ଗଙ୍ଗାଧର ମେହେର ପ୍ରତିଷ୍ଠାନ ପକ୍ଷରୁ ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଗଙ୍ଗାଧର ମେହେର ପ୍ରତିଷ୍ଠାନ ପକ୍ଷରୁ ବିଶିଷ୍ଟ ନାଟ୍ୟକାର, କବି, ଲେଖକ ଓ ବ୍ୟଙ୍ଗକାର ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଙ୍ଗାଧର ମେହେର ପ୍ରତିଷ୍ଠାନର ଉପଦେଷ୍ଟା ନରେନ୍ଦ୍ର କୁମାର ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ ଗଙ୍ଗାଧର ମେହେର ପ୍ରତିଷ୍ଠାନର ଅଧ୍ୟକ୍ଷ ମିହିର ମେହେର, ପୂର୍ବତନ ସାଂସଦ ଡ. ପ୍ରଭାସ କୁମାର ସିଂ ଓ ବିଧାୟକ ଅନନ୍ତ ନାରାୟଣ ଜେନା ଆଦି ସ୍ୱର୍ଗତଃ ପଶାୟତଙ୍କ ଫଟୋରେ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପଦ୍ମଶ୍ରୀ ବିନୋଦ ପଶାୟତ ଜଣେ ଆମାୟୀକ ବ୍ୟକ୍ତି ଥିଲେ ଓ ସେ ପଦ୍ମଶ୍ରୀ ଉପାଧୀ ପାଇବା ସହିତ ଏତେ ଉଚ୍ଚ କୋଟିର କବିତା ଓ ନାଟକ ରଚନା କରିଥିଲେ ମଧ୍ୟ ତାଙ୍କ ଭିତରେ ଗର୍ବ ଓ ଅହଂକାର ନ ଥିଲା, ଏପରିକି ସେ ନିଜର କୈାଳିକ ବୃତ୍ତିକୁ ମଧ୍ୟ ଛାଡି ନଥିଲେ ବୋଲି ଅତିଥିମାନେ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ବିଷୟରେ ଆଲୋଚନା କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଗୋରେଖନାଥ ସାହୁ, ରାଜକିଶୋର ନାୟକ, ସୁରେଶ ମହାପାତ୍ର, ମାନସ ପରିଡ଼ା, ଆଶୁତୋଷ ମେହେର, ଲୋକେଶ ଜଗତ, ବାଳକୃଷ୍ଣ ବିଶ୍ୱାଳ, ସରୋଜ, ଶୃତିଶିଖା ମହାପାତ୍ର, ସଞ୍ଜୀବ ମିଶ୍ର ଓ ଅବିନାଶ ଦଣ୍ଡପାଟ ପ୍ରମୁଖ ଉପସ୍ଥିତ ରହି ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ଗଙ୍ଗାଧର ମେହେର ସ୍ମୃତି କମିଟିର ସମ୍ପାଦକ ତଥା ଉତ୍କଳ ସମ୍ମିଳନୀର ସାଧାରଣ ସମ୍ପାଦକ ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ଧନ୍ୟବାଦ ପ୍ରଦାନ କରିଥିଲେ ।