ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ: ଭାଙ୍ଗିଛି ସରକାର,ଜନତାଙ୍କ ଭିତରେ ଥିବା କୃତ୍ରିମ ବାଡ଼

ଭୁବନେଶ୍ୱର : ଏ ସରକାର ‘ଲୋକଙ୍କ ସରକାର’। ଲୋକଙ୍କ ସୁଖଦୁଃଖରେ ଅଛନ୍ତି ‘ଲୋକଙ୍କ ସରକାର’। ‘ଲୋକଙ୍କ ସରକାର’ରେ କେହି ଜଣେ ମଧ୍ୟ ଯେମିତି ନ୍ୟାୟ ପାଇବାରୁ ବଞ୍ଚିତ ହେବେ ନାହିଁ, ଏଥିପାଇଁ ଆମେ ସବୁପ୍ରକାର ପ୍ରୟାସ କରୁଛୁ। ସାଧାରଣ ଜନତାଙ୍କ ଅସୁବିଧାକୁ ଆମ ସରକାର ଅତି ଗୁରୁତ୍ୱର ସହ ବିଚାର କରୁଛନ୍ତି ଏବଂ ସମାଧାନ ପାଇଁ ସବୁବେଳେ ତତ୍ପର ଅଛନ୍ତି। ଜନଶୁଣାଣି ମାଧ୍ୟମରେ ସରକାର ଓ ଜନତାଙ୍କ ଭିତରେ ଥିବା କୃତ୍ରିମ ବାଡ଼କୁ ଭାଙ୍ଗି ଆମେ ବ୍ୟବସ୍ଥାକୁ ଆପଣଙ୍କ ପାଖରେ ପହଞ୍ଚାଇଛୁ। ଏ ସରକାର ଆପଣଙ୍କ ସହିତ ଅଛି, ଆପଣଙ୍କ ବିଶ୍ୱାସ ଆମକୁ କାମ କରିବା ପାଇଁ ଶକ୍ତି ଯୋଗାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି। ଏହି କ୍ରମରେ ସୋମବାର ଭୁବନେଶ୍ୱର ୟୁନିଟ-୨ ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଆୟୋଜିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ୧୩ ତମ ପାଳିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ତ୍ୱରିତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଦ୍ୱାଦଶ ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ୧୧,୫୧୬ଟି ଅଭିଯୋଗ ମଧ୍ୟରୁ ୧୦,୫୦୨ଟି ଅଭିଯୋଗର ସମାଧାନ କରାଯାଇଛି। ଏହାର ସଫଳତା ହାର ୯୧%। ତେବେ ବକେୟା ଅଭିଯୋଗଗୁଡ଼ିକ ସମାଧାନ ପାଇଁ କାର୍ଯ୍ୟ ଅବ୍ୟାହତ ରହିଛି।ସୋମବାର ଭୁବନେଶ୍ୱର ୟୁନିଟ-୨ ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା ସହିତ ଏହାର ସମାଧାନ ଓ ପ୍ରତିକାର ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି। ପ୍ରତିଥର ଭଳି ମୁଖ୍ୟମନ୍ତ୍ରୀ ପୂର୍ବାହ୍ଣରେ ପ୍ରଥମେ ଆସି ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ବାହାରେ ଅପେକ୍ଷା କରିଥିବା ଦିବ୍ୟାଙ୍ଗ ଅଭିଯୋଗକାରୀଙ୍କୁ ଜଣ ଜଣ କରି ଭେଟି ସେମାନଙ୍କ ଅଭିଯୋଗପତ୍ର ଗ୍ରହଣ କରିଥିଲେ। ଏହା ପରେ ପ୍ରକୋଷ୍ଠ ଭିତରେ ପଞ୍ଜିକୃତ କରିଥିବା ଅଭିଯୋଗକାରୀମାନଙ୍କ ଅଭିଯୋଗ ଶୁଣିଥିଲେ। ସମସ୍ତ ଅଭିଯୋଗଗୁଡିକର ପ୍ରତିବିଧାନ ପାଇଁ ଉପସ୍ଥିତ ସମ୍ପୃକ୍ତ ବିଭାଗର ସଚିବମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମଣ୍ଡଳର ୯ ଜଣ ବରିଷ୍ଠ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସଚିବସ୍ତରୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମରେ ଅସାଧ୍ୟ ଓ ଦୂରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଉଛି। ଏଥିନିମନ୍ତେ ବରିଷ୍ଠ ଡାକ୍ତରୀ ଟିମ୍ ମଧ୍ୟ ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ରହୁଛନ୍ତି। ଆଜି ଏହି ସିଷ୍ଟମରେ ଚିକିତ୍ସା ଖର୍ଚ୍ଚ ବାବଦକୁ ୩ଜଣଙ୍କୁ ଚିକିତ୍ସା ସହାୟତା ରାଶି ଯୋଗାଇ ଦିଆଯାଇଛି। ଚଳିତ ବର୍ଷ ଆରମ୍ଭରୁ ଆଜି ସୁଦ୍ଧା ସିଙ୍ଗିଲ ୱିଣ୍ଡୋ ସିଷ୍ଟମରେ ୫୧ ଜଣଙ୍କୁ ୫୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଏହି ଧାରା ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଜନଶୁଣାଣିରେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୁଷଣ ଜେନା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଏବଂ ଅନ୍ୟ ବିଭାଗଗୁଡ଼ିକର ସଚିବ ସ୍ତରୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ।