୧୫ ଦିନ ଭିତରେ ନୂଆ ଅବକାରୀ ନୀତି

ଭୁବନେଶ୍ୱର : ଆଗାମୀ ୧୫ ଭିତରେ ନୂଆ ଅବକାରୀ ନୀତି ଅଣାଯିବ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ତାହା ଲାଗୁ ହେବ। ପୁରୁଣା ଅବକାରୀ ନୀତିକୁ ଆଉ ମାସେ ବୃଦ୍ଧି କରାଯାଇଛି। ସୋମବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ପ୍ରତିବର୍ଷ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ରାଜ୍ୟ ସରକାର ନୂଆ ଅବକାରୀ ନୀତି ଘୋଷଣା କରିଥାନ୍ତି। ତେବେ ଚଳିତବର୍ଷ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ୧ରୁ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ଅବକାରୀ ନୀତି ଘୋଷଣା କରିଥିଲେ। ନୂଆ ସରକାର ପ୍ରଥମେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ପୁଣି ପୁରୁଣା ଅବକାରୀ ନୀତିର ଅବଧି ଆଉ ମାସେ ବୃଦ୍ଧି କରାଯାଉଛି। ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ନୂଆ ଅବକାରୀ ନୀତି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ୧୫ ଭିତରେ କାର୍ଯ୍ୟ ଶେଷହେବ। ନୂଆ ନୀତି ଆସିଲେ ରାଜ୍ୟରେ ନୂଆ ମଦ ଦୋକାନ ଖୋଲିବା ଉପରେ କଟକଣା ଓ ପର୍ଯ୍ୟାୟକ୍ରମେ ମଦ ଦୋକାନ ସଂଖ୍ୟା ହ୍ରାସ ପାଇବ। ‘ଲଟେରୀ ସିଷ୍ଟମରେ ୫ ବର୍ଷିଆ ଲାଇସେନ୍ସ’ ଆଦିରେ ବ୍ୟାପକ ପରିବର୍ତ୍ତନ ହେବ। ରାଜସ୍ୱ ସଂଗ୍ରହ ପାଇଁ ଅବକାରୀ ଟିକସ ଉପରେ ନିର୍ଭରଶୀଳତା କମ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସ୍ପଷ୍ଟ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button