ନବୀନଙ୍କୁ ଭେଟିଲେ ନୀତିଶ କୁମାର

ଭୁବନେଶ୍ୱର: ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାର ଆଜି ମଧ୍ୟାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ପରେ ସାମ୍ବାଦିକମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ପୁରୀରେ ବିହାର ଭବନ ପାଇଁ ଓଡିଶା ସରକାର ବିହାର ସରକାରଙ୍କୁ ଦେଢ ଏକର ଜମି ମାଗଣାରେ ଯୋଗାଇ ଦେବେ। ଜଗନ୍ନାଥ ଧାମ ପୁରୀକୁ ଆସୁଥିବା ବିହାରର ଲୋକମାନଙ୍କ ରହଣି ସୁବିଧା ପାଇଁ ବିହାର ସରକାର ବିହାର ଭବନ ନିର୍ମାଣ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏହି ଘୋଷଣା ପାଇଁ ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ। ଶ୍ରୀ ନୀତିଶ କୁମାର ଆଜି ମଧ୍ୟାହ୍ନରେ ସିଧା ବିମାନ ବନ୍ଦରକୁ ଆସି ନବୀନ ନିବାସରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିହାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଥିଲେ। ତେବେ ରାଜନୈତିକ ସଂପର୍କରେ କଣ ଆଲୋଚନା ହେଲା ବୋଲି ସାମ୍ବାଦିକମାନେ ପଚାରିବା ପରେ ଏ ନେଇ ଉଭୟ ଏଡାଇ ଯାଇଥିଲେ। ନବୀନ କହିଥିଲେ ଯେ, ଆମେ ଦୁହେଁ ପୁରୁଣା ବନ୍ଧୁ। ଏକାଠି କେନ୍ଦ୍ରରେ ମନ୍ତ୍ରୀ ରହିଥିଲୁ। ମେଣ୍ଟ ସଂପର୍କରେ କୌଣସି ଆଲୋଚନା ହୋଇ ନାହିଁ ବୋଲି ନବୀନ ପଟ୍ଟନାୟକ କହିଥିଲେ। ଅନ୍ୟପକ୍ଷରେ ନୀତିଶ କୁମାର ମଧ୍ୟ ଏହି ମେଣ୍ଟ ପ୍ରସଂଗକୁ ଏଡାଇ ଯାଇଥିଲେ। ସେ କହିଥିଲେ ଯେ, ମୁଁ ମୋର ପୁରୁଣା ବନ୍ଧୁଙ୍କୁ ଭେଟିବାକୁ ଆସିଥିଲି। ତାଙ୍କର ପିତା ବିଜୁ ପଟ୍ଟନାୟକଙ୍କର ମୁଁ ନିକଟତର ଥିଲି। ନବୀନବାବୁ ମୋର ପୁରୁଣା ବନ୍ଧୁ। ତାଙ୍କ ସହିତ ବହୁ ବର୍ଷ ଧରି ଦେଖା ହୋଇ ନ ଥିଲି। ସେଥିପାଇଁ ଆସିଥିଲି ବୋଲି ନୀତିଶ କହିଥିଲେ। ନୀତିଶ କୁମାର ବିଜେପି ବିରୋଧରେ ଏକ ମହାମେଣ୍ଟ କରିବା ପାଇଁ ମହାଅଭିଜାନ ଆରମ୍ଭ କରିଛନ୍ତି। ସେଥିରେ ସେ ବହୁ ବିଜେପି ବିରୋଧୀ ନେତାଙ୍କୁ ସାକ୍ଷାତ କରିଛନ୍ତି।

Related Articles

Leave a Reply

Your email address will not be published.

Back to top button