ଗୋପାଳଙ୍କ ଡେମୋ: ନବ ଦାସଙ୍କୁ କେମିତି ଗୁଳି କରିଥିଲି ଦେଖ

ଭୁବନେଶ୍ୱର : ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ଗୁଳିକାଣ୍ଡ ସମୟର ଡେମୋ ଦେଖାଇଛନ୍ତି । ନବ ଦାସଙ୍କୁ ଏମିତି ଗୁଳି ମାରିଥିଲି ବୋଲି ସେ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀଙ୍କୁ ଆକ୍ସନ ମାଧ୍ୟମରେ ଦେଖାଇଛନ୍ତି । ମଙ୍ଗଳବାର ଅପରାହ୍ଣ ୫ଟା ୨୦ରେ କ୍ରାଇମ୍‌ବ୍ରାଞ୍ଚ ଦ୍ୱାରା ପ୍ରସ୍ତୁତ ହୋଇଥିବା ସ୍ପଟ୍ ସିନ୍‌ରେ ସେ ବନ୍ଧୁକ ଧରି କେମିତି ଗୁଳି କରିଥିଲେ ଟିକ୍ ନିକ୍ ଭାବେ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀଙ୍କୁ ଦେଖାଇଥିଲେ । କେମିତି ଗୋଟିଏ ହାତରେ ଅଣ୍ଟାରୁ ବନ୍ଧୁକ ବାହାର କଲେ, ପୁଣି କେମିତି ଦୁଇ ହାତରେ ବନ୍ଧୁକ ଧରି ସୁଟ୍ କଲେ, କେତୋଟି ଗୁଳି ମାରିଲେ ଇତ୍ୟାଦି ସେ ଆକ୍ସନ ଦ୍ୱାରା ପ୍ରଦର୍ଶିତ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଥିବା ଗୋପାଳ ଗୁଳି ମାରିବାର ପ୍ରତ୍ୟେକ ମୁହୂର୍ତ୍ତର କାର୍ଯ୍ୟକୁ ସେ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀଙ୍କୁ ଦେଖାଇଥିଲେ । ଆକ୍ସନ ବେଳେ ଗୋପାଳ କନ୍‌ଫିଡେଣ୍ଟ ଥିବା ଜଣା ପଡ଼ୁଥିଲା । ସେ ବୀର ଦର୍ପରେ ସବୁ ଘଟଣାକୁ ବର୍ଣ୍ଣନା କରୁଥିଲେ । ତାଙ୍କ ମନରେ ସାମାନ୍ୟତମ ସଙ୍କୋଚ ବା ଅନୁଶୋଚନା ଥିବା ଜଣାପଡ଼ୁନଥିଲା ।
ଖବର ଅନୁଯାୟୀ, ପ୍ରଥମେ କ୍ରାଇମ୍ ସ୍ପଟକୁ ପୁଲିସ ଛାଉଣୀ କରାଯାଇ ଆଖପାଖ ରାସ୍ତକୁ ବ୍ଲକ୍ କରି ଦିଆଯାଇଥିଲା । ପରେ କ୍ରାଇମ୍‌ବ୍ରାଞ୍ଚର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । କିପରି ହତ୍ୟାକାଣ୍ଡର ଆକ୍ସନ ରିପ୍ଲେ ହୋଇପାରିବ ସେ ନେଇ ଯୋଜନା ପ୍ରସ୍ତୁତ କରିଥିଲେ । ନବ ଦାସଙ୍କ ଦୁଇ ଇନୋଭା ଗାଡିକୁ ଅପରାଧସ୍ଥଳକୁ ଅଣାଯାଇଥିଲା । ଗୋଟିଏ ଗାଡି ନବଙ୍କ ପ୍ରାଇଭେଟ ଗାଡି ଥିଲା, ଯେଉଁଥିରେ ସେ ବସିଥିଲେ । ଅନ୍ୟ ଗାଡିଟି ସ୍ୱାସ୍ଥ୍ୟ ବିଭାଗର ଥିଲା, ଯେଉଁ ଗାଡିରେ ଗୁଳି ବାଜିଥିଲା । ଏହି ସମସ୍ତ ଘଟଣାକୁ ଭିଡିଓଗ୍ରାଫି କରାଯାଇଥିଲା । ଚିତ୍ର ଉତ୍ତୋଳନ ପାଇଁ କ୍ରାଇମ୍‌ବାଞ୍ଚ ନିଜର ଫଟୋ ଗ୍ରାଫର, ଭିଡିଓ ଗ୍ରାଫର ଏବଂ ଡ୍ରୋନ କ୍ୟାମେରା ନିୟୋଜିତ କରିଥିଲା । ସେହିପରି ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍‌କୁ ନିୟୋଜିତ କରାଯାଇଥିଲା । ସମସ୍ତ ପ୍ରସ୍ତୁତି ଶେଷ ହେବା ପରେ କଡା ସୁରାକ୍ଷା ବ୍ୟବସ୍ଥା ମଧ୍ୟରେ ଗୋପାଳଙ୍କୁ କ୍ରାଇମ୍ ସ୍ପଟକୁ ଅଣାଯାଇଥିଲା । ତାଙ୍କ ମୁହଁରେ ଗାମୁଛା ବନ୍ଧା ଯାଇଥିଲା ବେଳେ ସେ ଏକ ନୀଳ ରଙ୍ଗର ଟିସାର୍ଟ ଓ ପ୍ୟାଣ୍ଟ ପିନ୍ଧି ଥିଲେ । ସେଦିନ ଗୋପାଳ ଯେଉଁ ସ୍ଥାନରେ ଠିଆ ହୋଇଥିଲା ସେଠାରେ ତାଙ୍କୁ ଛିଡା କରାଯାଇଥିଲା । ଏହା ପରେ ବିନା ବନ୍ଧୁକରେ ସେ ପ୍ରଥମେ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀଙ୍କୁ ଡେମୋ ଦେଇଥିଲେ । ପରେ ଏକ ନକଲି ବନ୍ଧୁକ ଧରି ଆଉ ଏକ ଡେମୋ ଦେଇଥିଲେ । ବିଭିନ୍ନ ମୁଦ୍ରାରେ ସେ ଭିନ୍ନ ଭିନ୍ନ ଆକ୍ସନ କରିଥିଲେ । ଏହାପରେ ଗୋପାଳଙ୍କ ଅଣ୍ଟାରେ ବନ୍ଧୁକ ବେଲ୍ଟ ବନ୍ଧା ଯାଇଥିଲା, ଯେଉଁଥିରେ ବନ୍ଧୁକ କଭର ଥିଲା । ପରେ ଏଥିରେ ବନ୍ଧୁକ ରଖାଯାଇଥିଲା । ନବଙ୍କ ଗାଡିରେ ଜଣେ ବ୍ୟକ୍ତିଙ୍କୁ ବସାଯାଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ପ୍ରକୃତ ଆକ୍ସନ ରିପ୍ଲେ । ନବଙ୍କ ଗାଡିର ଗେଟ ଖୋଲିଲା । ନବଙ୍କ ସ୍ଥାନରେ ବସିଥିବା ଜଣେ ବ୍ୟକ୍ତି ବାହାରକୁ ଆସିଲେ । ତାଙ୍କୁ ମାଳ ପିନ୍ଧାଗଲା । ଏହପରେ ଗୋପଳ ବନ୍ଧୁକ ବାହାର କଲେ । ଦୁଇ ହାତରେ ବନ୍ଧୁକ ଧରି ମନ୍ତ୍ରୀଙ୍କ ଅଡକୁ ଲକ୍ଷ କରି ସୁଟ କଲେ । କେତେ ନିକଟରୁ ସୁଟ୍ କଲେ ତାହା ମଧ୍ୟ କହିଥିଲେ । ଏହାପରେ ବନ୍ଧୁକ ଧରି ସେ ପଛକୁ ଫେରି ଆସିଲେ । ବନ୍ଧୁକକୁ ଧରି ହାତକୁ ଏପଟ ସେପଟ କରୁଥିଲେ । ଶେଷରେ ହାତକୁ ଉପରକୁ ଉଠାଇ କିଛି ଦେଖାଉ ଥିଲା । ତାଙ୍କ ସହ ଦସ୍ତାଧସ୍ତି କରିବାକୁ ୨ ଜଣ ବ୍ୟକ୍ତିଙ୍କୁ କ୍ରାଇମ୍‌ବ୍ରାଞ୍ଚ ନିୟୋଜିତ କରିଥିଲା । ଅନ୍ୟପକ୍ଷରେ ଘଟଣାଦିନ ଉପସ୍ଥିତ ଥିବା ବ୍ରଜରାଜନର ଥାନା ଅଧିକାରଙ୍କୁ ମଧ୍ୟ ଘଟଣାସ୍ଥଳକୁ ଡକା ଯାଇଥିଲା । ସେ ତାଙ୍କ ହାତରୁ ବନ୍ଧୁକ ଛଇାଇ ନେଇଥିଲେ । ଏହିପରି ଭାବେ ଗୋପାଳ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ନିକି ନିକି କାଣ୍ଡ କାରନାମା ସମ୍ପର୍କରେ ବଖାଣିଥିଲେ । ସମୟ ସମୟର ବିବରଣୀ ଦେଉଥିଲେ । ସ୍ଥାନୀୟ ଲୋକେ ମୋବାଇଲ ଧରି ଏହି ଘଟଣାର ଭିଡିଓ ବନାଉଥିଲେ । ହେଲେ ଘଟଣାକୁ ଏତେ ସହଜରେ ଏବେବି କେହି ବିଶ୍ୱାସ କରି ପାରୁ ନାହାନ୍ତି । କ୍ରାଇମ୍‌ବ୍ରାଞ୍ଚର ଏଭଳି ଆକ୍ସନକୁ ଲୋକେ ପୂର୍ବରୁ ଦେଖିଛନ୍ତି, ହେଲେ କ’ଣ ପାଇଁ ସେ ନବ ଦାସଙ୍କୁ ହତ୍ୟା କଲେ ତାହା କ୍ରାଇମ୍‌ବ୍ରାଞ୍ଚ ସ୍ପଷ୍ଟ କରୁ ବୋଲି ସ୍ଥାନୀୟଲୋକେ କହିଛନ୍ତି । ଅନ୍ୟପକ୍ଷରେ ପୁଲିସ ଡିଜିପି ସୁନିଲ ବଂଶଲ, ଡାଇରେକ୍ଟର ଇଣ୍ଟେଲିଜେନ୍ସ ସଞ୍ଜୀବ ପଣ୍ଡା ଏବଂ ଏଡିଜି ଆଇନ୍ ଶୃଙ୍ଖଳା ରାଧାକୃଷ୍ଣ ଶର୍ମା ଓ ଜଷ୍ଟିସ ଜେ.ପି ଦାସ ଝାରସୁଗୁଡା ଗ୍ରସ୍ତ କରିଛନ୍ତି । ଜଷ୍ଟିସ ଦାସ କହିଛନ୍ତି ତଦନ୍ତ କରିବା ତାଙ୍କ କାମ ନୁହେଁ । ତେବେ ତଦନ୍ତ କେତେଦୁର ଆଗେଇଛି ତାହା ଯାଞ୍ଚ କରିବାକୁ ସେ ଝାରସୁଗୁଡା ଆସିଛନ୍ତି । ତେଣୁ ତଦନ୍ତକାରୀ ଅଧିକାରୀମାନଙ୍କ ସହ ସେ ଆଲୋଚନା କରିବେ ।

Related Articles

Leave a Reply

Your email address will not be published.

Back to top button