ଖୁଚୁରା ବ୍ୟବସାୟୀ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଶାରଦୀୟ ନବରାତ୍ରୀର ଶୁଭ ଅବସରରେ ଭୁବନେଶ୍ୱର ଠାରେ କୋକା-କୋଲା ଇଣ୍ଡିଆ ଓ ଜାତୀୟ ଦକ୍ଷତା ବିକାଶ ନିଗମ(ଏନଏସଡିସି)ର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ‘ଖୁଚୁରା ବ୍ୟବସାୟୀ ତାଲିମ’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି।ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନରେ ଖୁଚୁରା ବେପାରୀ ମାନଙ୍କୁ ଅଧିକ ଦକ୍ଷ କରିବା ସହ ସେମାନେ କିପରି ନିଜ ବ୍ୟବସାୟ ପରିଧିକୁ ବଢାଇପାରିବେ ସେ ଦିଗରେ ତାଲିମ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମ ଜରିଆରେ ଦେଶର ୧ କୋଟି ୪୦ ଲକ୍ଷ ରିଟେଲର ଡିଜିଟାଲ ତାଲିମ ପାଇବେ। ନିଜ ମୋବାଇଲରେ ଆପ୍ ଡାଉନଲୋଡ କରି କିମ୍ବା ୱେବସାଇଟ ମାଧ୍ୟମରେ ଦକ୍ଷତା ବିକାଶ ପାଇଁ ତାଲିମ ନେବେ। ଖୁଚୁରା ବ୍ୟବସାୟୀଙ୍କୁ ସ୍କିଲ ଇଣ୍ଡିଆ ଡିଜିଟାଲ ପୋର୍ଟାଲ ମାଧ୍ୟମରେ ୧୪ ଘଣ୍ଟାର ଉନ୍ନତମାନର ରିଟେଲ୍ ପ୍ରଶିକ୍ଷଣ ଦିଆଯିବ । ଖାଉଟିଙ୍କୁ ଆକୃଷ୍ଟ କରିବା ଭଳି ଯୋଜନା ସହ ବ୍ୟବସାୟ କରିବାର କୌଶଳ ଓ ଡିଜିଟାଲ ପ୍ଲାଟଫର୍ମର ବ୍ୟାପକ ସୁଯୋଗକୁ ବ୍ୟବହାର କରିବା ନେଇ ତାଲିମ ଦିଆଯିବ। ଏହି ଅଭିନବ କାର୍ଯ୍ୟକ୍ରମରେ ସହଯୋଗୀ ହୋଇଥିବା କୋକା-କୋଲା ଇଣ୍ଡିଆକୁ ଧନ୍ୟବାଦ ଜଣାଇବା ସହ ସମସ୍ତ ଟ୍ରେନିଂ ମଡ୍ୟୁଲକୁ ଓଡ଼ିଆ ଭାଷା ସମେତ ସବୁ ଭାରତୀୟ ଭାଷାରେ ଉପଲବ୍ଧ କରାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଦେଶର ଅର୍ଥନୀତିରେ ବୃହତ ଶିଳ୍ପ ଓ କାରଖାନା ଗୁଡ଼ିକ ମଜଭୂତ ସ୍ତମ୍ଭ। ତେବେ ଛୋଟ ଛୋଟ ବ୍ୟବସାୟୀମାନେ କୌଣସି ଗୁଣରେ ଟାଟା, ବିର୍ଲା, ଅଦାନୀଠୁ କମ ନୁହଁନ୍ତି। ବଡ ବ୍ୟବସାୟୀଙ୍କ ଭଳି ଛୋଟ ଦୋକାନୀଙ୍କୁ ସ୍କିଲିଂ, ରି-ସ୍କିଲିଂ ଓ ଅପ୍-ସ୍କିଲିଂ କରାଇବା ସହ ଭାଷାଶୈଳୀର ପ୍ରଶିକ୍ଷଣ ଦିଆଗଲେ ଦେଶର ଅର୍ଥନୀତି ମଜବୁତ୍ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିବଦ୍ଧତା ଦେଖାଇଛନ୍ତି। ଆଜି ପରିବର୍ତ୍ତିତ ଦୁନିଆରେ ଭାରତରେ ୟୁପିଆଇ ପେମେଣ୍ଟ ନୂଆ ରୂପ ନେଇଛି। ଏହା ହିଁ ମୋଦିଙ୍କ ଡିଜିଟାଲ ଇଣ୍ଡିଆ, ନୂଆ ଭାରତ। ଆଜିର ବୁଝାମଣା ପତ୍ର କ୍ଷୁଦ୍ର ବେପାରୀ ତଥା ଖୁଚୁରା ବ୍ୟବସାୟୀଙ୍କୁ ଦକ୍ଷ କରିବା ସହ ସେମାନଙ୍କୁ ଆଗକୁ ବଢିବା ପାଇଁ ରାସ୍ତା ଦେଖାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Related Articles

Leave a Reply

Your email address will not be published.

Back to top button