ଜଷ୍ଟିସ୍ ଏମ୍‌.ଆର୍ ପାଠକ ହେବେ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି

ଭୁବନେଶ୍ବର: ଗୌହାଟୀ ହାଇକୋର୍ଟର ବିଚାରପତି ମାନସ ରଞ୍ଜନ ପାଠକ ହେବେ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି। ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ବି.ଆର୍ ଗଭାଇ ଏବଂ ଅନ୍ୟ ୪ ଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ କଲେଜିୟମ୍ ଜଷ୍ଟିସ୍ ପାଠକଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି କରିବାକୁ ସୁପାରିଶ କରିଛନ୍ତି। ଗତ ୨୬ତାରିଖରେ ହୋଇଥିବା ସୁପ୍ରିମ୍‌କୋର୍ଟ କଲେଜିୟମ୍ ୨୧ଜଣ ବିଚାରପତିଙ୍କ ବଦଳି ନିମନ୍ତେ ସୁପାରିଶ କରିଥିଲେ। ସେଥିରେ ଜଷ୍ଟିସ୍ ପାଠଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି କରଯିବାକୁ କଲେଜିୟମ୍ ସୁପାରିଶ କରିଛନ୍ତି। ବର୍ତ୍ତମାନ ଓଡ଼ିଶା ହାଇକୋର୍ଟରେ ୧୮ ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି। ଜଷ୍ଠିସ୍ ପାଠକଙ୍କ ବଦଳିପରେ ଏହି ସଂଖ୍ୟା ୧୯କୁ ଛୁଇଁବ। ସୂଚନାଯୋଗ୍ୟ ଜଷ୍ଟିସ୍ ପାଠକ ୧୯୬୫ ମସିହା ଅଗଷ୍ଟ ୨୮ତାରିଖରେ ଗୌହାଟୀରେ ଜନ୍ମଗ୍ରହଣ କରିଥିବା ବେଳେ ହରପ୍ରିୟା ବିଦ୍ୟାପୀଠରେ ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ। ଏମ୍‌ସିଏମ୍‌ଇ ଉଜାନ୍‌ବଜାରରେ ମାଧ୍ୟମିକ ଶିକ୍ଷା ଗ୍ରହଣ କରିବା ପରେ ଅମ୍ବାରୀ କେନ୍ଦ୍ରୀୟ ବିଦ୍ୟାଳୟ ପରେ ବାଙ୍ଗାଲୋର୍‌ର ସେଣ୍ଟ ଯୋଶେଫ୍ କଲେଜ୍‌ରେ ସ୍ନାତକ ହାସଲ କରିଥିଲେ। ଗୌହାଟୀ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ପାନବଜାର ସରକାରୀ ଆଇନ ମହାବିଦ୍ୟାଳୟରେ ଆଇନ ଶିକ୍ଷା ଶେଷ କରିଥିଲେ। ଏହା ପରେ ସେ ୧୯୯୦ମସିହାରେ ଆସାମ ଆଇନଜୀବୀ ପରିଷଦରେ ଓକିଲାତି ପେଶାରେ ନାମ ପଞ୍ଜିକରଣ କରିଥିଲେ। ଦେୱାନୀ, ସାମ୍ବିଧାନିକ, ଜମି ଅଧିଗ୍ରହଣ ଆଦି ମାମଲା ପରିଚାଳନାରେ ସେ ବେଶ୍ ସିଦ୍ଧହସ୍ତ। ସେହିପରି ସେ ଗୌହାଟୀ ହାଇକୋର୍ଟରେ ଷ୍ଟାଣ୍ଡି କାଉନ୍‌ସେଲ୍‌, ତ୍ରିପୁରା ନିମନ୍ତେ ଷ୍ଟାଣ୍ଡି କାଉନ୍‌ସେଲ୍ ଭାବରେ ନିଯୁକ୍ତି ପାଇଥିଲାବେଳେ ଆସାମାର ଲ’କମିଶନ ସଦସ୍ୟ ଏବଂ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ର ମଧ୍ୟ ସଦସ୍ୟ ଭାବେ ନିଯୁକ୍ତିି ପାଇଥିଲେ। ୨୦୧୩ ମସିହା ମେ ୨୨ ତାରିଖରେ ଗୌହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ସେ ନିଯୁକ୍ତି ପାଇଥିଲେ। ୨୦୧୮ ମସିହା ନଭେମ୍ବର ୧୨ତାରିଖରେ ଗୌହାଟୀ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ସେ ପଦ ମଣ୍ଡନ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button