ନୂଆ ରୂପ ନେଉଛି ଲିଙ୍ଗରାଜ ଟେମ୍ପଲ୍ ରୋଡ୍ ଷ୍ଟେସନ୍

ଭୁବନେଶ୍ୱର : ନୂଆ ରୂପ ନେବାକୁ ଯାଉଛି ଭୁବନେଶ୍ୱରର ଲିଙ୍ଗରାଜ ଟେମ୍ପଲ୍ ରୋଡ୍ ରେଳ ଷ୍ଟେସନ୍ । ପ୍ରକଳ୍ପ ବାବଦକୁ ମୋଟ୍ ୧୯.୫୩ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । ପ୍ରସ୍ତାବିତ ପ୍ରକଳ୍ପରେ ୭୬୫ ବର୍ଗ ମିଟରର ଗ୍ରାଉଣ୍ଡ୍ ପ୍ଲସ୍ ୨ର ଏକ ନୂତନ ଷ୍ଟେସନ୍ ବିଲ୍ଡିଂ ନିର୍ମାଣ କରାଯାଉଛି । ୧୨ମିଟର ଓସାରର ଏକ ଫୁଟ୍ ଓଭର୍‌ବ୍ରିଜ୍ ନିର୍ମାଣ କରାଯିବ । ୨୬୦ବର୍ଗ ମିଟରର ଅଞ୍ଚଳରେ ଉଭୟ ଦୁଇଚକିଆ ଓ ତିନିଚକିଆ ଯାନ ପାଇଁ ପୃଥକ୍ ପୃଥକ୍ ପାର୍କିଂସ୍ଥଳ ସହ ୧୩୦ ବର୍ଗମିଟରର ଏକ ପ୍ରତୀକ୍ଷାଳୟ ମଧ୍ୟ ନିର୍ମାଣ ହେବ । ଉଭୟ ପୁରୁଷ ଏବଂ ମହିଳାଙ୍କ ଲାଗି ୬୫ ବର୍ଗମିଟରର ପ୍ରିମିୟମ୍ ମଡ୍ୟୁଲାର୍ ଟଏଲେଟ୍ ସାଙ୍ଗକୁ ୧, ୨ ଓ ୩ ନମ୍ବର ପ୍ଲାଟ୍‌ଫର୍ମରେ ଗ୍ରାନାଇଟ୍ ଓ ମୋଜାଇକ୍ ଚଟାଣ ଲାଗି ମଧ୍ୟ ଯୋଜନା ରହିଛି । ଆଗାମୀ ୩୧ ଅକ୍ଟୋବର ୨୦୨୫ ସୁଦ୍ଧା ଉନ୍ନତିକରଣ କାର୍ଯ୍ୟ ଶେଷହୋଇ ଲୋକାର୍ପଣ କରିବାକୁ ଲକ୍ଷ୍ୟ ରହିଛି । ମଙ୍ଗଳବାର ଲିଙ୍ଗରାଜ ଟେମ୍ପଲ୍ ରୋଡ୍ ରେଳ ଷ୍ଟେସନ୍‌ର ଉନ୍ନତିକରଣ ଏବଂ ନବୀକରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ପୂର୍ବତଟ ରେଳବାଇର ଡିଆର୍‌ଏମ୍ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ନିଜେ ଅପରାଜିତା ଷ୍ଟେସନ୍ ପରିସରରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଟିକିନିଖି ବୁଝିଛନ୍ତି । ଏହାସହ କାର୍ଯ୍ୟର ମାନ ତର୍ଜ୍ଜମା କରିବା ସହ ଯେମିତି ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ସମାପନ ହୁଏ ସେନେଇ ବିଭାଗୀୟ ଅଧିକାରୀଙ୍କ ସମେତ ଠିକାଦାରଙ୍କୁ ମଧ୍ୟ ତାଗିଦା କରିଛନ୍ତି । ପରେ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ ଲିଙ୍ଗରାଜ ଟେମ୍ପଲ୍ ରୋଡ୍ ରେଳ ଷ୍ଟେସନ୍‌ର ଉନ୍ନତିକରଣ ଏବଂ ନବୀକରଣ ଲାଗି ଅନେକ ଦିନରୁ ଦାବି ହୋଇଆସୁଥିଲା । ଏହାକୁ ନେଇ ଏକାଧିକବାର ରେଳ ବିଭାଗ ଏବଂ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କର ଦୃଷ୍ଟି ଆକର୍ଷଣ କରିବା ପରେ ପ୍ରକଳ୍ପରେ ମୋହର ବାଜିଥିଲା । ବର୍ତ୍ତମାନ ଷ୍ଟେସନ୍‌ର ସମ୍ମୁଖ ୧୧ଶହ ବର୍ଗମିଟରର ପ୍ରାସାଦର ନବୀକରଣ ଓ ଉନ୍ନତିକରଣ କାର୍ଯ୍ୟ ଜାରିରହିଛି । ସେହିପରି ୨୯ ବେଜ୍‌ର ଅତିରିକ୍ତ ପ୍ଲାଟ୍‌ଫର୍ମ ସେଲ୍ଟର ନିର୍ମାଣ କରାଯିବ । ଏହି ୨୯ ବେଜ୍ ମଧ୍ୟରେ ୧୩ ବେଜ୍‌ର ସେଲ୍ଟର ୧ ନମ୍ବର ଏବଂ ୨ ନମ୍ବର ପ୍ଲାଟ୍‌ଫର୍ମ ଲାଗି ଆଉ ୧୬ ବେଜ୍‌ର ସେଲ୍ଟର ୩ ନମ୍ବର ପ୍ଲାଟ୍‌ଫର୍ମ ଲାଗି ନିର୍ମାଣ କରାଯିବ । ଏହି ସହିତ କୋଚ୍ ଇଣ୍ଡିକେସନ୍ ବୋର୍ଡ଼, ଟ୍ରେନ୍ ଇଣ୍ଡିକେସନ୍ ବୋର୍ଡ ଓ ସାଇନେଜ୍ ଲାଗି ମଧ୍ୟ ଅନୁଦାନ ଦେଇଛି ରେଳ ମନ୍ତ୍ରାଳୟ । ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ପରେ କାର୍ଯ୍ୟର ଅଗ୍ରଗତି ଓ ମାନ ଠିକ୍‌ଥିବା ଦେଖାଯାଇଛି । ଅନ୍ୟପକ୍ଷରେ ଇଷ୍ଟକୋଷ୍ଟ ଡିଆର୍‌ଏମ୍ ଏଚ୍‌ଏସ୍ ବାଜୱା କହିଛନ୍ତି ଯେ ରେଳ ଷ୍ଟେସନ୍‌ଟିର କାମ ସମ୍ପୂର୍ଣ୍ଣ ହେଲେ ତୀର୍ଥଯାତ୍ରୀଙ୍କୁ ବେଶ୍ ସହାୟକ ହେବ । ଏକାମ୍ର କ୍ଷେତ୍ରର ରେଳ ପ୍ରବେଶ ଦ୍ୱାରରେ ଯାତ୍ରୀ ନୂଆ ଅନୁଭୂତି ପାଇବେ । ବର୍ତ୍ତମାନ ଏହି ରେଳ ଷ୍ଟେସନ୍‌ରେ ୧୪ଟି ଟ୍ରେନ୍ ରହଣି ହେଉଛି । ଏଥିରେ ୧୧ଟି ପାସେଞ୍ଜର୍ ଓ ୩ଟି ଏକ୍ସପ୍ରେସ୍ । ପ୍ରତ୍ୟକ ଦିନ ଏହି ଷ୍ଟେସନ୍ ଦେଇ ୮ ଶହ ଲୋକ ଯା’ଆସ କରୁଛନ୍ତି ବୋଲି ସେ ସ୍ପଷ୍ଟ କରିଥିଲେ । ଉକ୍ତ ସମୀକ୍ଷା ବୈଠକରେ ଏକାମ୍ରକ୍ଷେତ୍ର ବିଧାୟକ ବାବୁ ସିଂ ଉପସ୍ଥିତ ରହିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button