ସର୍ବାଧିକ ଚାଉଳ ରପ୍ତାନି କରି ଅନ୍ୟ ଦେଶକୁ ମଧ୍ୟ ଖାଦ୍ୟ ଯୋଗାଉଛି ଭାରତ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ବର : ଚାଉଳ ଭାରତୀୟ ଖାଦ୍ୟ ସୁରକ୍ଷାର ଏକ ପ୍ରମୁଖ ଆଧାର ଏବଂ ଦେଶର ଅର୍ଥ ବ୍ୟବସ୍ଥାର ଏକ ମୁଖ୍ୟ ଅଙ୍ଗ । ଭାରତ ହେଉଛି ଚାଉଳର ଏକ ପ୍ରମୁଖ ଉପଭୋକ୍ତା ଏବଂ ବଡ଼ ରପ୍ତାନିକାରୀ ଦେଶ । ଦେଶ ସ୍ୱାଧୀନ ହେବା ସମୟରେ ଆମେ ନିଜର ଖାଦ୍ୟ ଆବଶ୍ୟକତା ପୂରଣ ଲାଗି ଅନ୍ୟମାନଙ୍କ ଉପରେ ନିର୍ଭର କରୁଥିଲୁ । କିନ୍ତୁ ଦେଶ ଆଜି ଏପରି ନିର୍ଭରଶୀଳତାରୁ ମୁକ୍ତ ହୋଇପାରିଛି ଏବଂ ଅନ୍ୟ ଦେଶକୁ ଖାଦ୍ୟ ଯୋଗାଉଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ।
କଟକ ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (ଏନ୍ଆର୍ଆର୍ଆଇ)ରେ ଅନୁଷ୍ଠିତ ଇଣ୍ଡିଆନ ଦ୍ୱିତୀୟ ରାଇସ୍ କଂଗ୍ରେସର ଉଦଘାଟନ ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଲେ ଯେ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନକୁ ଯଥେଷ୍ଟ ଶ୍ରେୟ ଦିଆଯିବା ଉଚିତ୍ । ଏହି ଗବେଷଣା ପ୍ରତିଷ୍ଠାନ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ବ୍ୟାପକ ସହଯୋଗ କରିଛି ଏବଂ ଚାଷୀଙ୍କ ଜୀବନରେ ସୁଧାର ଆଣିପାରିଛି । ବିଗତ ଶତାବ୍ଦୀରେ ଜଳସେଚନ ସୁବିଧାର ସମ୍ପ୍ରସାରଣ ହୋଇଥିଲା । ନୂଆ ସ୍ଥାନରେ ଧାନ ଅମଳ ହେଲା ଏବଂ ଧାନକୁ ନୂଆ ଉପଭୋକ୍ତା ମିଳିଥିଲେ । ଧାନ ଫସଲ ପାଇଁ ପ୍ରଚୁର ମାତ୍ରାରେ ଜଳର ଆବଶ୍ୟକତା ରହିଛି । କିନ୍ତୁ ଆଜି ଜଳବାୟୁ ପରିବର୍ତ୍ତନ କାରଣରୁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଜଳାଭାବ ସମସ୍ୟା ଦେଖା ଦେଇଛି । ମରୁଡ଼ି, ବନ୍ୟା ଓ ବାତ୍ୟା ଭଳି ବିପର୍ଯ୍ୟୟ ଏବେ ବାରମ୍ବାର ଦେଖିବାକୁ ମିଳୁଛି; ଯାହାକି ଧାନ ଚାଷକୁ ଅଧିକ ବିପଦରେ ପକାଉଛି । ଏବେ ଧାନ ଚାଷର ନୂତନ ପଦ୍ଧତି ଆବିଷ୍କାର ହୋଇଥିଲେ ମଧ୍ୟ ପାରମ୍ପରିକ କିସମର ଧାନ ଚାଷକୁ ନାନା ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି । ଏଭଳି ପରିସ୍ଥିତିରେ ଆମେ ମଧ୍ୟମ ମାର୍ଗ ଆପଣାଇବା ଉଚିତ୍ । ଗୋଟିଏ ପଟେ ପାରମ୍ପରିକ କିସମର ସଂରକ୍ଷଣ ଏବଂ ସୁରକ୍ଷା ସହିତ ଅନ୍ୟପଟେ ପରିବେଶ ସନ୍ତୁଳନ ବଜାୟ ରଖିବାକୁ ହେବ । ଆଉ ଏକ ସମସ୍ୟା ହେଉଛି ଅତ୍ୟଧିକ ରାସାୟନିକ ସାର ଉପଯୋଗ କାରଣରୁ ମୃତ୍ତିକା କ୍ଷୟ । ଆଧୁନିକ ଧାନ ଚାଷ ପାଇଁ ଏହାକୁ ଜରୁରୀ ବୋଲି ବିବେଚନା କରାଯାଉଛି । ମୃତ୍ତିକାକୁ ସୁସ୍ଥ ରଖିବାକୁ ହେଲେ ଆମକୁ ଏଭଳି ସାର ଉପରେ ନିର୍ଭରଶୀଳତା କମାଇବାକୁ ପଡ଼ିବ । ଆମର ବୈଜ୍ଞାନିକମାନେ ପରିବେଶ ଅନୁକୂଳ ଧାନ ଚାଷ ପଦ୍ଧତି ଉଦ୍ଭାବନ କରିପାରିବେ ବୋଲି ଶ୍ରୀମତୀ ମୁର୍ମୁ ବିଶ୍ୱାସ ପ୍ରକଟ କରିଥିଲେ । ଯୁବ ବୈଜ୍ଞାନିକ, ବିଶେଷ କରି ମହିଳା ବୈଜ୍ଞାନିକଙ୍କୁ ଦେଖି ସେ ଖୁସି ବ୍ୟକ୍ତ କରିଥିଲେ । ବିଭିନ୍ନ ପୂଜାପର୍ବାଣୀରେ ଧାନର ଭୂମିକା ଅନସ୍ୱୀକାର୍ଯ୍ୟ । ଭାରତ ସର୍ବାଧିକ ଚାଉଳ ରପ୍ତାନି କରି ଅନ୍ୟ ଦେଶକୁ ମଧ୍ୟ ଖାଦ୍ୟ ଯୋଗାଉଛି । ଅତ୍ୟଧିକ ସାର ବ୍ୟବହାର ମାଟିର ମାନ ନଷ୍ଟ କରୁଛି । ଏଣୁ ଇକୋଫ୍ରେଣ୍ଡଲି ଉପାୟରେ ଧାନ ଉତ୍ପାଦନ କରିବା ଦିଗରେ କୃଷି ବୈଜ୍ଞାନିକମାନଙ୍କ ଉଦ୍ୟମ ଲୋଡ଼ା । ଆମ ବୈଜ୍ଞାନିକମାନେ ଏଥିପାଇଁ କାର୍ଯ୍ୟ କରିବେ ବୋଲି ମୋର ଆଶା ରହିଛି । ଚାଉଳ ଆମ ଖାଦ୍ୟ ସୁରକ୍ଷାର ଆଧାର, ଆମେ ଏହାର ପୋଷକ ତତ୍ତ୍ୱ ବିଷୟରେ ମଧ୍ୟ ଚିନ୍ତା କରିବା ଉଚିତ୍ । କମ ଆୟ ବର୍ଗର ବହୁ ସଂଖ୍ୟାରେ ଲୋକମାନେ ଖାଦ୍ୟ ପାଇଁ ଚାଉଳ ଉପରେ ନିର୍ଭର କରିଥାନ୍ତି । ଏହା ସେମାନଙ୍କ ପାଇଁ ଦୈନିକ ପୋଷଣର ଏକମାତ୍ର ଉତ୍ସ । ତେଣୁ ଚାଉଳ ମାଧ୍ୟମରେ ପ୍ରୋଟିନ, ଭିଟାମିନ ଓ ଅନ୍ୟ ଜରୁରି ପୋଷକ ତତ୍ତ୍ୱ ଯୋଗାଇ ଦେବା ଦ୍ୱାରା କୁପୋଷଣକୁ ଦୂର କରାଯାଇପାରିବ ବୋଲି ରାଷ୍ଟ୍ରପତି କହିଛନ୍ତି । ଆଇସିଏଆର-ଏନଆରଆରଆଇ ପକ୍ଷରୁ ଭାରତର ପ୍ରଥମ ଉଚ୍ଚ ପ୍ରୋଟିନଯୁକ୍ତ ଧାନ ‘ସିଆର ଧାନ ୩୧୦’ ବିକଶିତ କରାଯାଇଥିବାରୁ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ । ବିଜ୍ଞାନ କିଭଳି ସମାଜ ସେବା କରିପାରୁଛି ତାହା ଏଭଳି ଜୈବପୋଷଣ ଯୁକ୍ତ କିସମର ଧାନ ବିକଶିତ କରାଯିବା ଦ୍ୱାରା ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି ଯେ କୃଷି ଓ କୃଷକଙ୍କର ବିକାଶ ଲାଗି କେନ୍ଦ୍ର ସରକାର ନିରନ୍ତର ଚେଷ୍ଟା ଚଳାଇଛି । କୃଷକମାନଙ୍କ ସୁରକ୍ଷା ଓ କ୍ଷତି ଭରଣ ଯୋଜନା ଯୋଗୁଁ ଚାଷୀ ଭାଇ ବେଶ୍ ଉପକୃତ ହେଉଛନ୍ତି । ଏଥର ବଜେଟରେ ମଧ୍ୟ କୃଷି କ୍ଷେତ୍ର ପାଇଁ ଅଧିକ ବ୍ୟୟ ବରାଦ କରାଯାଇଛି । ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଆମ ଦେଶ ଯେ କେବଳ ଆତ୍ମନିର୍ଭର ହୋଇପାରିଛି, ତାହା ନୁହେଁ ଅନ୍ୟ ଦେଶକୁ ଖାଦ୍ୟ ରପ୍ତାନି କରିବା ସହ ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ଦେଶ ଗୁଡ଼ିକୁ ଖାଦ୍ୟ ସହାୟତା ଦେଇ ପାରିଛି । ଭାରତ ସାରା ବିଶ୍ୱରେ ଧାନ ଉତ୍ପାଦନରେ ପ୍ରଥମ ହୋଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗ ଦେଇ କହିଲେ ଯେ ଚାଉଳ ଆମ ଲୋକଙ୍କ ମୁଖ୍ୟ ଖାଦ୍ୟ ଯାହାକି ଆମ ସଂସ୍କୃତି ଓ ପରମ୍ପରା ସହ ଯୋଡ଼ି ହୋଇରହିଛି । ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଲେ, ଓଡ଼ିଶା ଖାଲି ଚାଉଳ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇନାହିଁ ବରଂ ଅନ୍ୟ ୬ଟି ରାଜ୍ୟକୁ ଚାଉଳ ରତ୍ପାନୀ କରୁଛି । ଚାଉଳ ଉତ୍ପାଦନ ବୃଦ୍ଧି ପାଇଁ ଓଡ଼ିଶାରେ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଓ ରାଜ୍ୟପାଳ କେତେକ ପୁସ୍ତକ ଉନ୍ମୋଚନ କରିଥିଲେ । ଭାରତୀୟ କୃଷି ଅନୁସନ୍ଧାନର ମହାନିର୍ଦ୍ଦେଶକ ଡକ୍ଟର ହିମାଂଶୁ ପାଠକ ସ୍ୱାଗତ ଭାଷଣ ଦେଇ ଏହି ଅଧିବେଶନର ମୂଳ ଲକ୍ଷ୍ୟ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏଥିରେ ଆସୋସିଏସନ ଅଫ ରାଇସ ରିସର୍ଚ୍ଚ ୱର୍କସ ଅଧ୍ୟକ୍ଷ ଡ. ପି. କେ. ଅଗ୍ରୱାଲ, ଧାନ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ଏ. କେ. ନାୟକ ଓ ସଚିବ ଡ. ଏସ୍. ଶାହା ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ଆର୍ଡିସି ସୁରେଶ ଚନ୍ଦ୍ର ଦଳାଇ, ଜିଲାପାଳ ଡ. ଭବାନୀ ଶଙ୍କର ଚୟନୀ, ଡିସିପି ପିନାକ ମିଶ୍ର, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସୁରେନ୍ଦ୍ର ପରିଡ଼ା, ଉପନିର୍ଦ୍ଦେଶକ ହେମନ୍ତ ନାୟକ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ୪ ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ କୃଷକଙ୍କ ସମେତ ଦେଶବିଦେଶର ବୈଜ୍ଞାନିକ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ତଥା ଅନ୍ୟ ବିଭାଗର ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।