ଆରମ୍ଭ ହେଲା କୋଣାର୍କ ଉତ୍ସବ: ଚନ୍ଦ୍ରଭାଗାରେ ଅନ୍ତର୍ଜାତୀୟ ବାଲୁକା କଳା, ମନମୋହିଲା ଓଡିଶୀ

ଭୁବନେଶ୍ବର: ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିରର ପାଦଦେଶରେ ଆଲୋକମାଳାରେ ସୁସଜ୍ଜିତ ସବୁଜିମା ଭରା ମୁକ୍ତାକାଶ ରଙ୍ଗମଞ୍ଚରେ ମନୋରମ ସନ୍ଧ୍ୟାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଉଦ୍ଘାଟିତ ହୋଇଯାଇଛି । ଆୟୋଜିତ ପଞ୍ଚଦିବସୀୟ ଉତ୍ସବର ଉଦଘାଟନୀ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ସଚିବ ସୁରେନ୍ଦ୍ର କୁମାର, କାକଟପୁର ବିଧାୟକ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା, ଜିଲ୍ଲାପାଳ ସମର୍ଥ ବର୍ମା କୋଣାର୍କ ପୌରାଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ ପ୍ରମୁଖ ଉତ୍ସବକୁ ଉଦ୍ଘାଟନ କରିଥିଲେ ।
ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ମାଲେସିଆର ରାତିର ଇବ୍ରାହିମ ଓ ସାଥୀ କଳାକାର ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଓଡ଼ିଶୀର ପ୍ରଥମ ଚରଣ ପରିବେଷଣ କରିଥିଲେ ଜୟରାମ । ରାମାୟଣ କଥାବସ୍ତୁକୁ ନେଇ ରାମଲୀଳା ମନମୋହିଥିଲା । ଶାସ୍ତ୍ରୀୟ ନୃତ୍ୟର ଦ୍ୱିତୀୟ ପର୍ଯ୍ୟାୟରେ ନୂଆଦିଲ୍ଲୀର ରାଜେନ୍ଦ୍ର ଗଙ୍ଗାନି ଓ ସାଥୀ କଳାକାରମାନେ ଆକର୍ଷଣୀୟ କଥକ ନୃତ୍ୟ ପରିବେଷଣ କରିଥିଲେ । ପ୍ରତିବର୍ଷ କୋଣାର୍କ ଉତ୍ସବର ଉଦ୍ଘାଟନୀ ସନ୍ଧ୍ୟାରେ ଦର୍ଶକ ଗ୍ୟାଲେରୀ ଭରପୁର ରହି ଆସୁଥିବାବେଳେ ଚଳିତବର୍ଷ ୫୦ ପ୍ରତିଶତ ଆସନ ଖାଲି ପଡ଼ିଥିଲା । ଏହି ଅବସରରେ ଅପରାହ୍ନ ୫ଟାରେ ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବକୁ ବାଲୁକା ଶିଳ୍ପୀଙ୍କ ଗହଣରେ ଅତିଥିମାନେ ବେଲୁନ ଉଡ଼ାଇ ଉଦ୍ଘାଟନ କରିଥିଲେ । ପର୍ଯ୍ୟଟନ ଓ ସଂସ୍କୃତି ପ୍ରସଙ୍ଗରେ ଦେଶ ବିଦେଶର କଳାକୃତି ପ୍ରଦର୍ଶିତ କରିଥିଲେ । ଏହି ଉତ୍ସବରେ ବ୍ରାଣ୍ଡ ଆମ୍ବାସାଡାର ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଉପସ୍ଥିତ ଥିଲେ । ଆଜି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପକ ଡଃ ମୃତ୍ୟୁଞ୍ଜୟ ରଥ ଓ ନାଜିଆ ଆଲମ । ସେହିଭଳି ଅର୍ବାନ ହାଟରେ ହସ୍ତଶିଳ୍ପ ପ୍ରଦର୍ଶନୀ, ହେଲିପ୍ୟାଡରେ ମୀନା ବଜାର ଓ ୪ଟି ଅପେରା ପାର୍ଟିରେ ଭିଡ଼ ଜମୁଛି ।



