ଶିଶୁ ବାଟିକା ପିଲାଙ୍କୁ ଦିଆଯିବ ମାଗଣା ୟୁନିଫର୍ମ

ଭୁବନେଶ୍ୱର: ପ୍ରଥମ ଶ୍ରେଣୀ ପିଲାଙ୍କ ଭଳି ଶିଶୁବାଟିକା ପିଲାଙ୍କୁ ମଧ୍ୟ ମିଳିବ ୟୁନିଫର୍ମ । ସେମାନେ ମଧ୍ୟ ପିନ୍ଧିବେ ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ, କ୍ୟାପ୍ ଏବଂ ପରିଚୟପତ୍ର ବି ଦିଆଯିବ । ୩ ଲକ୍ଷ ୧୦ ହଜାର ୮୩୯ ଶିଶୁ ବାଟିକା ଛାତ୍ରଛାତ୍ରୀଙ୍କୁ ମାଗଣା ସ୍କୁଲ ପୋଷାକ, ଜୋତା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ମିଳିବ । ଏସବୁ ବଣ୍ଟନ ପାଇଁ ପ୍ରତି ଛାତ୍ରଛାତ୍ରୀଙ୍କ ପାଇଁ ୧ ହଜାର ଟଙ୍କା ପାଣ୍ଠି ଆବଶ୍ୟକ । ଏଥିପାଇଁ ପାଣ୍ଠି ଅନୁମୋଦନ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛି ଓସେପା । ଚଳିତ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟର ୪୧ ଲକ୍ଷ ୩୧ ହଜାର ୨୪ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ ୟୁନିଫର୍ମ ପାଇଁ ମୁଣ୍ଡ ପିଛା ୬୦୦ ଟଙ୍କା କରାଯାଇଛି । କିନ୍ତୁ ଶିଶୁବାଟିକା ପାଇଁ ସ୍ଵତନ୍ତ୍ର ପାଣ୍ଠି ନାହିଁ । ଏଥିପାଇଁ ପାଣ୍ଠି ଅନୁମୋଦନ ଦେବାକୁ ଓସେପା ପକ୍ଷରୁ ଚିଠି କରାଯାଇଛି ।