ସଙ୍ଗୀତ ନାଟକ ଅକାଡେମୀର ଜାତୀୟ ଐତିହ୍ୟ ତାଲିକା ଭୁକ୍ତ ହେଲା ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା

ଭୁବନେଶ୍ୱର: ପୁରୀ ମହାପ୍ରଭୁଙ୍କ ରଥଯାତ୍ରାକୁ ଯୁନେସ୍କୋ ଦ୍ୱାରା ବୈଶ୍ୱିକ ସାଂସ୍କୃତିକ ଐତିହ୍ୟ ମାନ୍ୟତା ପ୍ରଦାନ ନେଇ ପ୍ରଥମ ସୋପାନ ସଫଳତାର ସହ ଅତିକ୍ରମ ହୋଇଛି। ୟୂନେସ୍କୋ ମାନ୍ୟତା ପାଇଁ ପ୍ରଥମେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧିନସ୍ଥ ସଙ୍ଗୀତ ନାଟକ ଅକାଡେମୀର ଜାତୀୟ ଐତିହ୍ୟ ତାଲିକା ଭୁକ୍ତ ହେବାକୁ ପଡୁଥିବା ବେଳେ ଆଜି ବିଧିବଦ୍ଧ ଭାବେ ଏହି ତାଲିକାଭୁକ୍ତ ହୋଇଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ତେବେ ଆବେଦନ ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଠିକଣା ସମୟରେ ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ଗଜପତି ମହାରାଜାଙ୍କ ମାର୍ଗଦର୍ଶନ ତଥା ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ ଅନୁସାରେ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନେତୃତ୍ୱରେ କମ୍ ଅବଧି ମଧ୍ୟରେ ସମସ୍ତ ପ୍ରସ୍ତୁତି ହୋଇଥିବା ବେଳେ ମହାପ୍ରଭୁଙ୍କ ସେବକମାନେ ମଧ୍ୟ ଏଥିଲାଗି ଅକୁଣ୍ଠ ସହଯୋଗ ପ୍ରଦାନ କରିଥିଲେ। ଏଥିପାଇଁ ସମସ୍ତ ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତ, ସେବକଙ୍କ ସହ ସହଯୋଗର ହାତ ବଢ଼ାଇଥିବା ବ୍ୟକ୍ତି ତଥା ଅନୁଷ୍ଠାନଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ। ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଏ ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ପଠାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button