ନବ ଦାସଙ୍କ ହତ୍ୟା ମାମଲା: ତୃତୀୟ ଦିନରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚର ତଦନ୍ତ ତୃତୀୟ ଦିନରେ ପହଞ୍ଚିଛି । କ୍ରାଇମ୍‌ବ୍ରାଞ୍ଚ ଏହି ମାମଲାର ତଦନ୍ତ ପାଇଁ ତୃତୀୟ ଟିମ୍ ଗଠନ କରିଥିଲା ବେଳେ ଘଟଣାସ୍ଥଳରେ ଲେଜର ସ୍କାନିଂ କରାଯାଇଛି । ଅନ୍ୟପକ୍ଷରେ ଗୋପାଳଙ୍କ ବଡ ଭାଇ ସତ୍ୟ ନାରାୟଣ ଦାସଙ୍କୁ ସନ୍ଦେହରେ କ୍ରାଇମ୍‌ବ୍ରାଞ୍ଚ ଉଠାଇ ନେଇ ପଚରାଉଚରା ଚଳାଇଛି । ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ମଧ୍ୟ ବ୍ୟବଚ୍ଛେଦ ରିପୋର୍ଟ ଦାଖଲ କରିଛନ୍ତି ।
କ୍ରାଇମ୍‌ବ୍ରାଞ୍ଚ ସୂଚନା ମୁତାବକ ନୂତନ ତଦନ୍ତକାରୀ ଟିମ୍‌ରେ ୮ ଜଣ ସଦସ୍ୟ ରହିଛନ୍ତି । ଯାହାର ଜଣେ ଡିଏସ୍‌ପି ସ୍ତରୀୟ ଅଧିକାରୀ ବାସୁଦେବ ଭୁୟାଁ ନେତୃତ୍ୱ ନେବେ । ଏହି ଟିମ୍ ସଦସ୍ୟମାନେ ଅଭିଯୁକ୍ତ ଏବଂ ସାକ୍ଷୀଙ୍କୁ ପଚରାଉଚରା କରିବେ । ଅନ୍ୟ ପକ୍ଷରେ ଫରେନ୍‌ସିକ୍ ଟିମ୍ ଗାନ୍ଧୀଛକ ସ୍ଥିତ ଗୁଳିମାଡ ସ୍ଥଳରେ ଥ୍ରୀ ଡି ଲେଜର ସ୍କାନିଂ କରିଛି । ଅତ୍ୟାଧୂନିକ ଜ୍ଞାନ କୌଶଳରେ ନର୍ମିତ ଏହି ଯନ୍ତ୍ର ସାହାଯ୍ୟରେ ସମସ୍ତ ଦିଗରୁ ଘଟଣାସ୍ଥଳର ଫଟୋ ନିଆଯାଇଛି । ଯାହାକୁ ପରବର୍ତ୍ତି ସମୟରେ ତଦନ୍ତକାରୀ ଟିମ୍ ତର୍ଜମା କରିବେ । ଫଟୋ ଉତ୍ତୋଳନ ସମୟରେ ଗାନ୍ଧୀଛକ ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଥିଲା । ସେହିପରି ନବ ଦାସଙ୍କ ଡ୍ରାଇଭର ଏବଂ ପିଏସ୍‌ଓଙ୍କୁ ମଧ୍ୟ ଆଜି ପଚରାଉଚରା କରାଯାଇଛି । କେଉଁ ପରିସ୍ଥିତିରେ ଗୋପାଳ ସ୍ୱାସ୍ଥମନ୍ତ୍ରୀଙ୍କୁ ଗୁଳି କରିଥିଲେ, ସେତେବେଳେ ସେମାନେ କ’ଣ କରୁଥିଲେ, ଉଭୟଙ୍କୁ ଏନେଇ ପ୍ରଶ୍ନ କରିଛନ୍ତି କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ସେହିପରି ତାଙ୍କ ବନ୍ଧୁକରୁ ବାହାରିଥିବା ଗନ୍ ପାଉଡର ସହ ଗୋପାଳଙ୍କ ହ୍ୟାଣ୍ଡ ସ୍ୱାବ୍‌କୁ ସାଇଣ୍ଟିଫିକ୍ ଲ୍ୟାବରେ ମେଳ କରାଯିବ ବୋଲି ସାଇଣ୍ଟିଫିକ୍ ଏକ୍ସପଟ୍ କହିଛନ୍ତି । ଏଥିରୁ ସ୍ପଷ୍ଟ ହେବ ତାଙ୍କ ସର୍ଭିସ ରିଭରଭଲରୁ ବାହାରିଥିବା ଗୁଳିରେ ନବ ଦାସଙ୍କୁ ହତ୍ୟା କରାଯାଇଛି କିମ୍ବା ଅନ୍ୟ କୌଣସି ବନ୍ଧୁକ ଗୁଳିରେ କରାଯାଇଛି ।
ଗୋବଳଙ୍କ ବଡ଼ ଭାଇ ସତ୍ୟ ନାରାୟଣ ଦାସ ଏବେ କ୍ରାଇମ୍‌ବ୍ରାଞ୍ଚ ସ୍କାନରରେ । ଗୋପାଳଙ୍କ ସହ ଏହି ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ସନ୍ଦେହରେ କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ଉଠାଇ ନେଇଛି । ସେ ବ୍ରଜରାଜନଗରରେ ଏକ ଭଡା ଘରେ ହୋଟେଲ ଖୋଲିଥିଲେ । ଯାହାର ନାମ ଥିଲା ବ୍ରହ୍ମପୁର ହୋଟେଲ । ଯେଉଁଠାରେ ମିଲ୍ସ, ଫାଷ୍ଟଫୁଡ ସହ ଆଚାର ଏବଂ ପାମ୍ପଡ ବ୍ୟବସାୟ କରୁଥିଲେ । ତାଙ୍କର ଏହି ହୋଟେଲ ଗୁଳିକାଣ୍ଡ ପୂର୍ବରୁ ବନ୍ଦ ରହିଥିଲା । ଗୁଳିକାଣ୍ଡ ପରେ ହୋଟେଲ ଆଉ କେବେବି ଖୋଲି ନ ଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ବନ୍ଧୁବାନ୍ଧବ ଘରକୁ ଯାଇଥିବାରୁ ହୋଟେଲ ବନ୍ଦ ରହିଥିବା ନେଇ ହୋଟେଲକୁ ଖାଇବାକୁ ଯାଉଥିବା ଲୋକଙ୍କୁ କୁହାଯାଇଥିଲା । ଘଟଣାର ଗୋଟିଏ ଦିନ ପୂର୍ବରୁ ସତ୍ୟନାରାୟଣ ବ୍ରଜରାଜନଗରରୁ ବ୍ରହ୍ମପୁରକୁ ଫେରିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଆଜି ଅପରାହ୍ନ ୧୨ଟା ୪୫ରେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ଜଳେଶ୍ୱରପୁରରେ ଥିବା ଏଏସ୍‌ଆଇ ଗୋପାଳଙ୍କ ପୈତୃକ ଘରେ ପହଞ୍ଚିଥିଲେ । ଏହି ଟିମ୍ ଗୋପାଳଙ୍କ ସ୍ତ୍ରୀ ଜୟନ୍ତୀ ଦାସ, ପୁଅ ମନୋଜ ଦାସ, ଝିଅ ପ୍ରିୟଙ୍କା ଦାସ ଓ ଭାଇ ସତ୍ୟନାରାୟଣ ଦାସଙ୍କୁ ଘରେ ଜେରା କରିଥିଲା । ମନ୍ତ୍ରୀଙ୍କ ହତ୍ୟାକାଣ୍ଡ ପଛରେ କ’ଣ କାରଣ ରହିଛି ଏବଂ ଏଥିରେ ପରିବାରର ସଦସ୍ୟଙ୍କର କାହାର ହାତ ରହିଛି ନା ନାହିଁ, ଗୋପାଳ ମନ୍ତ୍ରୀ ନବକିଶୋରଙ୍କୁ ଗୁଳି କରିବା ପୂର୍ବରୁ ତାଙ୍କ ପରିବାର ସହ କ’ଣ କ’ଣ କଥା ହୋଇଥିଲେ, ଏଭଳି ଘଟଣା ଘଟାଇବାକୁ ଆଗରୁ କେବେ ସେ ଚେଷ୍ଟା କରିଛନ୍ତି କି ନାହିଁ, ଏ ସମ୍ପର୍କରେ ସେ ତାଙ୍କ ସ୍ତ୍ରୀଙ୍କୁ କେବେ କହିଛନ୍ତି କି ନାହିଁ, ପରିବାରର ସଦସ୍ୟଙ୍କ ସହ ତାଙ୍କର କିଭଳି ସମ୍ପର୍କ ରହିଛି, ସେ ଗ୍ରାମରେ କାହା କାହା ସହ ଅଧିକ ମିଳାମିଶା କରୁଥିଲେ ଏବଂ ଏଏସ୍‌ଆଇ ଗୋପାଳଙ୍କ ସହ ତାଙ୍କ ଭାଇ ସତ୍ୟନାରାୟଣଙ୍କ ସମ୍ପର୍କ କିଭଳି ରହିଥିଲା, ସେ ଶେଷଥର ନିମନ୍ତେ କେବେ ତାଙ୍କ ଗ୍ରାମକୁ ଆସିଥିଲେ, ସେହି ସମୟରେ ସ୍ତ୍ରୀ ଓ ତାଙ୍କ ପରିବାରଙ୍କ ସହ କ’ଣ କଥାବାର୍ତ୍ତା ହୋଇଥିଲେ, ସେତେବେଳେ ଗୋପାଳଙ୍କ ସ୍ୱଭାବ କିଭଳି ରହିଥିଲା କ୍ରାଇମ୍‌ବ୍ରାଞ୍ଚ ଟିମ୍ ପଚାରି ବୁଝିଥିଲେ । ଏହା ବାଦ୍ ଗୋପାଳଙ୍କ ମାନସିକ ଭାରସାମ୍ୟ ଠିକ୍ ରହୁ ନ ଥିବା ବେଳେ ସେ ମେଡିସିନ ଖାଉଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି । ଏ ସଂକ୍ରାନ୍ତ ପ୍ରେସକ୍ରିପସନ୍ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍ ସଂଗ୍ରହ କରିଥିବା ସୂଚନା ମିଳିଛି । ଆଗାମୀ ଦିନରେ ଏସ୍‌ଆଇ ଗୋପାଳଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କୁ କ୍ରାଇମବ୍ରାଞ୍ଚ ଏକ ଟିମ୍ ପଚରାଉଚରା କରିବ ବୋଲି ସୂଚନା ମିଳିଛି । ସେହିପରି ସନ୍ଧ୍ୟା ସମୟରେ କ୍ରାଇମବ୍ରାଞ୍ଚ ଟିମ୍ ବ୍ରହ୍ମପୁର ମହାନଗର ନିଗମରେ କାର୍ଯ୍ୟକରୁଥିବା ଏଏସ୍‌ଆଇ ଗୋପାଳଙ୍କ ଭାଇ ସତ୍ୟନାରାୟଣ ଦାସଙ୍କୁ ଉଠାଇ ନେଇଛି । ଗୋପାଳଙ୍କ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ଦୁଇଟି ହୋଟେଲ ରହିଥିବା ବେଳେ ବିଭିନ୍ନ ସମୟରେ ତାଙ୍କ ଭାଇ ସେଠାକୁ ଯାଇଥାନ୍ତି ।
ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ସୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ ଘଟଣା ଦିନ ନବ ଦାସ ଆସିବା ପୂର୍ବରୁ ସେ ଗୋପାଳଙ୍କ ସହ ୧୫ ମିନିଟ ଧରି କଥା ହୋଇଥିଲେ । ଏହି ସମୟରେ ସେ ବହୁତ ସାଧାରଣ ଥିଲେ । ହେଲେ ମନ୍ତ୍ରୀ ଆସିବା ପରେ ସେ ତାଙ୍କୁ ଠେଲି ଚାଲି ଯାଇଥିଲେ । ପଚାରିବାରୁ କହିଥିଲେ ତୁମେ ମନ୍ତ୍ରୀଙ୍କ ସହ ସବୁ ଦିନେ କଥା ହେଉଛ । ମୁଁ ଆଜି ଟିକେ କଥା ହେବି । ଜରୁରୀ କଥା ଅଛି । ମନ୍ତ୍ରୀ ଡୋର ଖୋଲି ଗୋଡ଼ ବାହାରକୁ କରିଥିଲେ । କିଛି କର୍ମୀ ତାଙ୍କୁ ଫୁଲମାଳ ଦେବା ସମୟରେ ଗୋପାଳ ଗୁଳି ଚାଳନା କରିଥିଲେ । ପ୍ରଥମ ଗୁଳିରେ ଟାର୍ଗେଟକୁ ହିଟ୍ କରିଥିଲେ ଏଏସ୍‌ଆଇ । ଜଣଙ୍କ ବେକରେ ଘସି ହୋଇ ଏହି ଗୁଳି ନବ ଦାସଙ୍କ ଛାତିରେ ଲାଗିଥିଲା । ନବ ଦାସଙ୍କୁ ଗୁଳି ମାରିବା ପରେ ଗୋପାଳ ଆଉ ଦୁଇଟି ଗୁଳି ଫୁଟାଇଥିଲେ । ଗୋଟିଏ ଗୁଳି କାରରେ ବାଜି ଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଗୁଳି ମାଡ଼ରେ ନବ ଦାସ ରକ୍ତ ଜୁଡୁବୁଡୁ ହୋଇ ଯାଇଥିଲେ । କାର ସିଟ୍‌ରେ ପଡ଼ିଥିବା ଏକ ଧଳା ରଙ୍ଗର ଟାୱେଲ୍ ପୁଳା ରକ୍ତାକ୍ତ ହୋଇଯାଇଥିଲା ।
ଅନ୍ୟପକ୍ଷରେ ଆଜି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଯାଇଛି । ରିପୋର୍ଟରେ ନବଙ୍କୁ ଗୁଳି ଏବଂ ମୃତ୍ୟୁ ସମ୍ପର୍କୀତ ତଥ୍ୟ ରହିଛି । ତାଙ୍କୁ କେତୋଟି ଗୁଳି ବାଜିଛି, କେଉଁଠାରେ ଗୁଳି ବାଜିଛି, ତାଙ୍କର କେଉଁ କାରଣରୁ ମୃତ୍ୟୁ ଘଟିଛି ସେ ନେଇ ଉଲ୍ଲେଖ କରାଯାଇଛି । ତେବେ ନବ ଦାସଙ୍କ ହତ୍ୟାକାଣ୍ଡକୁ ଇତିମଧ୍ୟରେ ୩ ଦିନ ବିତିଲାଣି । କ୍ରାଇମ୍‌ବ୍ରାଞ୍ଚ ଏହାର ତଦନ୍ତ ଭାର ନେଇଥିଲା ବେଳେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଗୋଟିଏ ଦିନ ଅଟକ ପରେ କୋର୍ଟ ଚାଲାଣ କରାଯାଇଛି । କ୍ରାଇମ୍‌ବ୍ରାଞ୍ଚ ହେପାଜତରେ ଗୋପାଳ ନବଙ୍କୁ ହତ୍ୟା କରିଥିବା ସ୍ୱୀକାର ମଧ୍ୟ କରିଛନ୍ତି । ହେଲେ ଅପରାଧର ଉଦ୍ଦେଶ୍ୟ କ’ଣ, କେଉଁ କାରଣରୁ ନବଙ୍କୁ ହତ୍ୟା କରାଗଲା, ଜଣେ ଫାଣ୍ଡି ଅଧିକାରୀଙ୍କର ମନ୍ତ୍ରୀଙ୍କ ସହ କି ଶତୃତା ଥାଇପାରେ, ହତ୍ୟା ପଛରେ ଗୋପାଳ ଏକୁଟିଆ ଅଛନ୍ତି ନା ପଛରୁ ଆଉ କିଏ ଗୋଟି ଚାଳନା କରୁଥିଲା ସେ ସମ୍ପର୍କରେ କାହାରି ପାଖରେ ତଥ୍ୟ ନାହିଁ ।

Related Articles

Leave a Reply

Your email address will not be published.

Back to top button