ମନମୋହନ ବିଜେପି ରାଜ୍ୟ ସଭାପତି

ଭୁବନେଶ୍ୱର: ରାଜ୍ୟ ବିଜେପିରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ମନମୋହନ ସାମଲ ରାଜ୍ୟସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ।  ମନମୋହନଙ୍କୁ ରାଜ୍ୟ ସଭାପତିଭାବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ନିଯୁକ୍ତ କରିଛନ୍ତି । ସମୀର ମହାନ୍ତିଙ୍କ ସ୍ଥାନ ନେଇଛନ୍ତି ମନମୋହନ ସାମଲ ।  ମନମୋହନ ସାମଲ ପୂର୍ବରୁ ମଧ୍ୟ ରାଜ୍ୟ ବିଜେପି ସଭାପତି ଥିଲେ । ରାଜ୍ୟରେ ବିଜେପି ଓ ବିଜେଡି ମେଣ୍ଟ ସରକାର ଥିବାବେଳେ ଶ୍ରୀ ସାମଲ ମନ୍ତ୍ରୀ ମଧ୍ୟ ଥିଲେ ।  ଗତ ଧାମନଗର ନିର୍ବାଚନରେ ବିଜେପିକୁ ବାଜିମାତ କରିବାରେ ଶ୍ରୀ ସାମଲଙ୍କ ପ୍ରମୁଖ ଭୂମିକା ରହିଥିଲା । ଆଗକୁ ୨୦୨୪ ନିର୍ବାଚନ । ଏହା ପୂର୍ବରୁ  ରାଜ୍ୟ ସଭାପତି ପଦରେ ଜଣେ ଅଭିଜ୍ଞ ନେତାଭାବେ ଶ୍ରୀ ସାମଲଙ୍କୁ ବସାଯାଇଛି ।  ନୂଆ ମଙ୍ଗୁଆଳଭାବେ କିଭଳି ଦଳକୁ ସୁସଙ୍ଗଠିତ କରାଯିବ ତାହା ତାଙ୍କ ପାଇଁ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି ।  ବିଜେପି ସଭାପତିଭାବେ ନିଯୁକ୍ତି ପରେ ଶ୍ରୀ ସାମଲ କହିଛନ୍ତି ଯେ, ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବି । ସମସ୍ତଙ୍କ ସହଯୋଗ କାମନା କରିିବି । ରାଜ୍ୟରେ ଚାଲିଥିବା ସରକାର ଅନ୍ୟାୟ ଓ ଅତ୍ୟାଚାରରେ ବୁଡ଼ିଛି ।  ଅନ୍ୟାୟ, ଅତ୍ୟାଚାର ଓ ଦୁର୍ନୀତି ବିରୋଧରେ ବିଜେପି ଲଢେଇ କରିବ ।  ଓଡ଼ିଶାରେ ଦୁର୍ନୀତି ଗ୍ରସ୍ତ ଶାସନ ଚାଲିଛି ।  ତାକୁ ୨୦୨୪ରେ ପରିବର୍ତ୍ତନ କରାଯିବ । ଲୋକଙ୍କ ଅପେକ୍ଷା ରହିଛି ବିକଳ୍ପ ସରକାର । ଆମେ ସେହି ବିକଳ୍ପ ହେବୁ ।  ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବି । ସମସ୍ତଙ୍କ ସହଯୋଗ କାମନା କରିିବି ବୋଲି ଶ୍ରୀ ସାମଲ କହିଛନ୍ତି । ଆଗକୁ ୨୦୨୪ ନିର୍ବାଚନ ଥିବା ବେଳେ ମନମୋହନଙ୍କ ନେତୃତ୍ୱରେ ଦଳ ମଇଦାନକୁ ଓହ୍ଲାଇବ ବୋଲି ସ୍ପଷ୍ଟ ହୋଇଛି। ମନମୋହନଙ୍କ ନେତୃତ୍ୱରେ ବିଜେପି ରାଜ୍ୟରେ ନିର୍ବାଚନୀ ବୈତରଣୀ ପାର ହେବାକୁ ଯୋଜନା କରୁଥିବା ସଙ୍କେତ ମିଳିଛି। ସୂଚନାଯୋଗ୍ୟ ଯେ, ମନମୋହନ ସାମଲ ଛାତ୍ର ଜୀବନରୁ ରାଜନୀତିରେ ଯୋଗ ଦେଇଥିଲେ । ସେ ୧୯୭୯ ମସିହାରେ ଭଦ୍ରକ କଲେଜ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିଭିନ୍ନ କାର୍ୟ୍ୟକ୍ରମରେ ତାଙ୍କ ଯୋଗଦାନ ଥିଲା । ପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।

Related Articles

Leave a Reply

Your email address will not be published.

Back to top button