ଜେଲ୍ ବନ୍ଦୀଙ୍କ ମୃତ୍ୟୁ ହେଲେ ନିକଟ ସମ୍ପର୍କୀୟ ପାଇବେ ଆର୍ଥିକ କ୍ଷତିପୂରଣ

ଭୁବନେଶ୍ୱର: ହାଇକୋର୍ଟ ଓ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଜେଲ୍ ଅନ୍ତେବାସୀଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ନିୟମାବଳୀ-୨୦୨୩ ପ୍ରଣୟନ କରିଛନ୍ତି । ଏଣିକି ଓଡ଼ିଶା ଜେଲ୍‌ରେ ରହୁଥିବା ଅନ୍ତେବାସୀଙ୍କ କୌଣସି କାରଣରୁ ମୃତ୍ୟୁ ହେଲେ ସେମାନଙ୍କର ନିକଟ ସମ୍ପର୍କୀୟଙ୍କୁ ରାଜ୍ୟ ସରକାର ଆର୍ଥିକ କ୍ଷତିପୂରଣ ପ୍ରଦାନ କରିବେ । ଏନେଇ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।
ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷରେ ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପୂର୍ବରୁ ଏନେଇ କୌଣସି ବିଧିବଦ୍ଧ ନିୟମ ନଥିଲା । କୃଷ୍ଣ ପ୍ରସାଦ ସାହୁ ବନାମ ଓଡ଼ିଶା ସରକାର ରିଟ୍ ପିଟିସନ-୬୬୧୦/୨୦୦୬ ଆଧାରରେ ହାଇକୋର୍ଟ ଗତ ୨୩ ଡିସେମ୍ବର ୨୦୨୧ ଆଦେଶ ସଂଖ୍ୟା ୩୩ ଆଧାରରେ ଜେଲ ବନ୍ଦୀଙ୍କର ମୃତ୍ୟୁ ହେଲେ ସେମାନଙ୍କର ନିକଟ ସମ୍ପର୍କୀୟଙ୍କୁ ରାଜ୍ୟ ସରକାର ଆର୍ଥିକ କ୍ଷତିପୂରଣ ପ୍ରଦାନ କରିବେ । ସେଥିପାଇଁ ରାଜ୍ୟ ସରକାର ନୂଆ ନିୟମାବଳୀ-୨୦୨୩ ପ୍ରଣୟନ କରିଛନ୍ତି ।
ଏକ ନିୟମାବାଳୀକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଥିବାରୁ ବହୁ ବନ୍ଦୀ ସମ୍ପର୍କୀୟ ଉପକୃତ ହେବେ । ସେହିପରି ତୃତୀୟ ଲିଙ୍ଗୀ ସନ୍ତାନକୁ ମିଳିବ ପରିବାର ପେନ୍‌ସନ୍ । ପରିବାର ପେନସନ ପାଇବା ନିମନ୍ତେ ୨୫ ବର୍ଷରୁ ଉର୍ଦ୍ଧ୍ୱ ଅବିବାହିତା,ବିଧବା ବା ସ୍ୱାମୀ ପରିତ୍ୟକ୍ତା କନ୍ୟାଙ୍କ କ୍ଷେତ୍ରରେ ମାସିକ ଆୟ ସୀମା ୪୪୪୦ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏନେଇ ୧୯୯୨ ବେସାମରିକ ସେବା(ପେନସନ) ନିୟମାବଳୀର ସଂଶୋଧନ ହୋଇଛି ।
ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟ ସରକାର ବିମାନ ଇନ୍ଧନରେ ଭାଟ୍‌କୁ ୧%କୁ ହ୍ରାସ କରିଛନ୍ତି । ସମ୍ବଲପୁରରେ ତ୍ରିଲୋଚନ ନେତ୍ରାଳୟ ପାଇଁ ୫ଏକର ଜମି ବିନା ମୂଲ୍ୟରେ ଦେବା ପାଇଁ କ୍ୟାବିନେଟ୍ ଅନୁମୋଦିତ ଦେଇଛନ୍ତି । ଏମ୍‌ଏସଏମ୍‌ଇ ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ସଂଶୋଧନ ହେବ । ଏମ୍‌ଏସ୍‌ଏମ୍‌ଇ ଉନ୍ନୟନ ନୀତି-୨୦୧୬ରେ ସଂଶୋଧନ ହେବ ।
ଅନ୍ୟପକ୍ଷରେ ଆଗାମୀ ୫ ବର୍ଷ ପାଇଁ ଅର୍ଥାତ ୨୦୨୩-୨୪ରୁ ୨୦୨୭-୨୮ ମଧ୍ୟରେ ଡ୍ରେନେଜ୍ ଉନ୍ନତି କାର୍ଯ୍ୟକ୍ରମ ଯୋଜନାକୁ ୧୪ଶହ କୋଟି କ୍ୟାବିନେଟ୍ ଅନୁମୋଦନ ଲାଭ କରିଛି । ଏହାଦ୍ୱାରା ୬୯୬୯ କିମିର ଡ୍ରେନେଜ୍ ଚ୍ୟାନେଲର ଖନନ, ଉନ୍ନତି ଓ ନବୀକରଣ କରାଯାଇ ୧୦୫୮୬୮ ହେକ୍ଟର ଚାଷ ଜମିକୁ ଜଳବନ୍ଦୀ ମୁକ୍ତ କରାଯିବ । ଏନେଇ ଉପକୂଳବର୍ତ୍ତୀ ୧୭ ଅବବାହିକା ଓ ୩ ଅଣ ଅବବାହିକା ଅଞ୍ଚଳରେ ଜଳ ନିଷ୍କାସନ ହେବ । ହଜାର ହଜାର ସଂଖ୍ୟାରେ ଚାଷୀ ଉପକୃତ ହୋଇପାରିବେ । ସେହିପରି ରାଜଧାନୀ ଭୁବନେଶ୍ୱରରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା କାରଣରୁ ପାନୀୟ ଜଳର ଚାହିଦା ମଧ୍ୟ ବଢ଼ିଛି । ଜଳଯୋଗାଣ ପାଇଁ ପ୍ରତିଷ୍ଠା ହେବ ଟ୍ରିଟ୍‌ମେଣ୍ଟ୍ ପ୍ଲାଣ୍ଟ୍ । ଏହି ସୂଚନା ଦେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ, ୧୩୦ ଏମ୍‌ଏଲ୍‌ଡି ୱାଟର୍ ଟ୍ରିଟ୍‌ମେଣ୍ଟ୍ ପ୍ଲାଣ୍ଟ୍ ହେବ । ୨୦୨୩କୁ ଲକ୍ଷ୍ୟ ରଖି ଏହା ନିର୍ମାଣ କରାଯାଇଛି । ଏଥିପାଇଁ ୨୮୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଆସନ୍ତା ୨ ବର୍ଷ ମଧ୍ୟରେ ଏହି ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button