ସତ୍ୟବାଦୀରେ ଚାଷୀଙ୍କୁ ଭେଟିଲେ ନବୀନ: ଚାଷୀଙ୍କୁ ତୁରନ୍ତ ସାହାଯ୍ୟ କରିବାକୁ ସରକାରଙ୍କୁ କଲେ ଦାବି
ଭୁବନେଶ୍ବର: ଆଜି ୨୦୨୪ ମସିହାର ଶେଷ ଦିନରେ ସତ୍ୟବାଦୀ ଗସ୍ତ କରି ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଧାନକ୍ଷେତର ସ୍ଥିତି ପରଖିଛନ୍ତି। ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଶୁକଳ ପଞ୍ଚାୟତ ମେଳଣ ପଡ଼ିଆରେ ଆଜି ପୂର୍ବାହ୍ନରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିଥିଲେ। ହଜାର ହଜାର ଲୋକ ନବୀନଙ୍କୁ ଦେଖିବାକୁ ସେଠାରେ ରୁଣ୍ଡ ହୋଇଥିଲେ। ନବୀନ ମଧ୍ୟ ଚାଷୀମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ମୋହନ ସରକାରଙ୍କ ନିକଟରେ ଦାବି କରିଥିଲେ। ନବୀନଙ୍କ ଏହି ଗସ୍ତ ବେଳେ ପୁରୀ ଜିଲ୍ଲା ବିଜେଡି ନେତା ଉମାକାନ୍ତ ସାମନ୍ତରାୟ, ସଞ୍ଜୟ ଦାସବର୍ମା, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ରୁଦ୍ର ମହାରଥି, ରାଜ୍ୟସଭା ସଦସ୍ୟ ସୁଭାଶିଷ ଖୁଣ୍ଟିଆ, ପୁରୀ ବିଧାୟକ ସୁନୀଲ ମହାନ୍ତି, ସତ୍ୟବାଦୀ ବ୍ଲକ୍ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ପ୍ରମୂଖ ଉପସ୍ଥିତ ରହିଥିଲେ। ନବୀନଙ୍କ ଏହି ଗସ୍ତରେ ପ୍ରବଳ ଜନସମାଗମ ରାଜନୀତି ପାଣିପାଗକୁ ସରଗରମ କରିଛି।