ଗୃହ ବିଭାଗର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ: ଆଇନଶୃଙ୍ଖଳା ରକ୍ଷା କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ

ଭୁବନେଶ୍ୱର : ରାଜ୍ୟ ସରକାର ସଦାସର୍ବଦା ଆଇନ ଶୃଙ୍ଖଳା ରକ୍ଷା ଓ ଲୋକଙ୍କ ଧନଜୀବନ ରକ୍ଷାକୁ ପ୍ରାଥମିକତା ଦେଇଆସୁଛନ୍ତି। ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରି ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ନିୟମିତ ଭାବରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମୀକ୍ଷା କରାଯାଉଛି ଏବଂ ରାଜ୍ୟର ସମସ୍ତ ଜନସାଧାରଣ ମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଆମେ ସଦାସର୍ବଦା ଉଦ୍ୟମ ଜାରି ରଖିଛୁ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଅଛି। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସାମ୍ପ୍ରଦାୟିକ ସଦଭାବ ବଜାୟ ରହିଛି। ସମୟୋପଯୋଗୀ ଗୁଇନ୍ଦା ତଥ୍ୟ ଏବଂ ପୁଲିସର ଆଗୁଆ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଫଳରେ କୌଣସି ଗୁରୁତ୍ୱପୂର୍ଣ୍ଣ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜି ନାହିଁ। ମାଓବାଦୀ ଦମନ କ୍ଷେତ୍ରରେ ଓଡ଼ିଶା ପୁଲିସ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ୨୦୨୪ରେ ୬ ଜଣ ମାଓବାଦୀଙ୍କ ପ୍ରାଣହାନୀ ଘଟିଥିବା ବେଳେ ୮ ଜଣ ଗିରଫ ହୋଇଛନ୍ତି ଓ ୨୪ଜଣ ଆତ୍ମସମର୍ପଣ କରିଛନ୍ତି। ଚଳିତବର୍ଷ ଜାନୁଆରୀ ମାସରେ ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ଼ ଅଞ୍ଚଳରେ, ଓଡ଼ିଶା ପୁଲିସ, ଛତିଶଗଡ଼ ପୁଲିସ ଓ ସିଆରପିଏଫ୍ର ମିଳିତ ଅଭିଯାନରେ ମାଓବାଦୀ ସଂଗଠନର ଜଣେ ବରିଷ୍ଠ କ୍ୟାଡର ସହ ୧୭ଜଣ ମାଓବାଦୀଙ୍କୁ ନିପାତ କରାଯାଇଥିଲା। ଏହି ଅଭିଯାନରେ ଓଡ଼ିଶା ପୁଲିସର ଏସଓଜି (ସ୍ପେଶାଲ ଅପରେସନ ଗୃପ) ଯବାନମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଗୃହ ବିଭାଗର ଖର୍ଚ୍ଚଦାବି ଉପସ୍ଥାପନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ବୁଧବାର ବିନା ବିରୋଧୀ ସଦସ୍ୟଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଉଛି ଗୃହ ବିଭାଗ। ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ଏବଂ ସମାଜରେ ସୁରକ୍ଷିତ ବାତାବରଣ ପ୍ରଦାନରେ ଗୃହ ବିଭାଗ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ପୁଲିସର ସୁବନ୍ଦୋବସ୍ତ ଯୋଗୁଁ ୨୦୨୪ ଜୁଲାଇ ମାସରେ ଅନୁଷ୍ଠିତ ହୋଇଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା, ବାହୁଡା ଯାତ୍ରା, ସୁନାବେଶ ଏବଂ ନଭେମ୍ବର ମାସରେ ଅନୁଷ୍ଠିତ ହୋଇଥିବା ଐତିହାସିକ ବାଲିଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ସମାହିତ ହୋଇଥିଲା। ସେହିପରି ଗତବର୍ଷ ନଭେମ୍ବର ମାସ ୨୯ ତାରିଖରୁ ଡିସେମ୍ବର ୦୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ସର୍ବଭାରତୀୟ ପୁଲିସ ମହାନିର୍ଦ୍ଦେଶକ, ଆରକ୍ଷୀ ନିର୍ଦ୍ଦେଶକ ସମ୍ମିଳନୀ, ଡିସେମ୍ବର ୦୩ ରୁ ୦୭ ତାରିଖ ପର୍ଯ୍ୟନ୍ତ ପୁରୀ ବେଳାଭୂମିରେ ଅନୁଷ୍ଠିତ ହୋଇଥିବା ଭାରତୀୟ ନୌସେନା ଦିବସ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ମଧ୍ୟ ଶୃଙ୍ଖଳିତ ଭାବେ ଆୟୋଜନ କରାଯାଇଥିଲା। ଚଳିତବର୍ଷ ଜାନୁଆରୀ ମାସରେ ଭୁବନେଶ୍ୱରର ଜନତା ମଇଦାନ ଠାରେ ‘୧୮ତମ ପ୍ରବାସୀ ଭାରତୀୟ ଦିବସ’ ଅନୁଷ୍ଠିତ ହୋଇଥିଲା। ପୁଲିସର ସୁବନ୍ଦୋବସ୍ତ ଯୋଗୁଁ ଏହି ପ୍ରବାସୀ ଭାରତୀୟ ଦିବସ ଶାନ୍ତିଶୃଙ୍ଖଳାର ସହିତ ସମାହିତ ହୋଇଥିଲା। ଏହାସହ ଜାନୁଆରୀ ମାସରେ ଭୁବନେଶ୍ୱର ଜନତା ମଇଦାନ ଠାରେ ‘ଉତ୍କର୍ଷ ଓଡ଼ିଶା -୨୦୨୫’ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମେତ ଦେଶ ବିଦେଶର ବହୁ ଶିଳ୍ପପତି ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ପୁଲିସର ସୁବନ୍ଦୋବସ୍ତ ଯୋଗୁ ଏହା ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦୀର୍ଘବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଫେବୃଆରୀ ୯ରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ବହୁ ପ୍ରତୀକ୍ଷିତ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚର ଆୟୋଜନ ଏବଂ ସୁପରିଚାଳନାରେ ପୋଲିସ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଶ୍ରମିକ ଧର୍ମଘଟ ଓ ବିଭିନ୍ନ କର୍ମଚାରୀ ସଂଗଠନ ଦ୍ୱାରା କରାଯାଇଥିବା ଆନ୍ଦୋଳନ ଗୁଡିକ ପୁଲିସର ସମୟୋଚିତ ଏବଂ ସତର୍କତାମୂଳକ ପଦକ୍ଷେପ ଯୋଗୁଁ ଶାନ୍ତିପୂର୍ଣ୍ଣ ଭାବେ ସମାହିତ ହୋଇଛି । ଚଳିତ ବର୍ଷ ଅଦ୍ୟାବଧି ରାଜ୍ୟରେ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ଘଟିନାହିଁ। ସେହିପରି, ଚଳିତବର୍ଷ ଫେବୃଆରୀ ମାସରେ କଳାହାଣ୍ଡି ଜିଲ୍ଲା ପୁଲିସ ଆଠ ଜଣିଆ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ପ୍ରାୟ ୩ କୋଟି ୫୧ ଲକ୍ଷ ଟଙ୍କା ଜବତ କରିବାରେ ସଫଳ ହୋଇଥିଲା। ୪୮ଘଣ୍ଟା ମଧ୍ୟରେ ସମ୍ପୃକ୍ତ ଡକାୟତଙ୍କୁ ଗିରଫ କରାଯିବା ସହ ବିପୁଳ ପରିମାଣରେ ଟଙ୍କା ଜବତ କରିବା ଘଟଣା ଓଡିଶା ପୋଲିସ ପାଇଁ ନିଶ୍ଚିତ ଭାବେ ଏକ ବିରଳ ସଫଳତା । ରାଜ୍ୟରେ ବାଲି, ମୋରମ ଏବଂ ମାଙ୍କଡ଼ା ପଥର ଚୋରା କାରବାର କରୁଥିବା ମାଫିଆଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଜିଲ୍ଲା ପ୍ରଶାସନ, ଖଣି ବିଭାଗ ଓ ପୋଲିସର ମିଳିତ ସହଯୋଗରେ ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନରେ ୨୨ ମାର୍ଚ୍ଚ ପର୍ଯ୍ୟନ୍ତ ସାରା ରାଜ୍ୟରେ ବାଲି ମାଫିଆଙ୍କ ବିରୋଧରେ ୧୨୫୨ଟି ମାମଲା ରୁଜୁ କରାଯାଇଥିବା ବେଳେ ୧୫୦୦ଟି ବାଲି ବୋଝେଇ ଟ୍ରକ, ଟ୍ରାକ୍ଟର, ଟିପ୍ପର ଓ ହାଇୱା ଜବତ କରାଯାଇଛି। ଏହାସହ ୬୯୧ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସହ ୮୧୯ ଲୋକଙ୍କୁ ନୋଟିସ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଶେଷରେ ଗୃହ ବିଭାଗର ଖର୍ଚ୍ଚଦାବିକୁ ବାଚନିକ ଭୋଟରେ ବାଚସ୍ପତି ସୁରମା ପାଢ଼ୀ ପାରିତ କରିଛନ୍ତି।