ନାଗପୁରରେ ମୋଦି@୨୦ ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ୱର: ପୂର୍ବ ଭାରତର ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ ସୁଭଦ୍ରା ଆର୍ଟ ଗ୍ୟାଲେରୀ, ଭୁବନେଶ୍ୱର ଆନୁକୂଲ୍ୟରେ ଆୟୋଜିତ ମୋଦି@ ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ନାଗପୁର ସହର ଲୋକମତ ଆର୍ଟ ଗ୍ୟାଲେରୀ ପରିସରରେ ସୋମବାର ପୂର୍ବାହ୍ନରେ ଉଦ୍‌ଘାଟିତ ହୋଇଯାଇଛି । ସାରା ଭାରତରୁ ଆସିଥିବା ୫୦ ଜଣ ପ୍ରବୀଣ ଓ ତରୁଣ ଚିତ୍ରଶିଳ୍ପୀଙ୍କ ଦ୍ୱାରା ଅଙ୍କିତ ଚିତ୍ରକଳା ପ୍ରଦର୍ଶନୀକୁ ଲୋକସେବକ ମଣ୍ଡଳର ପୂର୍ବତନ ଅଧ୍ୟକ୍ଷ ତଥା ଦକ୍ଷିଣ ଏସିଆ ବିରାଦରୀ ସେକ୍ରେଟାରୀ ଜେନେରାଲ ଦୀପକ ମାଲବ୍ୟ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଭାରତର ଚିତ୍ରକଳାକୁ ବିଶ୍ୱସ୍ତରରେ ପ୍ରସାର କରିବା ପାଇଁ ସୁଭଦ୍ର ଆର୍ଟ ଗ୍ୟାଲେରୀର ଉଦ୍ୟମକୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଏହା ସମାଜରେ ନୂତନ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରିଥିଲେ । ଆର୍ଟ ଗ୍ୟାଲେରୀର ଅଧ୍ୟକ୍ଷ ଡକ୍ଟର ସୂର୍ଯ୍ୟ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଦର୍ଶନୀରେ ନାଗପୁର ନଗରପାଳ ଦୟା ଶଙ୍କର ତିୱାରୀ, ପୂର୍ବତନ ନଗରପାଳ ସନ୍ଦୀପ ରାଓ ଯୋଶୀ, ବିଧାୟକ ପ୍ରବୀଣ ଗାଟଏକ, ନାଗପୁର ଚିତ୍ରକଳା ମହାବିଦ୍ୟାଳୟ ଅଧ୍ୟକ୍ଷ ସଞ୍ଜୟ ଜଥାର, ଲୋକମତ ସମ୍ବାଦପତ୍ରର ସମ୍ପାଦକ ନଳୀନକାନ୍ତ ନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପ୍ରଦର୍ଶିତ ଚିତ୍ରକଳା ଗୁଡ଼ିକ ବୁଲି ଦେଖିଥିଲେ ଓ ନରେନ୍ଦ୍ର ମୋଦିଙ୍କ ଜୀବନ ଓ ଦର୍ଶନ ଉପରେ ଆଧାରିତ ଚିତ୍ରକଳାର ଉଚ୍ଚ ପ୍ରଶଂସା କରିଥିଲେ । ନାଗପୁରର ବିଶିଷ୍ଟ ଚିତ୍ରଶିଳ୍ପୀ ବିଜୟ ବିଶ୍ୱାଳଙ୍କ ଦ୍ୱାରା ଅଙ୍କିତ ରେଳ ପ୍ଲାଟଫର୍ମ, ଆସାମର ମୁକ ବଧିର ଶିଳ୍ପୀ ଅଭିଜିତ୍ ଚାଟାର୍ଜୀଙ୍କ ଶିବାଜୀ, ମୋଦି ତୈଳଚିତ୍ର, ରିଏତମ ୱାରାମ୍ବେ, ବାବର ସରିଫ, ପଙ୍କଜିତ୍ କେଲୱାର, ସୁବାସ ବାବୁଲକର ଓ ତ୍ରିପୁରାର ହରେକୃଷ୍ଠ ପାଲଙ୍କ ମୋଦି ବିଶ୍ୱଗୁରୁ ଚିତ୍ରକଳା ଉପସ୍ଥିତ ଜନତା ଓ କଳା ସମୀକ୍ଷକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷ ଡକ୍ଟର ସୂର୍ଯ୍ୟ ରଥ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ଓ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ କିଶୋର ତଲମଲେ ଉପସ୍ଥିତ ଅତିଥି, ଶିଳ୍ପୀମାନଙ୍କୁ ସ୍ୱାଗତ କରିଥିଲେ । ମୁଖ୍ୟଅତିଥି ଶ୍ରୀ ମାଲବ୍ୟ ଉପସ୍ଥିତ ଚିତ୍ରଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଗ୍ୟାଲେରୀ ନିର୍ଦ୍ଦେଶକ ଅଶୋକ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରଦର୍ଶନୀ ଆସନ୍ତା ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦେଇଥିଲେ ।

Related Articles

Leave a Reply

Your email address will not be published.

Back to top button