ସନ୍ଦେହ ଘେରରେ ଡାକ୍ତରାଣୀଙ୍କ ମୃତ୍ୟୁ ଘଟଣା

ଯୋଡ଼ା: ଯୋଡ଼ା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶୁଭଶ୍ରୀ କର (୨୫)ଙ୍କ ମୃତ୍ୟୁକୁ ନେଇ ଧୀରେ ଧୀରେ ସନ୍ଦେହ ଘନିଭୂତ ହେବାରେ ଲାଗିଛି । ଜିରୋ ନାଇଟ୍‌କୁ ଧୁମ୍‌ଧାମ୍‌ରେ ପାଳନ କରିଥିବା ଶୁଭଶ୍ରୀ କେଉଁ କାରଣରୁ ସେହି ରାତିରେ ହିଁ ଆତ୍ମହତ୍ୟା କଲେ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତାଙ୍କ ଆତ୍ମହତ୍ୟା ପଛରେ ତାଙ୍କର ପ୍ରେମିକ ଡାକ୍ତର ଦିବ୍ୟରଜ୍ଞନ ମାଝିଙ୍କର କୌଣସି ହାତ ଅଛି କି ବୋଲି ଏବେ ପ୍ରଶ୍ନ ଉଠିଛି ।
ବନେଇକଳା ବସ୍ତିରେ ଥିବା ଯୋଡ଼ା ବ୍ଲକ୍ ଅଧ୍ୟକ୍ଷ କବିନ୍ଦ୍ର ନାଏକଙ୍କ ଏକ ଘରକୁ ଭଡ଼ାରେ ନିଆଯାଇ ନିରାମୟ ଯୋଜନାରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଚାଲିଥିଲା । ସେହି ସ୍ୱାସ୍ଥ୍ୟ କେନ୍ଦ୍ରର ଉପର ମହଲାରେ ଡାକ୍ତର ଶୁଭଶ୍ରୀ କର ଭଡ଼ାରେ ରହୁଥିଲେ । ସେ ମାତ୍ର ୭ ମାସ ହେଲା କାର୍ଯ୍ୟରେ ଯୋଗଦେଇଥିବା ବେଳେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ଗୁରୁ ଦାୟିତ୍ୱ ନିର୍ବାହ କରିଆସୁଥିଲେ । ୩୧ ଡିସେମ୍ବର ରାତିରେ ଶୁଭଶ୍ରୀ ଏବଂ ତାଙ୍କର ୭ ଜଣ ସହକର୍ମୀ ଧୁମ୍‌ଧାମରେ ଜିରୋ ନାଇଟ ସେଲିବ୍ରେସନ ଡାକ୍ତରଖାନାରେ ପାଳନ କରିଥିଲେ । ଏଥିରେ ନାଚଗୀତର ଆୟୋଜନ ସହ ଖାଦ୍ୟପେୟର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଏହାର ସମସ୍ତ ଆୟୋଜନ ଶୁଭଶ୍ରୀ କରିଥିବା ଜଣାପଡିଛି । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏହି ସେଲିବ୍ରେସନ ଚାଲିଥିବା ବେଳେ ରାତି ଦୁଇଟାରେ ସମସ୍ତେ ଘରକୁ ଫେରିଥିଲେ । ପରଦିନ ରବିବାର ଯୋଗୁଁ ଚିିକିତ୍ସାଳୟ ଛୁଟିଥିବା ବେଳେ ଶୁଭଶ୍ରୀ ଡାକ୍ତରଖାନା ଆସିନଥିଲେ । ଦିନ ତମାମ ତଳକୁ ନ ଓହ୍ଲାଇବାରୁ ସନ୍ଧ୍ୟାରେ ଜଣେ କର୍ମଚାରୀ ତାଙ୍କ ଘରକୁ ଯାଇଥିବା ବେଳେ ଭିତର ପଟୁ କବାଟ ବନ୍ଦ ଥିବା ଜାଣି ପୁଲିସକୁ ଖବର ଦେଇଥିଲେ । ଯୋଡା ପୁଲିସ ବଡବିଲ ତହସିଲଦାରଙ୍କ ଉପସ୍ଥିତିରେ ଘଟଣା ସ୍ଥଳରେ ପହଞ୍ଚି ଶୁଭଶ୍ରୀଙ୍କ ଭଡା ଘରର କବାଟ ତାଡି ତାଙ୍କୁ ଅଚେତ ଅବସ୍ଥାରେ ପାଇଥିଲେ । ତାଙ୍କୁ ତୁରନ୍ତ ଯୋଡାସ୍ଥିତ ଟାଟା ଡାକ୍ତରଖାନାକୁ ଅଣାଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶୁଭଶ୍ରୀଙ୍କ ଘର କଟକ ଜିଲ୍ଲା ବୟାଳିଶମୌଜା ବେଣ୍ଟକାରରେ ବୋଲି ଜଣାପଡିଛି । ତାଙ୍କର ବାପା ଜଣେ ଅବସରପ୍ରାପ୍ତ ବାୟୁସେନା କର୍ମଚାରୀ । ସେ ଏବେ ରାଉରକେଲାରେ ଅବସ୍ଥାପିତ । ତାଙ୍କର ଏହି ମୃତ୍ୟୁ ପଛରେ ପ୍ରେମିକ ଡାକ୍ତର ଦିବ୍ୟରଞ୍ଜନ ମାଝିଙ୍କର କିଛି ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି । କାରଣ ଦିବ୍ୟରଞ୍ଜନଙ୍କ ନାଁରେ ଶୁଭଶ୍ରୀ ଗତ ମାସ ୨୦ ତାରିଖରେ ଯୋଡ଼ା ଥାନାରେ ଏକ ଏତଲା ଦେଇଥିଲେ । ସେହି ଏତଲାରେ ସେ ଦର୍ଶାଇଥିଲେ ଯେ ଦୀର୍ଘ ୬ ବର୍ଷ ଧରି ରୁଗୁଡି ଥାନା ଅନ୍ତର୍ଗତ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଡାକ୍ତର ଦିବ୍ୟ ରଞ୍ଜନ ମାଝିଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା । ଉଭୟ ଗୋଟିଏ ସ୍ଥାନରେ ଡାକ୍ତରୀପାଠ ପଢୁଥିଲେ । ଦିବ୍ୟ ତାଙ୍କୁ ବିବାହର ପ୍ରଲୋଭନ ଦେଇ ୨ ଥର ଶୁଭଶ୍ରୀଙ୍କ ଭଡ଼ା ଘରେ ଶାରିରୀକ ସମ୍ପର୍କ ରଖିଥିଲେ । ଏବେ ସେ ତାଙ୍କୁ ବିବାହ କରିବାକୁ ମନା କରୁଥିବାରୁ ଯୋଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅନୁରୋଧ କରିଥିଲେ । ଯୋଡ଼ା ଥାନା କେସ୍ ନଂ. ୩୬୩/୨୨ରେ ଏକ ଦୁଷ୍କର୍ମ ମାମଲା ଦଫା ୪୧୭ ଓ ୩୭୬ରେ ଦାୟର କରାଯାଇ ବଡବିଲ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦିଆଯାଇଥିଲା । ୨୩ ତାରିଖରେ ବିଚାରପତି ଶୁଭଶ୍ରୀଙ୍କ ୧୬୪ ଧାରା ଅନୁଯାୟୀ ବୟାନ ରେକର୍ଡ କରିଥିବା ଜଣାପଡ଼ିଛି । ତେବେ ପରବର୍ତ୍ତି ସମୟରେ ଶୁଭଶ୍ରୀ ଅନ୍ୟ ଏକ ଚୁକ୍ତି ମାଧ୍ୟମରେ ସେମାନଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ପୁଲିସକୁ ଜଣାଇଥିଲେ ବୋଲି କୁହାଯାଉଛି । ଏହି ମୃତ୍ୟୁ ଘଟଣାରେ ଦିବ୍ୟରଞ୍ଜନଙ୍କର ସମ୍ପୃକ୍ତି ରହିଛି କି ନାହିଁ ତାହା ସ୍ପଷ୍ଟ ହୋଇନଥିବା ବେଳେ ଶୁଭଶ୍ରୀ ମାନସିକ ଚାପରେ ଆତ୍ମହତ୍ୟା କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ପୁଲିସ କହିଛି ।
ସୋମବାର ଶୁଭଶ୍ରୀଙ୍କ ପରିବାର ଲୋକେ ଯୋଡ଼ାରେ ପହଞ୍ôଚବା ପରେ ମୃତଦେହକୁ କେନ୍ଦୁଝର ବ୍ୟବଚ୍ଛେଦ ପାଇଁ ନିଆଯାଇଛି । ଏହା ସହିତ ଯୋଡ଼ା ପୁଲିସ ଶୁଭଶ୍ରୀ ରହୁଥିବା ଘର ଭିତରୁ ତାଙ୍କ ମୋବାଇଲ, କିଛି ଔଷଧ ଓ କାଗଜପତ୍ର ଜବତ କରିଛି । ଶୁଭଶ୍ରୀ ଜଣେ ମିଷ୍ଟଭାଷୀ ଏବଂ ମେଳାପି ଯୁବତୀ ହୋଇଥିବାରୁ ଖୁବ୍‌କମ ଦିନ ମଧ୍ୟରେ ସେ ଯୋଡ଼ା ଜନସାଧାରଣଙ୍କ ପାଖରେ ଆଦୃତ ହୋଇପାରିଥିଲେ । ତାଙ୍କର ମୃତ୍ୟୁ ଘଟଣା ସମଗ୍ର ଯୋଡା ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି । ବ୍ୟବଚ୍ଛେଦ ପରେ ମୃତ ଦେହକୁ ରାଉକେଲାକୁ ନିଆଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Leave a Reply

Your email address will not be published.

Back to top button