କାଳ ସାଜିଲା ଘନକୁହୁଡ଼ି, ଓଲଟିଲା ୨ ଟ୍ରକ୍‌

ତମାଖୁ ବସ୍ତା ତଳେ ଚାପିହୋଇ ବାପା ପୁଅ ମୃତ

ଭୁବନେଶ୍ବର: କାଳ ସାଜିଲା ଘନକୁହୁଡ଼ି । ଘନ କୁହୁଡ଼ି ଯୋଗୁଁ ଗଞ୍ଜାମ ଖଲ୍ଲିକୋଟ ଥାନାଠାରୁ କିଛି ଦୂରରେ ଏକ ତମାଖୁ ବୋଝେଇ ଟ୍ରକ ଓଲଟି ପଡ଼ିଥିଲା । ଏହି ଟ୍ରକ ତଳେ ଚାପି ହୋଇ ବାପା ପୁଅଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ଆଜି ଭୋର ସମୟରେ ଘନ କୁହୁଡି ଯୋଗୁଁ ବଡ଼ ଘାଟି ରାସ୍ତାରୁ ଖଲ୍ଲିକୋଟ ଆଡ଼କୁ ଖସୁଥିବା ଏକ ତମାଖୁ ଟ୍ରକ ଭାରସାମ୍ୟ ହରାଇ ଖଲ୍ଲିକୋଟ-କେଶପୁର ରାସ୍ତାରେ ଓଲଟି ପଡ଼ିଥିଲା । କର୍ଣ୍ଣାଟକରୁ ତମାଖୁ ବୋଝେଇ କରି ପଶ୍ଚିମବଙ୍ଗ ଯାଉଥିବା ଟ୍ରକ ନମ୍ବର (ଏପି-୩୯-ୟୁ-୪୬୭୯) ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିବାରୁ ଡ୍ରାଇଭର ଖଦାର ଅଲ୍ଲୀ ଓ ହେଲ୍ପର୍ ରମେଶ ଆହତ ହୋଇଥିଲେ । ତାଙ୍କୁ ଖଲ୍ଲିକୋଟ ମେଡ଼ିକାଲରେ ଚିକିତ୍ସା କରାଯାଇଛି । ତେବେ ସେହି ସମୟରେ କୋଦଳା ଥାନା ଅନ୍ତର୍ଗତ ସମା ଗ୍ରାମର ବାପା ବାବୁଲା ପ୍ରଧାନ(୫୨) ଓ ପୁଅ ରାକେଶ ପ୍ରଧାନ(୨୬) ଏକ ବଜାଜ ପଲ୍‌ସର ବାଇକ (ଓଡ଼ି-୦୭-ଏଜେ-୨୯୯୭) ଯୋଗେ ଖଲ୍ଲିକୋଟ ଦେଇ ଭେଜିପୁଟ ଯାଉଥିଲେ । ତମାଖୁ ବସ୍ତା ତଳେ ବାଇକ ସମେତ ବାପା ପୁଅ ଚାପି ହୋଇ ରହିଯାଇଥିଲେ । କିନ୍ତୁ ଏ ସମ୍ପର୍କରେ କେହି ଜାଣି ପାରି ନ ଥିଲେ । ଅପରାହ୍ନ ଗୋଟାଏରେ ତମାଖୁ ବସ୍ତାଗୁଡ଼ିକ ବାହାର କରିବା ସମୟରେ ପ୍ରଥମେ ପୁଅ ରାକେଶଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ରାକେଶଙ୍କ ମୃତଦେହ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲକୁ ପଠାଯାଇଥିଲା । ଖବର ପାଇ ସମା ଗ୍ରାମରୁ ପରିବାର ଲୋକେ ଖଲ୍ଲିକୋଟ ମେଡିକାଲରେ ପହଞ୍ଚି ଥିଲେ । ଏହାପରେ ପୁଣି ବସ୍ତା ଗୁଡ଼ିକ ବାହାର କରିବାରୁ ଅପରାହ୍ନ ୪ଟା ବେଳେ ବାପା ବାବୁଲା ପ୍ରଧାନଙ୍କ ମୃତଦେହ ମିଳିଥିଲା । ମୃତ ବାପା ପୁଅ ଭେଜିପୁଟ ଗ୍ରାମକୁ ମିସ୍ତ୍ରି କାମ କରିବା ପାଇଁ ଯାଉଥିଲେ । ମୃତ ବାବୁଲାଙ୍କ ଘରେ ବିଧବା ପତ୍ନୀ ଓ ଦୁଇ ଅବିବାହିତ ଝିଅ ଅଛନ୍ତି । ତମାଖୁ ବୋଝେଇ ଟ୍ରକ ଓଲଟିବାର ପ୍ରାୟ ଏକ ଘଣ୍ଟା ପରେ ସେହି ସ୍ଥାନରେ ଆଉ ଏକ ଟ୍ରକ ଓଲଟି ପଡ଼ିଥିଲା । ଚେନ୍ନାଇରୁ ଷ୍ଟିଲ କଞ୍ଚା ମାଲ ବୋଝେଇ ଟ୍ରକ (ସିଜି-୦୪-ଏମ୍‌ଏଚ-୦୧୬୬) ଯାଜପୁର ଅଭିମୁଖେ ଯାଉଥିବା ବେଳେ ଠିକ ସେହି ସ୍ଥାନରେ ବ୍ରେକ ଫେଲ ହୋଇ ଯିବାରୁ ଏକ ଇଣ୍ଡିଗୋ କାର (ଓଡ଼ି-୦୨-ବିୟୁ-୮୭୮୬) ଓ ଏକ ଅଟୋକୁ ଧକ୍କା ଦେଇ ଓଲଟି ପଡ଼ିଥିଲା । ଫଳରେ ଡ୍ରାଇଭର ପ୍ରଦୀପ କୁମାର ଆହତ ହୋଇ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ସୂଚନାଥାଉ କି ଗତ ସୋମବାର ସନ୍ଧ୍ୟାରେ ଜାତୀୟ ରାଜପଥରେ ଏକ ବୁଲେଟ ବୋଝେଇ କଣ୍ଟେନର ଓଲଟି ପଡ଼ିବାରୁ ବ୍ରହ୍ମପୁର-ଭୁବନେଶ୍ୱର ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ବ୍ରହ୍ମପୁର ପଟୁ ଆସୁଥିବା ଗାଡ଼ି ଗୁଡ଼ିକୁ ବଡ଼ ଘାଟି ରାସ୍ତାରୁ ଖଲ୍ଲିକୋଟ-କେଶପୁର ରାସ୍ତା ଦେଇ ଭୁବନେଶ୍ୱର ଯିବା ପାଇଁ ଛଡ଼ାଯାଇଥିଲା ।

Related Articles

Leave a Reply

Your email address will not be published.

Back to top button