ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ଆସିବ ବାତ୍ୟା । ଏଭଳି ଆଶଙ୍କା ନେଇ ସବୁଠି ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ଏହାରି ଭିତରେ ଏକ ବଡ଼ ଖବର ଆସିଛି ।  ବାତ୍ୟା ଚର୍ଚ୍ଚା ସମ୍ପର୍କରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ବାତ୍ୟା ନେଇ ଆମେ ଏଯାଏ କୌଣସି ସୂଚନା ଦେଇନାହୁଁ । ଏଯାବତ କରାଯାଇଥିବା ଅନୁଧ୍ୟାନ ଅନୁସାରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ସେପ୍ଟେମ୍ବର ଶେଷ ସପ୍ତାହ ଆଡ଼କୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ।  ଅକ୍ଟୋବର ପ୍ରଥମ ସପ୍ତାହରେ ଏହା ଲଘୁଚାପର ରୂପ ନେବ ।  ଲଘୁଚାପର ରୂପ ନେଇ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । କ୍ରମେ ଲଘୁଚାପଟି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ଏହାର ପ୍ରକୃତ ରୂପରେଖ କ’ଣ ହେବ ଲଘୁଚାପ ସୃଷ୍ଟି ପରେ ସ୍ପଷ୍ଟ ହେବ । ବାତ୍ୟା ହେବ ବୋଲି ଆମେ ପୂର୍ବାନୁମାନ ଦେଇନୁ ।  ଏଯାବତ କୌଣସି ବାତ୍ୟା ସୂଚନା ଦେଇନୁ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି । ଏହାଛଡ଼ା ଗୁଜବ ଉପରେ ବିଶ୍ୱାସ ନକରିବାକୁ ଶ୍ରୀ ମହାପାତ୍ର କହିଛନ୍ତି ।  ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା ଉପରେ ନଜର ରଖିବାକୁ ସେ କହିଛନ୍ତି ।

ପ୍ରକାଶ ଯେ ଅକ୍ଟୋବର ମାସରେ ବିଶେଷକରି ଓଡ଼ିଶାରେ ବାତ୍ୟା ହୋଇଥାଏ। ୧୯୯୯ ମହାବାତ୍ୟା, ୨୦୨୩ ଫାଇଲିନ, ସିତରାଙ୍ଗ ଆଦି ବାତ୍ୟା ଅକ୍ଟୋବର ମାସରେ ହୋଇଛି । ତେଣୁ ଅକ୍ଟୋବରେ ଆଉ ଏକ ବାତ୍ୟା ଆସିପାରେ ବୋଲି ବିଭିନ୍ନ ପାଣିପାଗ ମଡେଲ ପକ୍ଷରୁ କୁହାଯାଇଥିଲା । ଯାହାକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିଲା ।

Related Articles

Leave a Reply

Your email address will not be published.

Back to top button