ଉତ୍ସବମୁଖର ଇଟ୍ ଉଦଯାପନୀ ସନ୍ଧ୍ୟା

ଭୁବନେଶ୍ୱର: ଇତି ମଧ୍ୟରେ ଶେଷ ହୋଇଛି ଇଟ୍ ସୁବର୍ଣ୍ଣ ଜୟନ୍ତୀ ଜାତୀୟ ନାଟ୍ୟ ପର୍ବ-୨୦୨୪ ଉଦଯାପିତ ହୋଇଯାଇଛି। ଶେଷ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ନାଟକ ‘ ନିର୍ମାଣ୍ ସେ ନିର୍ବାଣ୍ ତକ୍ ‘ | ଡ. ବିଜୟ ମିଶ୍ର ଙ୍କ ରଚିତ ନାଟକର ହିନ୍ଦୀ ଅନୁବାଦ କରିଥିଲେ ନାଟ୍ୟକାର ରାଜେନ୍ଦ୍ର ପ୍ରସାଦ ମିଶ୍ର। ଏହି ହିନ୍ଦୀ ନାଟକର ନିର୍ଦ୍ଦେଶନା ଦେଇଥିଲେ ବିପିନ କୁମାର ଏବଂ ପରିବେଷଣ କରିଥିଲେ ”ଭାରତେନ୍ଦୁ ନାଟ୍ୟ ଏକାଡେମୀ, ଲକ୍ଷ୍ନୌ’’ର କଳାକାର ବୃନ୍ଦ। ଡିସେମ୍ବର ୬ ତାରିଖ ରବୀନ୍ଦ୍ରମଣ୍ଡପ ଚଳଚଞ୍ଚଳ ହୋଇଯାଇଥିଲା। ଦର୍ଶକଙ୍କ ଉତ୍କଣ୍ଠା ୩୨ ଜଣ କଳାକାରଙ୍କୁ ନେଇ ଆସିଥିବା ନାଟକ ‘ନିର୍ମାଣ୍ ସେ ନିର୍ବାଣ୍ ତକ୍ ‘ ପାଇଁ। ଇଣ୍ଟରନ୍ୟାସନାଲ ଥିଏଟର, ଭୁବନେଶ୍ୱର ଦ୍ୱାରା ଆୟୋଜିତ ଚତୁର୍ଥ ସନ୍ଧ୍ୟା ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ଅତିଥିମାନଙ୍କ ମଧ୍ୟରେ ଥିଲେ ବିଶିଷ୍ଟ ନାଟ୍ୟବିତ୍‌ ଓ ନିର୍ଦ୍ଦେଶକ ଶ୍ରୀ ଅନନ୍ତ ମହାପାତ୍ର, ବିଶିଷ୍ଟ ମଞ୍ଚ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀ ସବ୍ୟସାଚୀ ମହାପାତ୍ର, ପ୍ରମେୟର ସମ୍ପାଦକ ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର ଏବଂ ଇଟ୍ ର ପ୍ରତିଷ୍ଠାତା ଓ ବିଶିଷ୍ଟ ଅଭିନେତ୍ରୀ ବିଜୟା ଗୁପ୍ତା। ଥିଏଟରକୁ ଆଉ ପାଦେ ଆଗକୁ ନେବା ପାଇଁ ଯେଉଁମାନଙ୍କ ଅବଦାନ ରହିଛି ସେମାନଙ୍କୁ ପୁରସ୍କୃତ କରିଥିଲା ଇଣ୍ଟରନ୍ୟାସନାଲ ଥିଏଟର, ଭୁବନେଶ୍ୱର। ଶ୍ରୀମତୀ ବିଜୟା ଗୁପ୍ତାଙ୍କୁ ‘ଇଟ୍ ସମ୍ମାନ’ ଏବଂ ଜଷ୍ଠିସ୍ ଦିପକ୍ ମିଶ୍ର ଓ ସବ୍ୟସାଚୀ ମହାପାତ୍ରଙ୍କୁ ‘ଇଟ୍ ବିଶେଷ ସମ୍ମାନ’ ପ୍ରଦାନ କରାଯାଇଥିଲା। ବିଶିଷ୍ଟ ନାଟ୍ୟକାର, ନିର୍ଦ୍ଦେଶକ ହେମେନ୍ଦ୍ର ମହାପାତ୍ର, ନାଟ୍ୟ ଗବେଷକ ଓ ନିର୍ଦ୍ଦେଶକ ଡ. ସନ୍ତୋଷ ଶତପଥୀଙ୍କୁ ‘ଇଟ୍ ସମ୍ମାନ’ ରେ ଭୂଷିତ କରାଯାଇଥିଲା। ନାଟ୍ୟ ଅନୁଷ୍ଠାନ ଭାରତେନ୍ଦୁ ନାଟ୍ୟ ଏକାଡେମୀ, ଲକ୍ଷ୍ନୌ କୁ ମଧ୍ୟ ‘ଇଟ୍ ସମ୍ମାନ’ ପ୍ରଦାନ କରାଯାଇଥିଲା। ତତ୍‌ ସଂଗେସଂଗେ ଅର୍ଗସର ସମ୍ପାଦକ ଦୂର୍ଗାଶିଷ ଏବଂ ସାମ୍ବାଦିକ ରଶ୍ମୀରଂଜନ ସ୍ୱାଇଁଙ୍କୁ ‘ଇଟ୍ ଗଣମାଧ୍ୟମ ସମ୍ମାନ’ ପ୍ରଦାନ କରାଯାଇଥିଲା | ଏହି ନାଟକ ମହୋତ୍ସବରେ ଅନ୍ତର୍ଜାତୀୟ ସ୍ତରରୁ ନାଟକ ପରିବେଷଣ ହେବା ତଥା ଥିଏଟର ପ୍ରେମୀଙ୍କ ପାଇଁ ମହାମିଳନ ପର୍ବର ଆୟୋଜନ କରିଥିବାରୁ ଇଟ୍ ର ନିର୍ଦ୍ଦେଶକଙ୍କୁ ପ୍ରଶଂସା କରିଥିଲେ ଅତିଥି ଓ ଦର୍ଶକବୃନ୍ଦ। ପରିଶେଷରେ ଏନଏସଡିଆନ ତଥା ନାଟ୍ୟ ନିର୍ଦ୍ଦେଶକ ବିପିନ୍ କୁମାରଙ୍କ ଦ୍ୱାରା ଏକ ‘ସ୍ମରଣିକା’ ଉନ୍ମୋଚନ କରାଯାଇଥିଲା | ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ସୁଶୀଳ ପଟ୍ଟନାୟକ। ସର୍ବଶେଷରେ ରାଜ୍ୟ ସଂସ୍କୃତି ବିଭାଗ , ଇଜେଡସିସି, ବିଜ୍ଞାପନଦାତା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ କୃତଜ୍ଞତା ଜଣାଇଥିଲେ ଇଣ୍ଟରନ୍ୟାସନାଲ ଥିଏଟରର ଡ଼ାଇରେକ୍ଟର ମିହିର ମେହେର।

ନାଟକ ସମ୍ପର୍କରେ : ଶ୍ରୀ ବିଜୟ ମିଶ୍ରଙ୍କ ଅତି ପରିଚିତ ନାଟକ “ତଟ ନିରଞ୍ଜନା” ଉପରେ ଆଧାରିତ ଏହା ଏକ ରୂପାନ୍ତର, ଯାହା ହୁଏତ ଏକ ନଦୀର ଭିନ୍ନ ଭିନ୍ନ ସ୍ତର ଦେଇ ଆଗେଇଯିବାର ତତ୍ଵକୁ, ଜୀବନର ଯୌବନ, ପ୍ରୌଢ ଓ ବାର୍ଦ୍ଧକ୍ୟର ଦର୍ଶନ ଭିତ୍ତିରେ ନାଟ୍ୟରୂପ ଦିଆଯାଇଛି । ଆଶ୍ରମର ସନ୍ୟାସିନୀ ଓ ସନ୍ୟାସୀ ଇଚ୍ଛାମତି ଓ ନୀଳଲୋହିତଙ୍କ ସହ ଜୀବନର ଯୌବନ ପର୍ଯ୍ୟାୟରୁ ଚିନ୍ତାଧାରାର ପରିପକ୍ଵ ବୁଦ୍ଧତ୍ୱ ଯାଏଁ,ନାଟକର ବିଷୟ ଭାବେ ନିଆଯାଇଛି । ବୁଦ୍ଧଙ୍କ ପ୍ରମୁଖ ଶିଷ୍ୟ ଆନନ୍ଦଙ୍କ ନୀତି ନିୟମ ଓ ପ୍ରେମିକା ଇଚ୍ଛାମତିଙ୍କ ମୁକ୍ତ ଚିନ୍ତାଧାରା ଭିତରେ ପ୍ରେମିକ ନୀଳଲୋହିତ ଅସ୍ଥିରତା ଭିତରେ ଛଟପଟ ହୁଅନ୍ତି । ନିଜ ତିଆରି ବୌଦ୍ଧଧର୍ମର ମନ୍ତ୍ର – “କାମନା ହିଁ ଦୁଃଖର କାରଣ” । ଏହି ମନ୍ତ୍ରକୁ ଆହ୍ଵାନ କରୁଥିବା ସୁଜାତା ଓ ଇଚ୍ଛାମତିଙ୍କ ପ୍ରଶ୍ନରେ ଆକ୍ରାନ୍ତ ହୋଇ ବୁଦ୍ଧ ବ୍ୟତିବ୍ୟସ୍ତ ହୁଅନ୍ତି । ବୁଦ୍ଧ ନିଜ ରାଜଉଆସକୁ ପୁଣି ଫେରିଯାଇ ଶିଶୁ ପୁତ୍ର ରାହୁଲ ସହ ଛାଡିଆସିଥିବା ପତ୍ନୀ ଯଶୋଧାରାଙ୍କୁ ଭେଟିବା ପରେ ବୁଦ୍ଧଧର୍ମର ମୂଳ ମନ୍ତ୍ରକୁ ନିଜେ ଅସ୍ଵୀକାର କରି, ଅପୂର୍ଣ୍ଣ-ସତ୍ୟର ପୂର୍ଣ୍ଣତା ଖୋଜିବାର ନିଷ୍ପତ୍ତି ନିଅନ୍ତି । ସେତେବେଳକୁ ବୌଦ୍ଧଧର୍ମର ସଂଘ ଏତେ ବଢିଯାଇଥିଲା ଯେ ବ୍ୟକ୍ତିର ଛାଇ ନିଜ ଦେହଠାରୁ ବଡ଼ ଦେଖାଯାଉଥିଲା । ତେଣୁ ନିର୍ମାଣ ହୋଇଥିବା ବୌଦ୍ଧ-ଧର୍ମରେ ଦୀକ୍ଷିତ ସମାଜବା ସଂଘକୁ ଏକ ଆଶଙ୍କା ଓ ମାନସିକ ଦ୍ଵନ୍ଦ୍ବ ଭିତରକୁ ଠେଲି ନଦେବା ଲାଗି ବୁଦ୍ଧଙ୍କ ପୁଣି ସତ୍ୟର ଅନୁସନ୍ଧାନ ଉଦ୍ୟମକୁ ଅନ୍ୟମାନଙ୍କଠାରୁ ଲୁଚେଇ ରଖିବାକୁ ପତ୍ନୀ ଯଶୋଧାରା ଓ ଶିଷ୍ୟ ଆନନ୍ଦ ସିଦ୍ଧାନ୍ତ ନିଅନ୍ତି। ବୁଦ୍ଧଙ୍କୁ ଚୁପ କରାଇବା ଶ୍ରେୟ ହେବ ବୋଲି ଆୟୋଜନ ହୁଏ। ଶେଷରେ ବୁଦ୍ଧ ଚୁପ ହୁଅନ୍ତି ସତ, ହେଲେ ତା ପୂର୍ବରୁ ପୁତ୍ର ରାହୁଲକୁ ଯାହା ସେ ପ୍ରେମିକ-ପ୍ରେମିକା ନୀଳ ଲୋହିତ ଓ ଇଚ୍ଛାମତିଙ୍କ ଠାରୁ ଶୁଣିଥିଲେ ତାହା କହିଦେଇ ଯାଆନ୍ତି । ତାହା ହେଲା – “ମୁକ୍ତ ଭାବେ ନିଜ ଜୀବନର ରାସ୍ତା ନିଜେ ଖୋଜିବା ଉଚିତ। ସତ୍ୟ ପାଇବାର ଅନେକ ରାସ୍ତା ହେଇପାରେ । ଅନ୍ୟ କାହାର ଆବିଷ୍କୃତ ସତ୍ୟକୁ ଅନ୍ଧ ପରି ଅନୁସରଣ କରିବା ଉଚିତ ନୁହେଁ ।“ ଏହା ପରେ ବୁଦ୍ଧ ଚୁପ ହୋଇ ଧ୍ୟାନସ୍ଥ ହୁଅନ୍ତି ଓ ତାଙ୍କର ନିର୍ବାଣ ପ୍ରାପ୍ତି ହୁଏ । ସେଥିଲାଗି ହିନ୍ଦୀ ଭାଷାରେ ରୂପାନ୍ତରିତ “ତଟ ନିରଞ୍ଜନା” ନାଟକର ନାମ–’ ନିର୍ମାଣ୍ ସେ ନିର୍ବାଣ୍ ତକ୍ ‘ ରଖାଯାଇଛି ।

ବିଶେଷ ସୂଚନା :- ୫ ଡ଼ିସେମ୍ବର ପ୍ରତିଷ୍ଠାତା ଗୋବିନ୍ଦ ଗୁପ୍ତାଙ୍କ ଜନ୍ମଦିନ। ତାଙ୍କ ଜନ୍ମଦିବସ ଉପଲକ୍ଷେ ଇଟ୍ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାସହ ପ୍ରତିଷ୍ଠାତା ସ୍ବର୍ଗତ ଗୋବିନ୍ଦ ଗୁପ୍ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଇଣ୍ଟରନ୍ୟାସନାଲ ଥିଏଟରର ସମସ୍ତ କର୍ମକର୍ତ୍ତାବୃନ୍ଦ।

Related Articles

Leave a Reply

Your email address will not be published. Required fields are marked *

Back to top button