ଝାରସୁଗୁଡ଼ା ଜିଲା ଲଖନପୁରଠାରେ ପ୍ରତିଷ୍ଠା ହେବ ଆଇଟିଆଇ

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲାର ଲଖନପୁରଠାରେ ଏକ ଆଇଟିଆଇ ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏହାକୁ ଅନୁମୋଦନ କରିବା ସହ ଏଥିପାଇଁ ୨୪ କୋଟି ୪୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥ ଜିଲା ଖଣିଜ ପାଣ୍ଠିରୁ ବିନିଯୋଗ କରାଯିବ। ସୂଚନାଯୋଗ୍ୟ, ଝାରସୁଗୁଡ଼ା ଜିଲା ଏକ ଖଣିବହୁଳ ଅଞ୍ଚଳ। ଏଠାରେ ଖଣି ଉତ୍ତୋଳନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାମ ପାଇଁ ଦକ୍ଷ ମାନବ ସମ୍ବଳର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଠାରେ ଆଇଟିଆଇ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନୂତନ ଆଇଟିଆଇରେ ୯ଟି ବିଷୟରେ ପ୍ରଶିକ୍ଷଣ ଦିଆଯିବ। ମଞ୍ଜୁର ହୋଇଥିବା ଅର୍ଥରେ ଏକାଡେମିକ ଓ ଓ୍ବାର୍କଶପ୍ ବିଲ୍ଡିଂ ନିର୍ମାଣ କରାଯିବା ସହିତ ବିଭିନ୍ନ ଉପକରଣ ଓ ଯନ୍ତ୍ରପାତି କିଣାଯିବ।