୀ । ତେବେ ପୂର୍ବ ଭଳି କେବଳ ନୋଟିସ ଜାରି କରି ଚୁପ ନବସି ଏହାକୁ ତୁରନ୍ତ କାର୍ୟ୍ୟକାରୀ କରିବାକୁ ଦାବି ହୋଇଛି । କେବଳ ହୋର୍ଡିଂ ନୁହେଁ ବରଂ ଘର ଛାତ ଉପରେ ଥିବା ବେନିୟମ ଟାୱାର, ରାସ୍ତାକଡ଼ ଗଛ, ବିଦ୍ୟୁତ ଖୁଣ୍ଟ ଓ ପ୍ରାଚୀରରେ ଲାଗୁଥିବା ବିଜ୍ଞାପନ ପୋଷ୍ଟର ଉପରେ ମଧ୍ୟ ବିଏମସିର କାର୍ୟ୍ୟାନୁଷ୍ଠାନ ନେବ। କାରଣ ଏହାସବୁ ସହରର ସୌନ୍ଦର୍ୟ୍ୟ ନଷ୍ଟ କରୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button