ମାଡି ଆସୁଛି ଲଘୁଚାପ

ଭୁବନେଶ୍ୱର : ଦକ୍ଷିଣ ବଙ୍ଗୋପସାଗରରେ ମାଡି ଆସୁଛି ଲଘୁଚାପ । ମେ ୫ ପାଖାପାଖିରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଲଘୁଚାଚାପ କ୍ଷେତ୍ର ଅବପାତର ପରିଣତ ହୋଇପାରେ ବୋଲି ସେ କହିଛନ୍ତି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଅବପାତଟି ବାତ୍ୟାରେ ପରିଣତ ହେବକି ନାହିଁ ସ୍ପଷ୍ଟ ହୋଇନାହିଁ । ଲଘୁଚାପ ସୃଷ୍ଟି ହେଲା ପରେ ଏହାର ଗତିବିଧି ସ୍ପଷ୍ଟ ହେବ । ବର୍ତ୍ତମାନ ଆକଳନ ଅନୁସାରେ ଏହା ଓଡିଶାକୁ ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି । ସୂଚନା ଥାଉ କି ଓଡ଼ିଶାରେ ଏବେ କାଳ ବୈଶଖୀ ପ୍ରଭାବରେ ବର୍ଷା ଜାରି ରହିଛି । ୬ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ପ୍ରବଳ ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ବହିବ । ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ । ମାଲକାନଗିରି, କୋରାପୁଟ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨ ତାରିଖ ଯାଏ ରାଜ୍ୟରେ ଏହିଭଳି କାଳବୈଶାଖୀ ବର୍ଷା ଜାରି ରହିବା ସହ ତାପମାତ୍ରା ବି ବିଶେଷ ବଢ଼ିବାର ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର କହିଛି । ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।

Related Articles

Leave a Reply

Your email address will not be published.

Back to top button