ଇଟର ସୁବର୍ଣ୍ଣ ଜୟନ୍ତୀ ଜାତୀୟ ନାଟ୍ୟ ପର୍ବ-୨୦୨୪
ଭୁବନେଶ୍ବର: ଇଣ୍ଟରନ୍ୟାସନାଲ୍ ଥିଏଟର (ଇଟ୍)ର ୪ ଦିନିଆ ସୁବର୍ଣ୍ଣ ଜୟନ୍ତୀ ଜାତୀୟ ନାଟ୍ୟ ପର୍ବ-୨୦୨୪ ରବୀନ୍ଦ୍ରମଣ୍ଡପଠାରେ ଗତ ୩ ଡିସେମ୍ୱରରେ ଉଦଘାଟିତ ହୋଇଯାଇଛି । ପ୍ରଥମ ସନ୍ଧ୍ୟାରେ କୋଲକାତାର ‘ହ. ଜ. ବ. ର. ଲ.’ ପକ୍ଷରୁ ବଙ୍ଗଳା ନାଟକ ‘ଅନିକେତ ସନ୍ଧ୍ୟା’ ମଞ୍ଚସ୍ଥ ହୋଇଥିଲା। ଏହାର ନାଟ୍ୟ ରଚନା ଓ ନିର୍ଦ୍ଦେଶନା ଦେଇଥିଲେ ଚନ୍ଦନ ସେନ୍। ଏହି ଅବସରରେ ୫ଜଣ ବିଶିଷ୍ଟ ବ୍ୟକ୍ତିତ୍ବଙ୍କୁ ‘ଇଟ୍ ସମ୍ମାନ’ ରେ ସମ୍ମାନିତ କରାଯାଇଥିଲା । ସେମାନେ ହେଲେ ବିଶିଷ୍ଟ ନାଟ୍ୟକାର ରମେଶ ପାଣିଗ୍ରାହୀ, ନାଟ୍ୟ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ, ଅଭିନେତା ବିନୟକ ମିଶ୍ର, ନିର୍ଦ୍ଦେଶକ ତଥା ସଙ୍ଗୀତକାର ପ୍ରସନ୍ନ ମିଶ୍ର, ସାମ୍ବାଦିକ ମନୋରଞ୍ଜନ ମହାନ୍ତି । ଅତିଥି ଭାବେ ପ୍ରାକ୍ତନ ନିର୍ବାଚନ କମିଶନର ସଞ୍ଜୀବ ଚନ୍ଦ୍ର ହୋତା, ପ୍ରାକ୍ତନ ସଂସ୍କୃତି ସଚିବ ତଥା ଆୟକର ଆୟୁକ୍ତ ମନୋରଞ୍ଜନ ପାଣିଗ୍ରାହୀ, ପିପିଏଲ କର୍ପୋରେଟ ଆଫେୟାର୍ସ ସୁଧୀରଞ୍ଜନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ନିର୍ଦ୍ଦେଶକ ଇଟ୍ ସମ୍ମାନ , ମିହିର ମେହେର ଓ ସାଥୀ।ନାଟ୍ୟସଂସ୍କାର ସୁବର୍ଣ୍ଣ ଜୟନ୍ତୀ ପାଳନ ପୂର୍ବାହ୍ନରେ ଏକ ଆଲୋଚନା ଚକ୍ରରୁ ଆରମ୍ଭ ହୋଇଥିଲା।ଏଥିରେ ବକ୍ତାଭାବେ ନାଟ୍ୟକାର ଓ ନିର୍ଦ୍ଦେଶକ ଚନ୍ଦନ ସେନ୍, ସତ୍ୟବ୍ରତ ରାଉତ, ମନୋଜ ପଟ୍ଟନୟକ, ସୁବୋଧ ପଟ୍ଟନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ।ଇଟ୍ ର ନିର୍ଦ୍ଦେଶକ ମିହିର ମେହେର ସ୍ବାଗତ ଜଣାଇ ‘ଓଡ଼ିଶାର ନାଟକ ସହ ଜାତୀୟ ନାଟକର ସମ୍ପର୍କ ଓ ସମ୍ଭାବନା ସମ୍ପର୍କରେ ସୂଚନା ଦେଇଥିଲେ। ସଭାପତିତ୍ୱ କରିଥିଲେ ନାଟ୍ୟ ଗବେଷକ ଡ. ନାରାୟଣ ସାହୁ।