ମା’ ମାଙ୍ଗଳା ରାଇସ୍ ମିଲରେ ଅଘଟଣ: ଚାଉଳରେ ପୋତିହୋଇ ୨ଶ୍ରମିକ ମୃତ

ଭୁବନେଶ୍ୱର: ଓଡ଼ଗାଁ ଆଦର୍ଶଥାନା ଅନ୍ତର୍ଗତ ରୋହିବାଙ୍କ ମା’ମଙ୍ଗଳା ରାଇସ୍ ମିଲରେ ସୋମବାର ସକାଳ ସାଢ଼େ ୬ରେ ଏକ ଦୁର୍ଘଟଣାରେ ୨ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ କଟକ ଜିଲ୍ଲା ନରସିଂହପୁର ଥାନା ବାଲିସାହି ଗ୍ରାମର ନିବାସ ମହାରଣାଙ୍କ ପୁଅ ପ୍ରମୋଦ ମହାରଣା (୨୨) ଓ ଗଞ୍ଜାମ ଜିଲ୍ଲା ତାରସିଂହ ଥାନା ତିଲିସିଙ୍ଗ ଗ୍ରାମର ରବିନ୍ଦ୍ର ଦିହୁଡ଼ିଙ୍କ ପୁଅ ରାମେଶ୍ୱର ଦିହୁଡ଼ି (୨୩) । ଏହି ଦୁହେଁ ମା’ମଙ୍ଗଳା ଆଗ୍ରୋ ଇଣ୍ଡଷ୍ଟ୍ରିରେ କିଛି ଦିନହେବ କାମକରୁଥିଲେ । ମା’ମଙ୍ଗଳା ରାଇସ୍ ମିଲ୍ କନ୍ୟାକୁମାରୀ ସୁବୁଦ୍ଧିଙ୍କ ନାମରେ ରହିଥିବାବେଳେ ତାଙ୍କ ସ୍ୱାମୀ ରାଜେଶ କୁମାର ସୁବୁଦ୍ଧି ମିଲର ଦେଖାଶୁଣା କରୁଥିଲେ । ସୋମବାର ସକାଳେ ୨ଶ୍ରମିକ କାମ କରୁଥିବାବେଳେ ହମ୍ପ୍‌ରରୁ ଚାଉଳ ଖସିଯିବାରୁ ଉଭୟଙ୍କର ମୃତ୍ୟୁ ଘଟିଲା ବୋଲି କୁହାଯାଉଛି । କେତେକ ସେମାନଙ୍କର ରାତିରେ ମୃତ୍ୟୁ ଘଟିଥିବା କହୁଛନ୍ତି । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବାରୁ ତାହା ତଦନ୍ତ ସାପେକ୍ଷ ବୋଲି କୁହାଯାଉଛି । ଅଘଟଣ ପରେ ୨ଶ୍ରମିକଙ୍କୁ ଓଡ଼ଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଘଟଣାରେ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଶ୍ରମବିଭାଗ ଓ ଡିଆଇସିକୁ ତଦନ୍ତ ନିର୍ଦ୍ଦେଶ ଦେଇଥିବାବେଳେ ସଙ୍ଗେ ସଙ୍ଗେ ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି । ଏପଟେ ମୃତକଙ୍କ ପରିବାରଲୋକେ ଥାନାରେ ପହଞ୍ଚି ମା’ମଙ୍ଗଳା ରାଇସ୍ ମିଲ୍‌ର ମାଲିକ କନ୍ୟାକୁମାରୀ ସୁବୁଦ୍ଧିଙ୍କ ନାମରେ ଲିଖିତ ଅଭିଯୋଗ କରିବା ସହିତ ଘଟଣାର ତଦନ୍ତ ଓ କ୍ଷତିପୂରଣ ଦାବି କରିଛନ୍ତି । ୨ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଶବସତ୍କାର ପାଇଁ ଉଭୟ ପରିବାରକୁ ମା’ମଙ୍ଗଳା ରାଇସ୍ ମିଲ୍ ପକ୍ଷରୁ ୪୦ହଜାର ଲେଖାଏଁ ସହାୟତା ଦିଆଯାଇଛି । ଓଡ଼ଗାଁ ଆଦର୍ଶଥାନା ପକ୍ଷରୁ ଏ ସଂପର୍କରେ ୬/୨୦୨୩ରେ ମାମଲା ରୁଜୁକରିବା ସହିତ ମୃତ୍ୟୁର କାରଣ ତଦନ୍ତପରେ ଜଣାପଡ଼ିବ ବୋଲି ଓଡ଼ଗାଁ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ କହିଛନ୍ତି । କିଛି ଶ୍ରମିକ କହିଛନ୍ତି ଯେ ଏହି ମିଲ୍‌ରେ କାମକରିବା ସମୟରେ ସେମାନଙ୍କୁ କୌଣସି ପ୍ରକାର ସୁରକ୍ଷା ସରଞ୍ଜାମ ମିଳୁନାହିଁ । ହେଲମେଟ୍‌, ଜୋତା, ଚଷମା ଓ ଗ୍ଲୋବ୍ସ ଆଦି ଦିଆଯାଉନାହିଁ । ତେବେ ଶ୍ରମିକମାନଙ୍କୁ ସବୁ ଯୋଗାଇ ଦିଆଯାଉଥିବା କେବଳ କାଗଜ କଲମରେ ଦର୍ଶାଯାଉଛି । ଗତ ୧୫ଦିନ ତଳେ ଚାଉଳ ହମ୍ପ୍‌ର ଫାଟିଯାଇଥିବା ଘଟଣା ମ୍ୟାନେଜର ବିଭୂତି ରଞ୍ଜନ ଷଡ଼ଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯଦି ଚାଉଳ ହମ୍ପର୍ ଭାଙ୍ଗି ଯାଇଥିଲା ତାକୁ କିଏ ମରାମତି କରିଥିଲା? ବାହାରୁ ମେକାନିକ୍ ଆସି ମରାମତି କରିଥିଲେ କି ଶ୍ରମିକମାନଙ୍କ ଦ୍ୱାରା ତାହା କରାଯାଇଥିଲା । ଏସବୁ ଘଟଣାର ତଦନ୍ତ ହେବାର ଆବଶ୍ୟକତା ରହିଛି । ଏହି ମା’ମଙ୍ଗଳା ରାଇସ ଇଣ୍ଡଷ୍ଟ୍ରି କୁରାଳ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଋଣ ଆଣିଥିବା ଦର୍ଶାଯାଇଛି ।

Related Articles

Leave a Reply

Your email address will not be published.

Back to top button