ମୁଖ୍ୟ ଶାସନ ସଚିବଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ସ୍ପଷ୍ଟ ଭାବେ ପ୍ରେସକ୍ରିପ୍‌ସନ ଲେଖିବାକୁ ସର୍କୁଲାର କର

ଭୁବନେଶ୍ବର:ଡାକ୍ତରମାନେ ଅସ୍ପଷ୍ଟଭାବେ ପ୍ରେସକ୍ରିପ୍‌ସନ ଲେଖୁଥିବାରୁ ଅନେକ ସମୟରେ ଏନେଇ ବିଭିନ୍ନ ସମସ୍ୟା ଉପୁଜୁଛି । ଏଣୁ ଡାକ୍ତରମାନେ ଯେପରି ସ୍ପଷ୍ଟ ଅକ୍ଷରରେ ୍‌ପ୍ରେସକ୍ରିପ୍‌ସନ ଲେଖିବେ ସେଥି ପାଇଁ ସର୍କୁଲାର ଜାରି କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏସଂକ୍ରାନ୍ତ ଏକ ମାମଲାର ଶୁଣାଣିକରି ବିଚାରପତି ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ବିଧିବଦ୍ଧ ଭାବେ ସର୍କୁଲାର ଜାରି କରି ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର, ଘରୋଇ କ୍ଲିନିକ୍‌, ମେଡିକାଲ କଲେଜ ଓ ହସ୍ପିଟାଲକୁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ଅସ୍ପଷ୍ଟ ହସ୍ତାକ୍ଷର ଯୋଗୁଁ କେବଳ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉନାହାନ୍ତି ବରଂ ଏହା ଦ୍ୱାରା ମେଡିକୋ-ଲିଗାଲ ଡକ୍ୟୁମେଣ୍ଟ୍‌ସ ମଧ୍ୟ ବିଶେଷ ଭାବେ ପ୍ରଭାବିତ ହେଉଛି । ଏହି ଅସ୍ପଷ୍ଟ ଡକ୍ୟୁମେଣ୍ଟ୍‌ସ ଗୁଡିକ ଦ୍ୱାରା ତଦନ୍ତ ଓ କୋର୍ଟରେ ବିଚାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି କୋର୍ଟ ଦର୍ଶାଇଛନ୍ତି । ମେଡିକାଲ୍ କାଉନସିଲ୍ ଅଫ ଇଣ୍ଡିଆ ୨୦୧୬ ମସିହା ସେପ୍େଟମ୍ବର ୨୧ ତାରିଖ ଦିନ ମେଡିକାଲ୍ କାଉନସିଲ୍ ଆକ୍ଟ-୧୯୫୬ର ଧାରା ୩୩ ଅନୁଯାୟୀ ଏ ସମ୍ପର୍କିତ ଏକ ବିଜ୍ଞପ୍ତି ଜାରି କରିଥିଲେ । ମାମଲାର ବିବରଣୀରୁ ପ୍ରକାଶ୨୦୧୫ ମସିହା ଜୁଲାଇ ମାସରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ କଣସରା ଗାଁର ସୌଭାଗ୍ୟ ରଂଜନ ଭୋଇଙ୍କର ସାପ କାମୁଡାରେ ମୃତ୍ୟୁ ହୋଇଥିଲା । ଏଣୁ କ୍ଷତିପୂରଣ ପାଇଁ ତାଙ୍କ ପରିବାର ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରାଯାଇଥିଲା । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ହସ୍ତାକ୍ଷର ସ୍ପଷ୍ଟ ନଥିବାରୁ କ୍ଷତିପୂରଣ ରାଶି ମିଳି ନଥିଲା । ଏହାକୁ ଚ୍ୟାଲେଞ୍ଜ କରି ମୃତକଙ୍କ ପିତା ରସାନନ୍ଦ ଭୋଇ ହାଇକୋର୍ଟରେ ଏକ ରିଟ୍ ପିଟିସନ ଦାଖଲ କରିଥିଲେ । ହାଇକୋର୍ଟ ଏହି ମାମଲାର ଶୁଣାଣି ସମୟରେ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କୁ କୋର୍ଟରେ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦେବା ସହ ଆବେଦନକାରୀଙ୍କୁ ମାସକ ମଧ୍ୟରେ ସହାୟତା ରାଶି ଦେବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button