ସାବିତ୍ରୀ ପାଇଁ ଭୁବନେଶ୍ବରରେ ଆରମ୍ଭ ହେଲା ହସ୍ତତନ୍ତ ବସ୍ତ୍ର ପ୍ରଦର୍ଶନୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଅନୁମୋଦିିତ ବାର୍ଷିକ ତାଲିକା ହିସାବରେ ଏ ବର୍ଷ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ପବିତ୍ର ସାବିତ୍ରୀ ବ୍ରତ ଉପଲକ୍ଷେ ଏକ ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୩ ଭୁବନେଶ୍ୱର ସ୍ଥିତ ଏକାମ୍ର ହାଟ ଠାରେ ଆୟୋଜନ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ତନ୍ତବାୟ ସମିତି/ ଏସ୍‌ଏଚ୍‌ଜି ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଲୁଗାର ବିକ୍ରୟ ବୃଦ୍ଧି କରି ବୁଣାକାରଙ୍କୁ ନିୟମିତ କାମ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ପୋହି -୨୦୨୩-୨୪ ଯୋଜନାରେ ଏହା ଅନୁଷ୍ଠିତ ହୋଇଛି। ଏହି ମେଳା ଶ୍ରୀ ଶୋଭନ କ୍ରୀଷ୍ଣା ସାହୁ, ବୟନଶିଳ୍ପ ନିର୍ଦ୍ଦେଶକ, ଓଡିଶାଙ୍କ ଦ୍ୱାରା ଆଜି ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ସମ୍ବିତ କୁମାର ଆଚାର୍ଯ୍ୟ, ସଭାପତି, ସମ୍ବଲପୁରୀ ବସ୍ତ୍ରାଳୟ, ବରଗଡ଼, ଶିଶିର କୁମାର ନାଗ, ପରିଚାଳନା ନିର୍ଦ୍ଦେଶକ, ସମ୍ବଲପୁରୀ ବସ୍ତ୍ରାଳୟ, ସରୋଜ କୁମାର ପଟେଲ, ପରିଚାଳନା ନିର୍ଦ୍ଦେଶକ, ସେରିଫେଡ୍‌, ଦେବଜୀତ ନନ୍ଦି, ଯୁଗ୍ମ ନିର୍ଦ୍ଦେଶକ ବୟନଶିଳ୍ପ, ଭୁବନେଶ୍ୱର ଓ ଶ୍ରୀ ହେମନ୍ତ କୁମାର ମିଶ୍ର, ବାଣିଜ୍ୟ ଅଧିକାରୀ, ସମ୍ବଲପୁରୀ ବସ୍ତ୍ରାଳୟ, ବରଗଡ ଉପସ୍ଥିତ ଥିଲେ। ଏହି ମେଳାରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ରାଜ୍ୟର ବରଗଡ, କଟକ, ସୋନପୁର, ଆଠଗଡ, ବାରିପଦା, ବାଲେଶ୍ୱର, ପାଟଣାଗଡ, ନୟାଗଡ, ଖୋର୍ଦ୍ଧା ଓ ବୌଦ୍ଧ ବୟନ ମଣ୍ଡଳମାନଙ୍କରୁ ୩୪ଟି ତନ୍ତବାୟ ସମିତି/ ଏସ୍‌ଏଚ୍‌ଜି /ପୋହିର ବୁଣାକାର ସେମାନଙ୍କର ଉତ୍ପାଦିତ ଲୁଗାର ପ୍ରଦର୍ଶନ ଓ ବିକ୍ରୟ କରିବାପାଇଁ ଯୋଗଦାନ କରିଛନ୍ତି। ଏଥି ସକାଶେ ସେମାନଙ୍କୁ ୩୪ଟି ଦେୟମୁକ୍ତ ଷ୍ଟଲ ପ୍ରଦାନ କରାଯାଇଛି। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗଙ୍କ ପ୍ରଚେଷ୍ଟାରେ ଚଳିତ ବର୍ଷ ଏପ୍ରିଲ ମାସରେ ରାଜ୍ୟର ହସ୍ତତନ୍ତ ବୁଣାକାର/ସଂସ୍ଥା ଓ ହସ୍ତଶିଳ୍ପ କାରିଗର ଭାଗ ନେଇ ମୋଟ ୧୩.୮୪ଲକ୍ଷ ଟଙ୍କାର କାରବାର କରିପାରିଛନ୍ତି । ଉକ୍ତ ଅବଧି ମଧ୍ୟରେ ଏକାମ୍ର ହାଟ ମଧ୍ୟକୁ ୨୬ ଲକ୍ଷ ଲୋକ ଆଗମନ କରିଛନ୍ତି। ମଇ ୨ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ହସ୍ତତନ୍ତ ମେଳାରେ ଗ୍ରାହକମାନେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଉତ୍ପାଦିତ ହସ୍ତତନ୍ତ ଲୁଗା ସୁଲଭ ମୂଲ୍ୟରେ ୧୦% ସରକାରୀ ରିହାତିରେ କିଣିପାରିବେ। ଏହାର ସୁଯୋଗ ନେବା ପାଇଁ ସମିତି ତରଫରୁ ଗ୍ରାହକମାନଙ୍କୁ ଅନୁରୋଧ କରାଯାଇଛି।

Related Articles

Leave a Reply

Your email address will not be published.

Back to top button