ଆସନ୍ତା ୧୯ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ବାର୍ଷିକ ଦଶମ ଶ୍ରେଣୀ ପରୀକ୍ଷା (ମାଟ୍ରିକ୍‌), ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା(ଓପନ ସ୍କୁଲ) ଆସନ୍ତା ୧୯ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ନୋଡାଲ୍‌ ସେଣ୍ଟର ସମେତ ପରୀକ୍ଷା କେନ୍ଦ୍ରରେ ଲାଇଭ୍‌ ଷ୍ଟ୍ରିମିଂ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ଏହି ତିନିଟି ପରୀକ୍ଷା ପାଇଁ ୫ଲକ୍ଷ ୫୦ହଜାରରୁ ଅଧିକ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିବା ବେଳେ ମୋଟ ୩୦୮୨ଟି ପରୀକ୍ଷା କେନ୍ଦ୍ର ଚୂଡ଼ାନ୍ତ ହୋଇଛି। ପ୍ରଶ୍ନପତ୍ରକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟରେ ମୋଟ ୩୨୨ଟି ନୋଡାଲ୍‌ ସେଣ୍ଟର ସ୍ଥିର ହୋଇଛି। ପ୍ରଚଳିତ ବ୍ୟବସ୍ଥା ଅନୁସାରେ, ରାଜ୍ୟ ବାହାର ଫାର୍ମରୁ ଛପାଯାଇଥିବା ପ୍ରଶ୍ନପତ୍ର କଡ଼ା ସୁରକ୍ଷା ମଧ୍ୟରେ ଆସି କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଗଚ୍ଛିତ କରି ରଖାଯାଏ। ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରୁ ସୁରକ୍ଷା ବଳୟରେ ବିଭିନ୍ନ ନୋଡାଲ୍‌ ସେଣ୍ଟରକୁ ପ୍ରଶ୍ନପତ୍ର ପଠାଯାଏ। ‌ଏବେ ରାଜ୍ୟ ବାହାର ଫାର୍ମରୁ ଛପାଯାଇଥିବା ପ୍ରଶ୍ନପତ୍ର ବୋର୍ଡ ମୁଖ୍ୟାଳୟକୁ ଆସିବା ପ୍ରକ୍ରିୟା ଆରମ୍ଭ ହୋଇଛି। କଟକସ୍ଥିତ ‌ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଏବେ ପ୍ରଶ୍ନପତ୍ର ମହଜୁଦ ରଖାଯାଉଛି। ପ୍ରଶ୍ନପତ୍ରକୁ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ସଶସ୍ତ୍ର ପୁଲିସ ୨୪ଘଣ୍ଟିଆ ସୁରକ୍ଷା ବଳରେ ଜଗି ରହିଛନ୍ତି। ଏହା ସହ ସେଠାରେ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ ରାଜ୍ୟର ବିଭିନ୍ନ ନୋଡାଲ ସେଣ୍ଟରକୁ ସ୍ଥାନାନ୍ତର କରାଯିବ। ପରୀକ୍ଷା ଦିିନ ନୋଡାଲ୍‌ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ପଠାଯିବ। ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲ୍‌ ରୋକିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏବ‌ର୍ଷ ସମସ୍ତ ପରୀକ୍ଷା କେନ୍ଦ୍ର ସମେତ ନୋଡାଲ୍‌ ‌ସେଣ୍ଟରରେ ଲାଇଭ୍‌ ‌ଷ୍ଟ୍ରିମଙ୍ଗ ବ୍ୟବସ୍ଥା ହୋଇଛି। କୌଣସି ବିଶୃଙ୍ଖଳା ହେଲେ, ଏହି ବ୍ୟବସ୍ଥାରେ ବୋର୍ଡ ମୁଖ୍ୟାଳୟ ‌ଜାଣିପାରିବ। ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ କହିବା ଅନୁସାରେ, ସଦ୍ୟ ସମାପ୍ତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ଭଳି ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ର ବୁକ୍‌ଲେଟ୍‌ର ପ୍ରତି ପୃଷ୍ଠା ତଥା ପ୍ରତି ନମ୍ବରରେ ୱାଟରମାର୍କ ରହିଛି। ପ୍ରଶ୍ନପତ୍ର ଭାଇରାଲ୍‌ ହେଲେ, ତାହା ସହଜରେ ଧରି ହେବ। ପୂର୍ବରୁ କିଛି ଲୋକ ପରୀକ୍ଷାରେ ବିଭ୍ରାଟ ସୃଷ୍ଟି କରିବା ପାଇଁ ‌ନକଲି ପ୍ରଶ୍ନପତ୍ରକୁ ଭାଇରାଲ୍‌ କରି ଛାତ୍ରଛାତ୍ରୀଙ୍କୁ ଦ୍ବନ୍ଦ୍ବରେ ପକାଉଥିଲେ। ସେହିପରି ରାଜ୍ୟର ସମସ୍ତ ପରୀକ୍ଷାକେନ୍ଦ୍ର ଓ ନୋଡାଲ୍‌ ସେଣ୍ଟରରେ ଲାଇଭ୍‌ ଷ୍ଟ୍ରିମିଂ ବ୍ୟବସ୍ଥା ‌ହୋଇଛି। କେଉଁ କେନ୍ଦ୍ର ବା ନୋଡାଲ୍‌ ସେଣ୍ଟରରେ କ’ଣ ଚାଲିଛି, ତାହା ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଜାଣି ହେବ ବୋଲି ସଭାପତି ଶ୍ରୀ ତରାଇ ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button